୨୯ ଲକ୍ଷର ବିହନ ଜବତ
ନବରଙ୍ଗପୁର : ନବରଙ୍ଗପୁର କୃଷି ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ନିରୀକ୍ଷଣ ଟିମ୍ ଉମରକୋଟ ନିକଟସ୍ଥ ଟିକାଲପଦରରେ ଚଢ଼ଉ କରିଥିଲେ । ରାଇଘରର ଦେବବ୍ରତ ବରୋଇ, ଅଧିକୃତ ବିହନ ବିକ୍ରେତା ଜୟଗୁରୁ ପେଷ୍ଟିସାଇଡ୍ସଙ୍କ ଚିକଲପଦର ଠାରେ ଏକ ଅନଧିକୃତ ଗୋଦାମରେ ୨୭୦ ବସ୍ତା ଶଙ୍କର ଜାତୀୟ ଧାନ ଓ ମକା ବିହନ ଦେଖିବାକୁ ମିଳିଛି । କମ୍ପାନୀର ଆଗ୍ରିଭେରୋ ବାୟୋଟେକ୍ ପ୍ରାଇଭେଟ୍ ଲିମିଟିଡ୍ ଜେନେକ୍ସ ଏହି ବିହନ ନିମନ୍ତେ କୌଣସି ଅନୁମତି ପତ୍ର ଦୋକାନୀଙ୍କୁ ପ୍ରଦାନ କରିନାହାନ୍ତି । ଯେହେତୁ ଚିକଲପଦର ଗୋଦାମ ନିମନ୍ତେ ସରକାର କୌଣସି ଅନୁମତି ପ୍ରଦାନ କରିନାହାନ୍ତି ଏବଂ ବିହନଗୁଡିକ ଗଛିତ କିମ୍ବା ବିକ୍ରୟ ନିମନ୍ତେ କୌଣସି ସରକାରୀ ଅନୁମତି ନାହିଁ । ତେଣୁ ଏହି ୨୭୦ ବସ୍ତା ବିହନକୁ ଜବତ କରି ଗୋଦାମ ଘରଟିକୁ ସିଲ୍ କରାଗଲା । ଜବତ କରାଯାଇଥିବା ୨୪୦ ବସ୍ତା ଶଙ୍କର କିସମ ଧାନ ଓ ୩୦ବସ୍ତା ଶଙ୍କର କିସମ ମକାର ଆନୁମାନିକ ମୂଲ୍ୟ ପ୍ରାୟ ୨୯ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏହି ଚଢଉ ସମୟରେ ମୌସୁମୀ ସଜ୍ଜନ, ଅତିରିକ୍ତ ତହସିଲଦାର ଏବଂ ମାଜଷ୍ଟ୍ରେଟ୍ ଅନିଲ ପ୍ରହରାଜ, କୃଷି ଜିଲ୍ଲା ଅଧିକାରୀ, ପ୍ରଣୟ ମନ୍ତ୍ରୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରତିନିଧି ସନ୍ତୋଷ ନାଏକ, ବ୍ଲକ କୃଷି ଅଧିକାରୀ ସୁନିତା ସିଂ, ବିହନ ନିରୀକ୍ଷକ ପ୍ରଶାନ୍ତ ବାଗ, ସହକାରୀ କୃଷି ଅଧିକାରୀ, ପୋଲିସ ଏବଂ ଅନ୍ୟାନ୍ୟ କୃଷି ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ ।