୩.୧୯ ଲକ୍ଷରୁ ଊଦ୍ଧ୍ୱର୍ ଚାଷୀଙ୍କୁ ମିଳିଲା ସିଏମ୍ କିଷାନ ଟଙ୍କା

  ଛତ୍ରପୁର : ଚାଷୀଙ୍କୁ ନୂଆଁଖାଇ ଭେଟି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରଙ୍କ ସିଏମ୍-କିଷାନ ଯୋଜନାର ତୃତୀୟ କିସ୍ତି ପ୍ରଦାନ କରିଛନ୍ତି । ଓୟୁଏଟି ସ୍ଥିତ କୃଷିଶିକ୍ଷା ସଦନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଏମ୍ କିଷାନର ତୃତୀୟ କିସ୍ତି ପ୍ରଦାନ କରିଛନ୍ତି । ଏହାଦ୍ୱାରା ଓଡିଶାର ୫୨ ଲକ୍ଷ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଉପକୃତ ହୋଇଛନ୍ତି । ଏହି ଅବସରରେ ଗଞ୍ଜାମ ଜିଲ୍ଲାର ୩ ଲକ୍ଷ ୧୩ ହଜାର ୩୫୧ ଜଣ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଏବଂ ୬ହଜାର ୯୮ଜଣ ଭୂମିହୀନ କୃଷକ ପରିବାର ପାଇଲେ ସହାୟତା ରାଶି । ସମୁଦାୟ ୩ ଲକ୍ଷ ୧୯ ହଜାର ୪୪୯ ଜଣକ ଖାତାକୁ ଗଲା ସିଏମ୍ କିଷାନ ଟଙ୍କା । ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଋଷି କୂଲ୍ୟା ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ  ପୂତ୍ତ, ଆଇନ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗ କହିଛନ୍ତି, ରାଜ୍ୟକୁ ଏକ କୃଷି କ୍ଷେତ୍ରରେ ପରିଣତ କରିବାକୁ ହେଲେ ଜିଲ୍ଲାର ପ୍ରମୁଖ ଭୂମିକା ରହିଛି, ବିକଶିତ ଭାରତ ବିକଶିତ ଓଡିଶା ଲକ୍ଷ୍ୟ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନେକ ଗୁଡିଏ ଯୋଜନା କରିଛନ୍ତି । ଚାଷୀ ହସିଲେ ରାଜ୍ୟ ହସିବ, ଚାଷୀଙ୍କ ଅଭାବକୁ ଦୂର କରିବା ପାଇଁ ଏହି ସରକାର ପ୍ରତିଶୃତିବଦ୍ଧ  ବୋଲି ମନ୍ତ୍ରୀ ମତପ୍ରକାଶ କରିଛନ୍ତିି । କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ସ୍ୱାଗତ ଭାଷଣ ଦେବା ସହ ଆଜି ଏହା ଏକ ଯୁଗାନ୍ତକାରୀ ଯୋଜନା ଯାହାଦ୍ୱାରା ଚାଷୀମାନେ ବେଶ ଉପକୃତ ହୋଇ ପାରିବେ ବୋଲି କହିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା, ଖଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠି, କବି ସୂର୍ଯ୍ୟ ନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଓ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ଜିଲ୍ଲା ପରିଷଦର ଭାରପ୍ରାପ୍ତ ସିଡିଓ ବିଜୟ କୁମାର ବେହେରା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅଜୟ କୁମାର କର ପ୍ରମୁଖ ମଞ୍ଚାସୀନ ରହିଥିଲେ । ସେହିପରି ଚାଷୀ, ଚାଷୀଙ୍କ ପ୍ରତିନିଧି, ବିଭାଗୀୟ ଅଧିକାରୀ ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଏଲଇଡି ମାଧ୍ୟମରେ ଦେଖିଥିଲେ ।