"ଓଡ଼ିଶାରେ କେହି ରହିବେନି ଭୂମିହୀନ'
ଭୁବନେଶ୍ୱର : ଓଡିଶାରେ କେହିବି ଭୂମିହୀନ ରହିବେ ନାହିଁ । ଯେଉଁମାନଙ୍କର ୪ ଡେସିମିଲରୁ କମ ଜମି ଅଛି, ସେମାନଙ୍କୁ ବି ଭୂମିହୀନ ଭାବେ ଗଣାହେବେ । ସରକାର ସେମାନଙ୍କୁ ଜମି ଯୋଗାଇ ଦେବେ । ରାଜ୍ୟସ୍ତରୀୟ ରାଜସ୍ୱ ଅଧିକାରୀ ସମ୍ମିଳନୀରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶାସନ-ପ୍ରଶାସନ ବ୍ୟବସ୍ଥାରେ ତହସିଲଦାରମାନେ ହେଉଛନ୍ତି ଆମ ରାଜସ୍ୱ ପ୍ରଶାସନର ମେରୁଦଣ୍ଡ । ଏଣୁ ଆପଣ ସମସ୍ତେ ଲୋକଙ୍କ ଅଭିଯୋଗ ଶୁଣନ୍ତୁ । ତାହାର ତ୍ୱରିତ ସମାଧାନ ପାଇଁ ଚେଷ୍ଟା କରନ୍ତୁ । ଆପଣଙ୍କ ଅଫିସ୍ ଲୋକଙ୍କ ପାଇଁ ଭୟର ନୁହେଁ, ବିଶ୍ୱାସର ସ୍ଥାନ ହେଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଲୋକଙ୍କ ସରକାର ହିସାବରେ ଲୋକ ଏବଂ ସରକାରଙ୍କ ବ୍ୟବଧାନ କମାଇବା ଦରକାର । ନ୍ୟାୟ ପ୍ରଦାନ କରିବା ଆମର ପ୍ରଥମ କର୍ତ୍ତବ୍ୟ । ବାତ୍ୟା ‘ଦାନା’ର ସଫଳ ମୁକାବିଲାରେ ଆମେ ସକ୍ଷମ ହୋଇଛୁ । ୮.୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବାବେଳେ ବାତ୍ୟାରେ ଜଣେବି ମୃତୁ୍ୟବରଣ କରିନାହାନ୍ତି ।
ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଆପଣମାନେ ସରକାରର ପ୍ରତିନିଧି ଭାବରେ ଗାଁ ଓ ଗ୍ରାମବାସୀଙ୍କୁ ସମୟରେ ଓ ନ୍ୟାୟସଙ୍ଗତ ସେବା ଦେବା ପାଇଁ ତତ୍ପର ହେବା ଆବଶ୍ୟକ ଅଛି । ଯେଉଁମାନେ ଦୀର୍ଘଦିନ ଧରି ବଞ୍ଚିତ ଓ ଅବହେଳିତ – ସେମାନେ ହେଉଛନ୍ତି ସରକାରଙ୍କ ପ୍ରଥମ ପ୍ରାଥମିକତା । ବହୁତ ମୂଲ୍ୟବାନ ସରକାରୀ ଜମି ଜବରଦଖଲରେ ଅଛି । ସେହି ସରକାରୀ ଜମିକୁ ଆପଣ ଜବରଦଖଲମୁକ୍ତ କରି ତାହାର ସୁରକ୍ଷା କରନ୍ତୁ । ସମୟ ସୀମା ମଧ୍ୟରେ ଦାଖଲ ଖାରଜ ମାମଲା ଓ ଅନ୍ୟାନ୍ୟ ଜମିଜମା ମାମଲାର ତ୍ୱରିତ ଫଇସଲା କରନ୍ତୁ ।
ଜମିଜମା ସଂକ୍ରାନ୍ତୀୟ ମାମଲା ବିଚାର କଲାବେଳେ ସଂପୂର୍ଣ୍ଣ ସ୍ୱଚ୍ଛତା ସହିତ କରିବେ । ସେ କହିଥିଲେଯେ, ଜନଜାତି ଏବଂ ଅନୁସୂଚିତ ଜାତିଙ୍କ ଜମି କିଣା ବିକାରେ ଅନେକ ସମୟରେ ଅନିୟମିତତା ଦେଖାଯାଇଥାଏ । ଏହି କିଣାବିକା ତହସିଲଦାରଙ୍କ ଅଗୋଚରରେ ହେବା ପ୍ରାୟତଃ ଅସମ୍ଭବ । ତେଣୁ, ଏହି ସମ୍ବନ୍ଧୀୟ ସବୁ ବିବାଦ, କିଣାବିକାରେ ସାମାନ୍ୟତମ ବ୍ୟତିକ୍ରମ ହେବା ଉଚିତ ନୁହେଁ । ଯଦି ଜ୍ଞାତସରରେ କିଛି ତ୍ରୁଟି ହୁଏ, ଏହାର ପରିଣାମ ସେହି ଅଧିକାରୀ ଭୋଗିବେ । ଏଥିରେ ସରକାରଙ୍କ ‘ଶୂନ୍ୟ ସହନଶୀଳତା’ ଅଛି । ପାଣିପାଗ ବିଭାଗଦ୍ୱାରା ଜାରି ପାଣିପାଗ ସୂଚନାକୁ ନିୟମିତ ଭାବେ ଅନୁସରଣ କରନ୍ତୁ । ନଭେମ୍ବର ପର୍ଯ୍ୟନ୍ତ ମୌସୁମୀ ବର୍ଷା ଏବଂ ବାତ୍ୟା ଲାଗି ରହିବ । ତେଣୁ, ଏଥିପାଇଁ ଅଞ୍ଚଳର ପାରିପାର୍ଶିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ରହିବାକୁ ସେ ନିଦେ୍ର୍ଦଶ ଦେଇଛନ୍ତି । ସେ ପୁଣି କହିଥିଲେଯେ, ରାଜସ୍ୱ ବିଭାଗ ହେଉଛି ସ୍ୱଚ୍ଛ ଏବଂ ଉତ୍ତମ ସରକାରର ଦର୍ପଣ । ଯଦି ସରକାର ଆପଣଙ୍କ ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଯାଉଛନ୍ତି, ଆପଣମାନେ ଆବଶ୍ୟକ ଜମି ଯୋଗାଡ କରିବେ । ଯଦି ସରକାରଙ୍କ ପାଖରେ ଜମି ନାହିଁ, ଲୋକଙ୍କ ଠାରୁ ଅଧିଗ୍ରହଣ କରିବାକୁ ପଡିବ । ସରକାର ବର୍ତ୍ତମାନ ଧାନ କିଣିବା ପାଇଁ ଅଧିକ ୮୦୦ ଟଙ୍କା ପ୍ରଦାନ କରୁଛନ୍ତି । କିନ୍ତୁ, କେଉଁ ଚାଷୀ କେତେ ଜମିରେ ପ୍ରକୃତ ଚାଷ କରିଛନ୍ତି ତାହାର ଜମିୱାରୀ ଭେରିଫିକେଶନ ହେବା ଆବଶ୍ୟକ । ଏହାର ସଠିକ ତଥ୍ୟ ଆସିବା ଦରକାର ବୋଲି ସେ କହିଛନ୍ତି । ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଏ ସରକାର ବରଦାସ୍ତ କରିବେ ନାହିଁ । ଭଲ କାମ କରୁଥିବା ଅଧିକାରୀଙ୍କୁ ନିଶ୍ଚୟ ପୁରସ୍କୃତ କରାଯିବ । ପ୍ରତିଷ୍ଠା ନୁହେଁ, ସମର୍ପଣ ହେଉ ଆପଣମାନଙ୍କ ମାନଦଣ୍ଡ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେଯେ, ଚିରାଚରିତ କାର୍ଯ୍ୟପଦ୍ଧତିରେ ପରିବର୍ତ୍ତନ ଆଣିବାକୁ ପଡିବ । ଆପଣମାନେ ନିଜର ମାନସିକତା ବଦଳାନ୍ତୁ । ଆମ ସରକାର ଶାସନକୁ ଆସିବା ପରେ, ରାଜସ୍ୱ ପ୍ରଶାସନ କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିଛନ୍ତି । ରାଜସ୍ୱ ସେବା ଏବେ ଲୋକମାନଙ୍କର ନିକଟତର ହୋଇଛି । ସମୟ ଅନୁଯାୟୀ ରାଜସ୍ୱ ସେବା ଯୋଗାଇ ଦେବା ପାଇଁ ଯନôବାନ ହୁଅନ୍ତୁ ବୋଲି ଶ୍ରୀ ପୂଜାରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ ସ୍ୱାଗତ ଭାଷଣ ଦେଇଥିବା ବେଳେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ବି. ପରମେଶ୍ୱରନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ଉନ୍ନୟନ କମିଶନର ଅନୁ ଗର୍ଗ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଦୁଇ ଦିନିଆ କର୍ମଶାଳାର ପ୍ରଥମ ଅଧିବେଶନରେ ସମସ୍ତ ଜିଲ୍ଲାର ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ତହସିଲଦାରମାନେ ଅଂଶଗ୍ରହଣ କରିଥିଲେ ।