୨୦ ପରେ ନିଗମ, ବୋର୍ଡ ଓ  କମିଟି ଘୋଷଣା: ମନମୋହନ

୨୦ ପରେ ନିଗମ, ବୋର୍ଡ ଓ  କମିଟି ଘୋଷଣା: ମନମୋହନ

  ଭୁବନେଶ୍ୱର: ରାଜ୍ୟ ବିଜେପିର ଅନେକ ନେତା ଏବେ ନିଗମ ଓ ବୋର୍ଡ ଅଧ୍ୟକ୍ଷ ପଦ ଆଶାରେ ଅଛନ୍ତି । ଆଉ ୨୦ ତାରିଖ ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ । ତେବେ ବର୍ତ୍ତମାନ ସମୟରେ ନିର୍ଦ୍ଦିଷ୍ଟ ତାରିଖ କହିହେବ ନାହିଁ । ନୂଆଦିଲ୍ଲୀ ଗସ୍ତରୁ ଫେରିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି, ଭାରତୀୟ ଜନତା ପାର୍ଟିର ନିଗମ, ବୋର୍ଡ ଏବଂ କମିଟି ତାଲିକା ଦିଲ୍ଲୀରେ ହୁଏନି ଓଡ଼ିଶାରେ ହୁଏ । ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ସାଂସଦମାନଙ୍କ ସମେତ ଅନ୍ୟ ନେତୃବୃନ୍ଦଙ୍କ ସହ ବୈଠକ ହୋଇଛି । ଦଳୀୟ ନେତାଙ୍କ ସହ ଚର୍ଚ୍ଚା ଆଲୋଚନା ପରେ ନିଷ୍ପତ୍ତି ନିଆଯିବ । ୧୫ କିମ୍ବା ୨୦ ତାରିଖ ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ । ବର୍ତ୍ତମାନ ସମୟରେ ନିର୍ଦ୍ଦିଷ୍ଟ ତାରିଖ କହିହେବ ନାହିଁ । ଏଣେ ସୁଭଦ୍ରା ଟଙ୍କାରେ ଲକ୍ଷପତି ଦିଦି ସୃଷ୍ଟି ସମ୍ପର୍କରେ ବିଜେଡିର ପ୍ରତିକ୍ରିୟା ଉପରେ ଜବାବ ରଖି ମନମୋହନ ସାମଲ କହିଛନ୍ତି ବିଜେଡି ୫ ବର୍ଷ ଅପେକ୍ଷା କରୁ । ଅଧୈର୍ଯ୍ୟ ହେବା ଉଚିତ ନୁହେଁ । ଓଡ଼ିଶା ଲକ୍ଷ ପତି ଦିଦିରେ ଏକ ନମ୍ବର ରାଜ୍ୟ ହୋଇପାରିଛି । ଏହା ସୌଭାଗ୍ୟର ବିଷୟ । ଓଡ଼ିଶାର ମହିଳାମାନେ କଠିନ ପରିଶ୍ରମ କରୁଛନ୍ତି । କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ମହିଳାମାନଙ୍କୁ ବିନା ସୁଧରେ ଋଣ ଦେଉଛନ୍ତି, ଯାହା ଦ୍ୱାରା ଲକ୍ଷପତି ଦିଦି ହେବାର ସମ୍ଭାବନା ବଢ଼ିଛି । ସୁଭଦ୍ରା ମହିଳାଙ୍କୁ ସ୍ୱାବଲମ୍ବୀ ହେବାର ସୁଯୋଗ ଦେଇଛି, ମନରେ ଆତ୍ମବିଶ୍ୱାସ ବଢ଼ାଇଛି ।