୧୪ରୁ ସୀମାନ୍ତ ଯୁବ ମହୋତ୍ସବ
ସାରସକଣା: ମୟୂରଭଞ୍ଜ ଜିଲ୍ଲା ସୀମାନ୍ତ ଅଞ୍ଚଳ ତିନି ରାଜ୍ୟର ସଙ୍ଗମ ସ୍ଥଳୀ ଝାରପୋଖରୀଆ ବମ୍ବେ ଛକ ଠାରେ ଅଷ୍ଟମ ବାର୍ଷିକ ସୀମାନ୍ତ ଯୁବ ମହୋତ୍ସବ ଆସନ୍ତା ଫେବୃଆରୀ୧୪ତାରିଖରୁ ଆରମ୍ଭ ହେବ । ଏ ନେଇ ବମ୍ବେ ଛକ ଠାରେ ଏକ ବୈଠକ ଜାତୀୟ ଯୁବ ପ୍ରକଳ୍ପ ଜିଲ୍ଲା ସଭାପତି କୁଞ୍ଜ ବିହାରୀ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସମିତିର ସଭାପତି ଅଶୋକ ପୃଷ୍ଟି, ଉପଦେଷ୍ଟା ଶିକ୍ଷାବିତ ଅଶୋକ ମହାପାତ୍ର, ଉପଦେଷ୍ଟା ପ୍ରଫେସର ସରୋଜ ନାୟକ, ଗୁରୁମା ସବିତା ନାଏକ ପ୍ରମୁଖ ଯୋଗ ଦେଇଥିଲେ । ଅଷ୍ଟମ ବାର୍ଷିକ ସୀମାନ୍ତ ଯୁବ ମହୋତ୍ସବ ନୂଆ ରଙ୍ଗରେ ଆୟୋଜନ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସୀମାନ୍ତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ମଧ୍ୟରେ ମନୋରଞ୍ଜନ ଧର୍ମୀ ପ୍ରତଯୋଗିତା ସହ ସେମାନଙ୍କ ମାନସିକ ଓ ବୌଦ୍ଧିକ ବିକାଶ ପାଇଁ କିଛି ପ୍ରତିଯୋଗିତା କରାଯିବ । ସେହିପରି ଜିଲ୍ଲାର ରାଜନେତାଙ୍କ ଠାରୁ ଆରମ୍ଭ କରି ଶିକ୍ଷାବିତ ଓ ପ୍ରଶାସନିକ ଅଧିକାରୀଙ୍କୁ ଅତିଥି ଭାବେ ମଞ୍ଚାସୀନ କରାଯିବ । ଅନ୍ୟପଟେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଗୁରୁଜନମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସନ୍ଧ୍ୟାର ଆୟୋଜନ କରାଯିବ । ସେହିପରି ଆକର୍ଷଣୀୟ ରାମ୍ପ ଶୋ, ମୋନୋ ଆକ୍ସନ, ଅନାବଶ୍ୟକ ସାମଗ୍ରୀରେ କ୍ରାଫ୍ଟ ମେକିଙ୍ଗ, ଚିତ୍ରାଙ୍କନ ସହିତ ମହିଳା ମାନଙ୍କ ପାଇଁ ମଧ୍ୟ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି ବୋଲି ସୂଚନା ଦିଆଯାଇଛି । ଏହି ମହୋତ୍ସବ ଆସନ୍ତା ଫେବୃଆରୀ ମାସ ୧୪, ୧୫ ଓ ୧୬ ତାରିଖରେ ଆୟୋଜିତ ହେବ । ପୂର୍ବବର୍ଷ ପରି ଲିଟିଲ ଷ୍ଟାର ପ୍ଲେ ସ୍କୁଲ, ବ୍ରିଗେଡ ସୈନିକ ସ୍କୁଲ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ସୀମାନ୍ତ ଇଂଲିଶ ମିଡିୟମ ସ୍କୁଲ, ଝାରପୋଖରୀଆ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ସୀମାନ୍ତ ମହାବିଦ୍ୟାଳୟ, ସ୍ୱସ୍ତି ରେସିଡେନସିଆଲ, ଶୀର୍ଷା ଉଚ୍ଚ ବିଦ୍ୟାଳୟ ଏବଂ ସ୍ଥାନୀୟ ପ୍ରମୁଖ ଶିକ୍ଷାନୁଷ୍ଠାନ ଗୁଡିକର ସ୍ୱତନ୍ତ୍ର ଗ୍ରୁପ ଡାନ୍ସ ଦେଖିବାକୁ ମିଳିବ । ଉକ୍ତ ମହୋତ୍ସବରେ ସମସ୍ତ ଜନସାଧାରଣ ମାନଙ୍କୁ ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ସଭାପତି ଅଶୋକ ପୃଷ୍ଟି ଆହ୍ୱାନ ଦେଇଛନ୍ତି ।