ଶତାବ୍ଦୀ ଧରି ଅବହେଳିତ ବୈଶିଙ୍ଗା ହସ୍ପିଟାଲ

 ବୈଶିଙ୍ଗା:   ସ୍ୱାଧୀନତା ପୂର୍ବରୁ ୧୯୨୫ ମସିହାରେ ବୈଶିଙ୍ଗା ଠାରେ ତତ୍କାଳୀନ ମହାରାଜାଙ୍କ ଦ୍ୱାରା ଯେଉଁ ଡାକ୍ତରଖାନା ପ୍ରତିଷ୍ଠା କରାଯାଇଥିଲା, ଶହେ ବର୍ଷ ବିତିଗଲା ପରେ ମଧ୍ୟ ସେହି ପୂର୍ବଭଳି ଆଜବେଷ୍ଟସ୍ ଛପର ଘରେ ସ୍ୱାସ୍ଥ୍ୟ ସେବା ଚାଲିଛି । ପୂର୍ବରୁ ୪ଜଣ ଡାକ୍ତର ସେବା ଯୋଗାଉ ଥିବାବେଳେ ତା ମଧ୍ୟରୁ ଜଣେ ପ୍ରସୂତୀ ସହିତ ଶିଶୁ ବିଶେଷଙ୍କ ସେବା ଦେଉଥିବାର ନଜିର ରହିଛି । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବହୁ ଯୋଜନା ପ୍ରସ୍ତୁତ କରୁଛନ୍ତି ସତ ମାତ୍ର କାର୍ଯ୍ୟକାରୀ ଘରେ ଶୂନ । କେତେ ବିଧାୟକ, ସାଂସଦ, ମନ୍ତ୍ରୀ, ସରପଞ୍ଚ ନିଜର ଦାୟିତ୍ୱ ନିଭାଇ ସାରିଲେଣି କିନ୍ତୁ ଡାକ୍ତରଖାନା ପ୍ରତି କାହାରି ଇଚ୍ଛାଶକ୍ତି ନ ଥିବାର ଜଣାଯାଇଛି । ୨୫ ବର୍ଷର ବିଜେଡି ସରକାରୀ ଦଳର ଗଣ୍ଡା ଗଣ୍ଡା ନେତା ନିର୍ବାଚନ ଆସିଲେ ସବୁ ସମାଧାନ ହୋଇଯିବାର ପ୍ରତିଶ୍ରୁତି ଦିଅନ୍ତି, ମାତ୍ର ତାପରେ ସବୁ ଭୁଲି ଯାଆନ୍ତି । ରାଜ୍ୟର ବିଭିନ୍ନ ସରକାର ଗତ ୭୫ ବର୍ଷ ମଧ୍ୟରେ ରାଜ୍ୟରେ କୋଣ ଅନୁକୋଣରେ କେତେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରିସାରିଲେଣି ସତ କିନ୍ତୁ ବୈଶିଙ୍ଗା ଡାକ୍ତରଖାନାର ନା ରୂପ ପରିବର୍ତ୍ତନ ହୋଇଛି ନା ସ୍ଥାୟୀ ଏବଂ ଅଭିଜ୍ଞ ଡାକ୍ତର ନିଯୁକ୍ତି ହୋଇ ପାରିଛନ୍ତି । ଏହାକୁ ଭିତ୍ତି କରି ଆଞ୍ଚଳିକ ବିକାଶ ପରିଷଦ ଆନୁକୂଲ୍ୟରେ ୨୦୨୩ ଅକ୍ଟୋବର ୨ରୁ ଦଶ ଦିନ ପାଇଁ ଡାକ୍ତରଖାନା  ପାର୍ଶ୍ୱରେ ଏକ ଅନଶନ ଅନୁଷ୍ଠିତ ହୋଇଥିଲା । ଖୁବଶୀଘ୍ର ଏହି ଆଞ୍ଚଳିକ ଡାକ୍ତରଖାନାକୁ  ସିଏଚସି -୨ କରାଯିବା ପାଇଁ ସରକାରୀ ଦଳର ନେତା ମାନଙ୍କ ପ୍ରତିଶ୍ରୁତି ମିଳିବା ଏବଂ ସାଧାରଣ ନିର୍ବାଚନ ପୂର୍ବରୁ ଦେଢ କୋଟି ଟଙ୍କା ଦିଆଯିବାର ସିଦ୍ଧାନ୍ତ ହୋଇଥିଲା  । ମାତ୍ର ସମୟ ଅନୁସାରେ ଦେଢ କୋଟି ଟଙ୍କା ମିଳି ପାରିନଥିଲା । ସାରା ରାଜ୍ୟରେ ଡାକ୍ତର ନିଯୁକ୍ତି ପ୍ରକିୟା ଚାଲିଥିବାବେଳେ ବୈଶିଙ୍ଗା ଡାକ୍ତରଖାନାରେ ଡାକ୍ତର ପଦବୀ ଆଂଶିକ ଭାବେ ପୂରଣ ହୋଇଛି ସତ ମାତ୍ର ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ସହିତ ଅନ୍ୟାନ୍ୟ ଆବଶ୍ୟକତା ପୂରଣ ହୋଇ ପାରିନଥିଲା । ଅତ୍ୟାଧୁନିକ ଯନ୍ତ୍ରପାତି ଥାଇ ମଧ୍ୟ ଟେକ୍ନିସିୟନ ଅଭାବରୁ ଯନ୍ତ୍ର ବ୍ୟବହାର ହୋଇ ପାରୁନାହିଁ । ଦୁଇ ଜଣ ଏମବିବିଏସ ଡାକ୍ତର ସହିତ ଜଣେ ଆୟୁଷ ଡାକ୍ତର ଅଛନ୍ତି । ଇତି ମଧ୍ୟରେ ଭାରତୀୟ ଜନତା ପାର୍ଟିର ନୂଆ ସରକାର ଗଠନ ହେଲା । ବୈଶିଙ୍ଗା ଡାକ୍ତରଖାନାର ଉନ୍ନତି ପାଇଁ ବଡ଼ସାହି ବିଧାୟକ ସନାତନ ବିଜୁଳି ବାରମ୍ୱାର ବିଧାନସଭାରେ ପ୍ରଶ୍ନ ଉତ୍ଥାପନ କରିଥିଲେ । ଶ୍ରୀ ବିଜୁଳିଙ୍କୁ ବଡସାହି ଅଞ୍ଚଳବାସୀ ପୁନର୍ବାର ବିଧାୟକ ଭାବେ ବାଛିବା ଏବଂ ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ବୈଶିଙ୍ଗା ଡାକ୍ତରଖାନାର ଉନ୍ନତିକରଣ ହୋଇ ପାରିବ ବୋଲି ବୈଶିଙ୍ଗା ଅଞ୍ଚଳବାସୀ ଆଶାବାଦୀ ଅଛନ୍ତି । ପନ୍ଦର ମାସ ମଧ୍ୟରେ ବୈଶିଙ୍ଗା ଡାକ୍ତରଖାନାକୁ ଗୋଷ୍ଠୀ ସ୍ନାସ୍ଥ୍ୟକେନ୍ଦ୍ରର ମାନ୍ୟତା ମିଳିବା ପରିବର୍ତ୍ତେ ମୋ ଡାକ୍ତରଖାନା ଯୋଜନାରେ ସାମିଲ କରାଯାଇଥିବା ଖବର ମିଳିଛି । ମାତ୍ର ଆଉ ଏକ ବିଫଳତା ବୈଶିଙ୍ଗା ଅଞ୍ଚଳବାସୀଙ୍କୁ ବ୍ୟଥିତ କରିଛି  । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ଗତ ସାଧାରଣ ନିର୍ବାଚନ ପୂର୍ବରୁ ପାଞ୍ଚ କୋଟି ଟଙ୍କା ବ୍ୟୟରେ ଏକ ଆଉଟଡୋର ସ୍ୱାସ୍ଥ୍ୟସେବା ବିଲ୍ଡିଂ ନିର୍ମାଣ ପାଇଁ ମଞ୍ଜୁରୀ ପାଇବା ପରେ ଦୁଇ ବର୍ଷ ଧରି ମନ୍ଥର ଗତିରେ କାର୍ଯ୍ୟ ଚାଲିଛି । କେବେ ସରିବ ତାର ଠିକ୍ ଠିକଣା ନାହିଁ । ଠିକାଦାର ବାବୁ  ଶ୍ରମିକମାନଙ୍କୁ ମଜୁରୀ ନ ଦେଇ କାର୍ଯ୍ୟ ବନ୍ଦ ରଖିବା ଯୋଗୁଁ ଅସନ୍ତୋଷ ବୃଦ୍ଧି ପାଇଛି । ଏଥିରୁ ସ୍ୱାସ୍ଥ୍ୟ ସେବା ପ୍ରତି ଆମ ସରକାର କେତେ ଚିନ୍ତିତ ତାହା ଅନୁମେୟ କରାଯାଇପାରେ ।