୨୩ରୁ ମହିଳା କ୍ରିକେଟ ମହାକୁମ୍ଭ 

 ବଲାଙ୍ଗୀର: ଓଡ଼ିଶା ମହିଳା କ୍ରିକେଟରେ ପ୍ରାଧାନ୍ୟ ବିସ୍ତାର କରିଥିବା ବଲାଙ୍ଗୀର ଏ ଦିଗରେ ଆଉ ଏକ ପାଦ ଆଗେଇଛି । ଆସନ୍ତା ଫେବୃଆରୀ ୨୩ ଓ ୨୪ ଦୁଇଦିନ ଧରି ଗାନ୍ଧି ଷ୍ଟାଡିୟମରେ ଓଡିଶାର ବହୁ ଶ୍ରେଷ୍ଠ ମହିଳା କ୍ରିକେଟର ଏକାଠି ହେବେ । ସ୍ଥାନୀୟ ଅଗ୍ରଣୀ ମହିଳା ସଂଗଠନ ନାରୀଶକ୍ତି ଫାଉଣ୍ଡେସନ୍ ଆନୁକୂଲ୍ୟରେ ତଥା ଜିଲ୍ଲା କ୍ରିଡାସଂସଦ ସହଯୋଗରେ ଦୁଇଦିନ ଧରି ଏକ ରାଜ୍ୟସ୍ତରୀୟ ମହିଳା ଟି-୨୦ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଛି । ଏଥିରେ ଆୟୋଜକ ବଲାଙ୍ଗୀର ଏକାଦଶ, ଭୁବନେଶ୍ୱରର ଦୁଇଟି ଦଳ ଓ ରାଉରକେଲାର ଗୋଟିଏ ଦଳ ଭାଗ ନେବେ । ଉଭୟ ଦିନ ସକାଳ ୯ଟାରୁ ଆରମ୍ଭ ହେବାକୁ ଥିବା ଏହି ଦିବସବ୍ୟାପୀ ନକ୍-ଆଉଟ ଟୁର୍ଣ୍ଣାମେଣ୍ଟ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହେବା ଆଶା କରାଯାଉଛି । ବିଜେତା, ଉପବିଜେତା, ଶ୍ରେଷ୍ଠ ଖେଳାଳି, ଶ୍ରେଷ୍ଠ ବ୍ୟାଟର, ଶ୍ରେଷ୍ଠ ବୋଲର ଆସି ବିଭିନ୍ନ ଆକର୍ଷଣୀୟ ପୁରସ୍କାର ରହିଥିବା ନେଇ ଫାଉଣ୍ଡେସନ୍ର ସଂପାଦିକା ନୂତନ ଦାସ ସୂଚନା ଦେଇଛନ୍ତି ।  ସୂଚନାଯୋଗ୍ୟ, ଓଡ଼ିଶାର କ୍ରୀଡା ମାନଚିତ୍ରରେ, ବିଶେଷ କରି ମହିଳା କ୍ରିକେଟରେ ବଲାଙ୍ଗୀରର ସ୍ୱତନ୍ତ୍ର ପରିଚୟ ରହିଛି । ଓଡ଼ିଶାର ପ୍ରଥମ ଦୁଇଜଣ ମହିଳା କ୍ରିକେଟର ଭାବେ ମାଧୁରୀ ମେହେଟ୍ଟା ଓ ପରେ ପରେ ରୋସନାରା ପରୱିନ ଅତୀତରେ ଏକାଧିକ ଥର ଜାତୀୟ ସିନିୟର କ୍ରିକେଟ ଦଳର ପ୍ରତିନିଧିତ୍ୱ କରିଥିବା ବେଳେ ସରିତା ମେହେର ପୂର୍ବାଞ୍ଚଳ ସିନିୟର ଜୋନାଲ ଦଳର ପ୍ରତିନିଧିତ୍ୱ କରିଛନ୍ତି । ମାଧୁରୀ ମଧ୍ୟ କିଛିକାଳ ରାଜ୍ୟ ଦଳର ଅଧିନାୟିକା ରହିବା ସହ ଦେଶର ଅନ୍ୟତମ ପ୍ରମୁଖ ବ୍ୟାଟର ଭାବେ ଘରୋଇ କ୍ରିକେଟ ଋତୁରେ କ୍ରମାଗତ ସର୍ବାଧିକ ରନ୍-ସ୍କୋରର ତାଲିକାର ଶୀର୍ଷସ୍ଥାନମାନଙ୍କରେ ରହିଆସୁଛନ୍ତି । ଗତ ପ୍ରାୟ ଦେଢଦଶନ୍ଧି ଧରି ଓଡ଼ିଶା ସିନିୟର ଏକାଦଶରେ ବଲାଙ୍ଗୀର ଦଳର ୫-୬ ଜଣ ଖେଳାଳି ନିୟମିତ ସ୍ଥାନ ପାଇଆସୁଛନ୍ତି । ବଲାଙ୍ଗୀର ମଧ୍ୟ ଅନ୍ତଃଜିଲ୍ଲା ସିନିୟର ମହିଳା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଡିଫେଣ୍ଡିଙ୍ଗ ଚାମ୍ପିଅନ । ବିଭିନ୍ନ କନିଷ୍ଠ ବର୍ଗରେ ମଧ୍ୟ ବହୁ ସଂଖ୍ୟାରେ ବାଳିକାମାନେ ଉତ୍ତମ ପ୍ରଦର୍ଶନ କରିଆସୁଥିବାରୁ ଆଗକୁ ମଧ୍ୟ ମହିଳା କ୍ରିକେଟରେ ବଲାଙ୍ଗୀରର ପ୍ରାଧାନ୍ୟ ଅବ୍ୟାହତ ରହିବା ନେଇ ଡିଏଏ ସାଧାରଣ ସଂପାଦକ ହରିନାରାୟଣ ପୂଜାରୀ ଓ ମହିଳା କ୍ରିକେଟ ପ୍ରଶିକ୍ଷକ ଅରୁଣ ନାଏକ ଆଶାପ୍ରକାଶ କରିଛନ୍ତି । ବଲାଙ୍ଗୀର ମହିଳା କ୍ରିକେଟର ଏହି ଉଜ୍ଜଳ ପରମ୍ପରାକୁ ଅକ୍ଷୁଣ୍ଣ ରଖିବା ପାଇଁ କ୍ରିକେଟପ୍ରେମୀମାନେ ବହୁସଂଖ୍ୟାରେ ଏହି ଟୁର୍ଣ୍ଣାମେଣ୍ଟ ଦେଖିବାକୁ ଉଭୟ ଦିନ ଷ୍ଟାଡିୟମ ଆସନ୍ତୁ ବୋଲି ସେମାନେ ନିବେଦନ କରିଛନ୍ତି ।