୨୩ରୁ ଖୋଲିବ ଧାନମଣ୍ଡି : ଶୁଭାରମ୍ଭ ହେଲା ୨ଟି ସଚେତନତା ରଥ
ଛତ୍ରପୁର : ହିଞ୍ଜିଳିକାଟୁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ୨ ଟି ସଚେତନତା ରଥର ଶୁଭାରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ, ଛତ୍ରପୁର ଉପଜିଲ୍ଲାପାଳ ତଥା ନିୟନ୍ତ୍ରିତ ବଜାର କମିଟିର ଅଧ୍ୟକ୍ଷ ଶିବାଶିଷ ବରାଳ ସବୁଜ ପତାକା ଦେଖାଇ ଉକ୍ତ ୨ ରଥର ଶୁଭାରମ୍ଭ କରିଛନ୍ତି । ଆସନ୍ତା ୨୩ ତାରିଖରୁ ଧାନମଣ୍ଡି ଖୋଲିବ । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପଞ୍ଜିକୃତ ଚାଷୀଙ୍କଠାରୁ ଚଳିତ ଖରିଫ ୨୦୨୫ - ୨୬ ର ମଣ୍ଡିରୁ ଧାନ ସଂଗ୍ରହ ହେବ । ଚଳିତ ବର୍ଷ ସର୍ବନିମ୍ନ ସହାୟକ ମୂଲ୍ୟ ଓ ଇନପୁଟ୍ ସହାୟତା ମିଶାଇ କ୍ୱିଣ୍ଟାଲ ପିଛା ଚାଷୀ ୩୧୦୦ ଟଙ୍କା ପାଇବେ । ଏହାକୁ ନେଇ ଆଜି ୨ଟି ମଣ୍ଡି ପ୍ରଚାର ରଥ ଶୁଭାରମ୍ଭ ହୋଇଛି ।
ଉକ୍ତ ପ୍ରଚାର ରଥଗୁଡ଼ିକ ଉପଖଣ୍ଡର ବିଭିନ୍ନ ଗ୍ରାମ ପରିକ୍ରମା କରି ଚଳିତ ବର୍ଷର ଧାନ ଓ ମାଣ୍ଡିଆ କିଣା ବାବଦରେ ଚାଷୀମାନଙ୍କୁ ସଚେତନ କରିବ । ଏଥିସହ ଚାଷୀମାନେ ଟୋଲ୍ ଫ୍ରି ନମ୍ବର ୧୯୬୭କୁ କଲ୍ କରି ସମସ୍ତ ତଥ୍ୟ ହାସଲ କରିପାରିବେ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଚଳିତ ବର୍ଷ ମାଣ୍ଡିଆ କୁଇଣ୍ଟାଲ ପିଛା ଏମଏସପି ୪୮୮୬ ଟଙ୍କା ରହିଛି । ଜିଲାର ୧୧ଟି ବ୍ଲକରୁ ପଞ୍ଜିକରଣ ଚାଷୀଙ୍କ ଠାରୁ ମାଣ୍ଡିଆ କ୍ରୟ କରାଯିବ । ଆସନ୍ତା ୨୬ ତାରିଖ ଠାରୁ ମାଣ୍ଡିଆ ମଣ୍ଡି ଆରମ୍ଭ ହେବ, ଏହିଥର ୩୬ ହଜାର କୁଇଟାଂଲ ମାଣ୍ଡିଆ ସଂଗ୍ରହ କରାଯିବାର ଲକ୍ଷ୍ୟଧାର୍ଯ୍ୟ ରହିଛି । ଅନ୍ନ ଅଭିଯାନ ସରକାରଙ୍କ ମଣ୍ଡିରେ ଚାଷୀଙ୍କ ଠାରୁ ମାଣ୍ଡିଆ କ୍ରୟ କରାଯିବ । ଏନେଇ ଜିଲ୍ଲା ସ୍ତରୀୟ ମାଣ୍ଡିଆ କ୍ରୟ କମିଟିରେ ବିଭିନ୍ନ ଉପରେ ସମୀକ୍ଷା କରାଯାଇଛି, ମଣ୍ଡିରେ ଚାଷୀଙ୍କୁ ଯେପରି କୈାଣସି ଅସୁବିଧା ହେବନାହିଁ ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି ମଧ୍ୟ ଜିଲ୍ଲାପାଳ କହିଥିଲେ । ଏହି ଅବସରରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଅଜୟ କୁମାର କର, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ରାଉତରାୟ, ଇନଚାର୍ଜ ଏଆରସିଏସ ଏସକେ. ମହାରଣା, ହିଞ୍ଜିଳିକାଟୁ ନିୟନ୍ତ୍ରଣ ବଜାର କମିଟି ସମ୍ପାଦକ ବିନାୟକ ବିଶ୍ୱାଳଙ୍କ ସମେତ ଯୋଗାଣ ଏବଂ ଆରଏମସି ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।