୨ ବର୍ଷ ବିତିଲା : ଶିଳାନ୍ୟାସରେ ଅଟକିଛି ଏନ୍ଏସି କାର୍ଯ୍ୟାଳୟ ନିର୍ମାଣ
ଖଣ୍ଡପଡ଼ା : ଖଣ୍ଡପଡ଼ା ପୂର୍ତ୍ତବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ସରକାରୀ ଜାଗାରେ ଏନ୍ଏସି କାର୍ଯ୍ୟାଳୟର ନୂତନ କୋଠା ନିର୍ମାଣ ପାଇଁ ଗତ ୨୦୨୩ ମେ ୨୪ରେ ଶିଳାନ୍ୟାସ କରାଯାଇଥିଲା । ଶିଳାନ୍ୟାସକୁ ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ହେଁ, ଏନ୍ଏସି କାର୍ଯ୍ୟାଳୟର ନୂତନ କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ । ପ୍ରଶାସନିକ ସ୍ଥାଣୁତା ଯୋଗୁଁ ନୂତନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆଗେଇ ପାରୁ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଯୋଗ୍ୟ ଖଣ୍ଡପଡା ସହରର ଡାକ୍ତରଖାନା ଛକରେ ୩୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଏନଏସି କାର୍ଯ୍ୟାଳୟଟି କାର୍ଯ୍ୟ କରୁଥିଲେ ହେଁ ସମୟାନୁକ୍ରମେ ସ୍ଥାନର ଅଭାବ ଯୋଗୁଁ କର୍ମଚାରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ଏନ୍ଏସି କାର୍ଯ୍ୟାଳୟ ପାର୍ଶ୍ୱସ୍ଥିତ ୨ଟି କ୍ୟାବିନ ଗୃହରେ ଆହାର କେନ୍ଦ୍ରଟି କାମଚଳ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ଏନଏସି କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି । ସେହିପରି ଏନ୍ଏସି କାର୍ଯ୍ୟାଳୟରେ ବେଳକୁ ବେଳ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ, ଆବଶ୍ୟକ ସ୍ଥାନ ଅଭାବରୁ ଦୈନନ୍ଦିନ କାର୍ଯ୍ୟ ତୁଲାଇବାରେ ସମସ୍ୟା ସୃଷ୍ଟି ହେଉଛି । କର୍ମଚାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପ୍ରସ୍ତାବିତ ସ୍ଥାନରେ ଏନଏସି କାର୍ଯ୍ୟାଳୟର ନୂତନ କୋଠା ନିର୍ମାଣ ନିମନ୍ତେ ଶିଳାନ୍ୟାସ କରାଯାଇଥିବା ବେଳେ, ତୁରନ୍ତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ସହରବାସୀ ଦାବି କରିଛନ୍ତି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି । ଖଣ୍ଡପଡ଼ା ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅଧ୍ୟକ୍ଷା ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି ।