୪ ବର୍ଷରେ ୧୬୮ ନକଲି ଔଷଧ ଜବତ : ୩୮୮ ଔଷଧ ନିମ୍ନମାନର 

୪ ବର୍ଷରେ ୧୬୮ ନକଲି ଔଷଧ ଜବତ : ୩୮୮ ଔଷଧ ନିମ୍ନମାନର 

ଭୁବନେଶ୍ୱର : କ୍ଷୀରଠୁ ତେଲ ଯାଏଁ ସବୁ ନକଲି । ପରିବାଠୁ ରାସନ୍‌ ଯାଏଁ ବିଷ ଭରିରହିଛି । ତେବେ ଏହାଠାରୁ ଅତି ଭୟଙ୍କର ହେଉଛି ନକଲି ବା ଅପମିଶ୍ରିତ ଔଷଧ । ଗତ ୪ ବର୍ଷ ମଧ୍ୟରେ ୧୬୮ ବିଷାକ୍ତ ବା ନକଲି ଔଷଧ ଚିହ୍ନଟ କରାଯାଇଛି । ଖାଲି ସେତିକିନୁହେଁ ୩୮୮ ଔଷଧର ଗୁଣାତ୍ମକ ମାନ ବି ନାହିଁ । ଯାହା ଏବେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ୨୦୨୧-୨୨ରେ ୮୩ଟି ନିମ୍ନମାନର ଔଷଧ ଚିହ୍ନଟ କରାଯାଇଥିଲା । ସେହିପରି ସେହିବର୍ଷ ୭୯ଟି ଔଷଧ ନକଲି ହୋଇଥିବା ଜଣାପଡ଼ିଥିଲା । ୨୦୨୨-୨୩ରେ ୧୫୬ ପ୍ରକାରର ନିମ୍ନମାନର ଓ ୬୪ ପ୍ରକାରର ନକଲି ଔଷଧ ଜବତ କରାଯାଇଥିଲା । ଯେତେବେଳେକି ୨୦୨୩-୨୪ରେ ୬୯ ଔଷଧ ନିମ୍ନମାନର ହୋଇଥିବା ପରୀକ୍ଷଣରୁ ଜଣାପଡ଼ିଥିବାବେଳେ ୧୪ ଔଷଧ ବିଷାକ୍ତ ଥିଲା । ଏତଦ୍‌ବ୍ୟତୀତ ୨୦୨୪-୨୫ରେ ୮୦ ପ୍ରକାରର ଔଷଧ ନିମ୍ନମାନର ଓ ୧୧ ପ୍ରକାରର ଔଷଧ ନକଲି ଥିବା ଜଣାପଡ଼ିଥିଲା । ଏହିସବୁ ଔଷଧ ଜବତ କରାଯାଇଛି । ୨୦୨୧-୨୨ରେ କୋଟିଏ ଟଙ୍କାର, ୨୦୨୨-୨୩ରେ କୋଟିଏ ଟଙ୍କାର, ୨୦୨୩-୨୪ରେ ୩୮ ଲକ୍ଷ ଟଙ୍କା ଓ ୨୦୨୪-୨୫ରେ ୮୬ ଲକ୍ଷ ଟଙ୍କାର ଔଷଧ ଜବତ ହୋଇଛି ।