୨୦୨୭ ହାଇସ୍କୁଲ ପରୀକ୍ଷା : ଆଜିଠୁ ନବମ ପିଲାଙ୍କ ପଞ୍ଜୀକରଣ

୨୦୨୭ ହାଇସ୍କୁଲ ପରୀକ୍ଷା : ଆଜିଠୁ ନବମ ପିଲାଙ୍କ ପଞ୍ଜୀକରଣ

କଟକ : ୨୦୨୭ ମସିହା ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଦେବା ପାଇଁ ଯୋଗ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କ ନାମ  ପଞ୍ଜୀକୃତ ହେବ । ଏହି ପଞ୍ଜୀକରଣ ପ୍ରକ୍ରିୟା ଗତବର୍ଷ ପରି ଅନଲାଇନ ମାଧ୍ୟମରେ ହେଉଥିବାରୁ ସମସ୍ତ ବିଦ୍ୟାଳୟ ମୁଖ୍ୟ, ସଂପୃକ୍ତ ଜିଲ୍ଲା ଶିକ୍ଷାଅଧିକାରୀଙ୍କ ସହାୟତାରେ ଏହି କାର୍ଯ୍ୟକୁ ଶେଷ କରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ବୋଡର଼୍ ପକ୍ଷରୁ ସୂଚନା ଦିଆଯାଇଛି । ପଞ୍ଜୀକରଣ ଆଜିଠାରୁ ଆରମ୍ଭ ହୋଇ ୧୭ ଡିସେମ୍ବର ରାତ୍ର ୧୧ଟା ୪୫ ମିନିଟ ସୁଦ୍ଧା ସଂପନ୍ନ ହେବ । ଏହି ଦିବସମାନଙ୍କରେ ଉକ୍ତ ପ୍ରକ୍ରିୟା ଅନବରତ ଚାଲୁ ରହିବ । ପ୍ରତ୍ୟେକ ପିଲାପାଇଁ ୬୦ଟଙ୍କା ହିସାବରେ ପଞ୍ଜୀକରଣ ଫିସ ଅନଲାଇନ ମାଧ୍ୟମରେ ଦାଖଲ କରାଯିବ । ସ୍କୁଲର ରେଗୁଲାର ଛାତ୍ରଛାତ୍ରୀଙ୍କ ସହିତ କ୍ୱାସି ରେଗୁଲାର ଛାତ୍ରଛାତ୍ରୀଙ୍କର ମଧ୍ୟ ପଞ୍ଜୀକରଣ ପ୍ରକିୟା ଏହି ସମୟ ମଧ୍ୟରେ ଅନୁଷ୍ଠିତ ହେବ । ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲମାନଙ୍କରେ ପଢୁଥିବା ଏସସି/ଏସଟି ବର୍ଗର ରେଗୁଲାର ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ନିମନ୍ତେ  କୌଣସି ଶୁଳ୍କ ଲାଗିବ ନାହିଁ । 


      ପଞ୍ଜୀକରଣ ସଂର୍ପକିତ ସମସ୍ତ ତଥ୍ୟ ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟରେ ଉପଲବ୍ଧ ହେବ । ଏହି ନିର୍ଦ୍ଦେଶାବଳୀକୁ ଭଲ ଭାବେ ପଢ଼ି ପଞ୍ଜୀକରଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ବୋଡର଼୍ ପକ୍ଷରୁ ସୂଚନା ଦିଆଯାଇଛି । ପଞ୍ଜୀକରଣ କରିସାରିବା ପରେ ଡେସକ୍ରିପଟିଭ ରୋଲ ସିଟକୁ ଡାଉନଲୋଡ଼ କରି ସଂପୃକ୍ତ ବୋଡର଼୍ର ଶାଖା କାର୍ଯ୍ୟାଳୟରେ ଦାଖଲ କରିବେ । ଯେଉଁ ଛାତ୍ରଛାତ୍ରୀମାନେ ଏହି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ନାମ ପଞ୍ଜୀକୃତ କରିପାରିନଥିବେ, ସେମାନେ ସ୍କୁଲ ରେଗୁଲାର ବା କ୍ୱାସି ରେଗୁଲାର ହିସାବରେ ୨୦୨୭ରେ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଦେଇପାରିବେ ନାହିଁ । ଏହି କ୍ଷେତ୍ରରେ ସେମାନେ ପରିଷଦ ଦ୍ୱାରା ପରିଚାଳିତ କରେସପୋଣ୍ଡେଟ୍‌ କୋର୍ସରେ ନାମ ପଞ୍ଜୀକୃତ କରି ପରୀକ୍ଷା ଦେବା ପାଇଁ ଯୋଗ୍ୟ ବିବେଚିତ ହେବେ । ଯେଉଁ ବିଦ୍ୟାଳୟଗୁଡ଼ିକ କ୍ୱାସି ରେଗୁଲାର ହିସାବରେ ପରୀକ୍ଷା ଦେବା ପାଇଁ ଯୋଗ୍ୟ, ସେମାନଙ୍କୁ ପରିଷଦର ଶାଖା କାର୍ଯ୍ୟାଳୟର ଉପସଂପାଦକମାନେ ନିକଟବର୍ତ୍ତୀ ଏକ ସ୍ୱୀକୃତିପ୍ରାପ୍ତ ସ୍କୁଲ ଦ୍ୱାରା ପଞ୍ଜୀକୃତ ହେବା ପାଇଁ ଲିଖିତ ନିର୍ଦ୍ଦେଶ ଦେବେ । ନାମ ପଞ୍ଜୀକରଣ ପାଇଁ ଲିଙ୍କ “ଡବ୍ଲୁଡବ୍ଲୁଡବ୍ଲୁ.ବିଏସଇଓଡ଼ିଶା.ଏସି.ଇନ” ରେ ଉପଲବ୍ଧ ହେବ ବୋଲି ବୋଡର଼୍ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ବୋଡର଼୍ ସଂପାଦକ ସୂଚନା ଦେଇଛନ୍ତି ।