୨ ମାଓବାଦୀ ନିହତ, ବନ୍ଧୁକ ଓ ମାଓ ସାମଗ୍ରୀ ଜବତ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କୋଣ୍ଡାଗାଓ ଜିଲ୍ଲାରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଦୁଇ ଜଣ ଇନାମି ମାଓବାଦୀ ନିହତ ସହ ଅସ୍ତ୍ରଶସ୍ତ୍ର ଜବତ । ସୂଚନା ଅନୁଯାୟୀ କୋଣ୍ଡାଗାଓ ଜିଲ୍ଲାର କିଲମ ଜଙ୍ଗଲ ମଧ୍ୟରେ ମାଓବାଦୀ ମାନେ ଲୁଚି ରହିଥିବା ନେଇ ଗୁଇନ୍ଦା ବିଭାଗକୁ ସୁଚନା ମିଳିଥିଲା । ଯାହାକୁ ଆଧାର କରି ଡିଆରଜି ଓ ସିଆରପିଏଫ ବାହିନୀ ପକ୍ଷରୁ ସେଠାରେ ମାଓ ଦମନ ତଲାସି ଅଭିଯାନ ଆରମ୍ଭ ହୋଇଥିଲା । ଦୀର୍ଘ ସମୟ ଧରି ତଲାସି ଅଭିଯାନ ପରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ମୁହାଁ ମୁହିଁ ହୋଇଥିବା ବେଳେ ମାଓବାଦୀ ମାନେ ଗୁଳି ଚାଳନା ଆରମ୍ଭ କରିଦେଇଥିଲେ । ଏହାର ପ୍ରତି ଉତ୍ତର ଦେଇ ଯବାନ ମାନେ ମଧ୍ୟ ଗୁଳି ଚାଳନା ଆରମ୍ଭ କରିଥିବା ବେଳେ ପ୍ରାୟ ୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଗୁଳି ବିନିମୟ ହେବା ପରେ ମାଓବାଦୀ ମାନେ ଯବାନଙ୍କ ସାମ୍ନା କରିନପାରି ଘଟଣା ସ୍ଥଳରୁ ପଳାୟନ କରିଥିଲେ । ଏହା ପରେ ଯବାନ ମାନେ ଅଞ୍ଚଳରେ ତଲାସି କରିବା ବେଳେ ଘଟଣା ସ୍ଥଳରୁ ଦୁଇ ଜଣ ମାଓବାଦୀଙ୍କ ମୃତ ଦେହ ଠାବ ହୋଇଥିବା ସହ, ଘଟଣା ସ୍ଥଳରୁ ଗୋଟିଏ ଏକେ୪୭ ବନ୍ଧୁକ ସହ ଭାରି ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ମୃତ ଦୁଇ ମାଓବାଦୀ ହେଉଛନ୍ତି ପୂର୍ବ ବସ୍ତର ଡିଭିଜନର ଡିଭିସିଏମ ହଳଧର ଓ ଏସିଏମ ରାମେ । ହଳଧରଙ୍କ ନାମରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ଥିବା ବେଳେ ରାମେଙ୍କ ନାମରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ଏହାପରେ ଅଞ୍ଚଳରେ ବର୍ତ୍ତମାନ ମଧ୍ୟ ତଲାସି ଅଭିଯାନ ଜାରି ରହିଛି ।