ଦୋକାନରୁ ଚୋରି, ୧ ଗିରଫ

 ହିଞ୍ଜିଳିକାଟୁ  : ଗ୍ରାହକ ସାଜି ଆସୁଥିଲେ  । ସୁବିଧା ସୁଯୋଗ ଉଣ୍ଡି ଦୋକାନ କ୍ୟାସବକ୍ସରୁ ଲୁଟି ନେଉଥିଲେ । ଚୋରୀ ଯୁବକ ଜଣଙ୍କ ଗତ ୨ ଥର ଲୁଟ୍ କରି ଚମ୍ପଟ ମାରିବାରେ ସକ୍ଷମ ହେଉଥିବା ବେଳେ ତୃତୀୟ ଥର ଦୋକାନ ମାଲିକଙ୍କ ହାବୁଡ଼ରେ ପଡିଥିଲେ । ସ୍ଥାନୀୟ ବ୍ୟବସାୟୀ କାବୁ କରାଯାଇଥିବା ଚୋରଙ୍କୁ ଧରି ହିଞ୍ଜିଳି ଥାନାକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି କାବୁ କରାଯାଇଥିବା ଲୁଟେରାଙ୍କୁ ଗିରଫ କରିଛି । ଗିରଫ ଜଣଙ୍କ ହେଲେ ହିଞ୍ଜିଳି ଥାନା ଚାନ୍ଦୁଲି ଗ୍ରାମର ହରି ଦାସ (୫୦) । ଚାନ୍ଦୁଲି ଗ୍ରାମର ହରି ଗତ ୧୫ ଦିନ ପୂର୍ବେ ହିଞ୍ଜିଳିକାଟୁ ପୈାରାଞ୍ଚଳ ମିନି ଷ୍ଟାଡିୟମ ସମ୍ମୁଖରେ ଥିବା ସିମାଞ୍ଚଳ ପାତ୍ରଙ୍କ ଟାୟାର ଦୋକାନକୁ ଗ୍ରାହକ ଭାବେ ଆସିଥିଲେ । ଭିନ୍ନ ଭିନ୍ନ ଟାୟାର ମୂଲ୍ୟ ବୁଝିବା ପରେ କୌଶଳ କରି ଦୋକାନ କ୍ୟାସବକ୍ସରୁ ୧୧ ହଜାର ୫ ଶହ ଟଙ୍କା ଲୁଟି ନେଇ ଚମ୍ପଟ ମାରିଥିଲେ । ପୁଣିଥରେ ସୋମବାର ଅପରାହ୍ନରେ ସେହି ଦୋକାନକୁ ଆସି ୩ ହଜାର ୫ ଶହ ଟଙ୍କା ଲୁଟି ଫେରାର ହେବାରେ ସକ୍ଷମ ହୋଇଥିଲେ । ୨ ଥର ଦୋକାନକୁ ଚୋରୀ ହେବା ପଛରେ ଦୋକାନୀ ମାଲିକ ସନେ୍ଦହ କରି ଦୋକାନରେ ସିସିଟିଭି କ୍ୟାମେରା ସଂଯୋଗ କରିଥିଲେ । ଶୁକ୍ରବାର ସକାଳେ ହରି ପୁଣିଥରେ ସିମାଞ୍ଚଳଙ୍କ ଦୋକାନକୁ ଆସି କ୍ୟାସବକ୍ସରୁ ଟଙ୍କା ଚୋରୀ କରୁଥିବା ବେଳେ ହଠାତ୍ ଦୋକାନ ମାଲିକ ଓ ନିକଟସ୍ଥ ଅଞ୍ଚଳର କିଛି ବ୍ୟବସାୟୀ କାବୁ କରିନେଇଥିଲେ । ସିସିଟିଭି ଫୁଟେଜରୁ ଚୋରୀ କରୁଥିବା ସ୍ପଷ୍ଟ ହେବାପରେ ପୁଲିସକୁ ଖବର ଦେଇଥିଲେ । ଏ ନେଇ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି । ଶନିବାର ଗିରଫ ହରିଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି ।