୫ବର୍ଷର ଭିନ୍ନକ୍ଷମ ଝିଅକୁ ଛାଡ଼ି ମା' ଫେରାର

 ଦେବଗଡ଼ : ବାରକୋଟ ବ୍ଲକ ବଲଣ୍ଡା ପଞ୍ଚାୟତ ନିକ୍ତିମାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  । ଗ୍ରାମର ଗୋଟିଏ ପରିବାରର ୫ ବର୍ଷର ଭିନ୍ନକ୍ଷମ ଶିଶୁ କନ୍ୟାକୁ ଅଲୋଡା କରି ମା କେଉଁଆଡେ ଚାଲି ଯାଇଥିବା ଦେଖିବାକୁ ମିଳିଛି  । ଖବରପାଇଁ ଜିଲ୍ଲା ପ୍ରଶାସନ ଗ୍ରାମରେ ପହଁଞ୍ଚି ଶିଶୁ କନ୍ୟାକୁ ଉଦ୍ଧାର କରିଛି  । ଜନ୍ମ କଲା ମା’ ଭିନ୍ନକ୍ଷମ ଝିଅକୁ ବୋଝ ଭାବି ସବୁ ଦିନ ପାଇଁ ସ୍ୱାମୀର ହାତ ଛାଡି ପର ପୁରୁଷ ସହ ଫେରାର ହୋଇଯାଇଥିବା ଅଞ୍ଚଳରେ ଚର୍ଚ୍ଚା ଜୋରଧରିଛି  । ସେପଟେ ଭିନ୍ନକ୍ଷମ ଝିଅର ଲାଳନପାଳନ ପାଇଁ ବାପା ଦ୍ୱିତୀୟ ବିବାହ କରିଥିବା ବେଳେ ଗତକାଲି ଦ୍ୱିତୀୟ ସ୍ତ୍ରୀ ମଧ୍ୟ କୁଆଡେ ଚାଲିଯାଇଥିବା ଜଣାପଡିଛି  । ଫଳରେ ଭିନ୍ନକ୍ଷମ ଝିଅକୁ ନିଜ ବାପା ମଧ୍ୟ ପର କରିଦେଇଥିବା ବେଳେ ୫ ବର୍ଷର ଶିଶୁ କନ୍ୟା ପରିବାର ପାଇଁ ଏବେ ଅଲୋଡା ପାଲଟିଯାଇଛି  । 
ସୂଚନା ଅନୁଯାୟୀ ନିକ୍ତିମାଳ ଗ୍ରାମ ପାଉଡି ଭୂୟାଁ ସଂପ୍ରଦାୟର ଦିନ ମଜୁରିଆ କାମ କାରୁଥିବା ଜଣେ ବ୍ୟକ୍ତି ପ୍ରାୟ ୭ ବର୍ଷ ତଳେ ବିବାହ କରି ନିଜ ସଂସାର ଆରମ୍ଭ କରିଥିଲେ  । ବିବାହର ପ୍ରାୟ ଏକ ବର୍ଷ ପରେ ତାଙ୍କ ପରିବାରରେ ଏକ ଶିଶୁ କନ୍ୟା ଜନ୍ମ ନେଲା  । ଶିଶୁ କନ୍ୟାର ବୟସ ବଢିବା ପରେ ପରିବାର ଲୋକ ସେ ଭିନ୍ନକ୍ଷମ ଥିବା ଜାଣିବାକୁ ପାଇଥିଲେ  । ବୟଷ ବଢିବା ସହିତ ଝିଅଟି ମୁକ ଓ ବଧିର ଥିବା ବେଳେ ଠିଆ ହେବାକୁ ମଧ୍ୟ ଅସକ୍ଷମ ଥିବା ଜଣାପଡିଥିଲା  । ତେବେ ଭିନ୍ନକ୍ଷମ ଶିଶୁ କନ୍ୟାର ଦାୟିତ୍ୱରୁ ମୁକ୍ତି ପାଇବା ପାଇଁ ଗତ ପ୍ରାୟ ୨ ବର୍ଷ ହେଲା ଜନ୍ମ କଲା ମା ସ୍ୱାମୀର ହାତ ଛାଡି ପର ପୁରୁଷ ସହ ଫେରାର ହୋଇଯାଇଛି  । ଫଳରେ ଭିନ୍ନକ୍ଷମ ଝିଅର ଲାଳନପାଳନ ପାଇଁ ବାଧ୍ୟ ହୋଇ ତାର ବାପା ଦ୍ୱିତୀୟ ବିବାହ କରିଥିଲେ  । ବିବାହ ପରେ ଦ୍ୱିତୀୟ ସ୍ତ୍ରୀ ଭିନ୍ନକ୍ଷମ ଝିଅର ସେବା ଶୁଶ୍ରୁଶା କରି ଆସୁଥିଲେ  । ମାତ୍ର ଭିନ୍ନକ୍ଷମ ଝିଅର ଶରରୀରେ କୌଣସି ଉନ୍ନତୀ ନଆସିବାରୁ ଦ୍ୱିତୀୟ ସ୍ତ୍ରୀ ମଧ୍ୟ କୁଆଡେ ଚାଲି ଯାଇଛନ୍ତି  । ଭିନ୍ନକ୍ଷମ ଶିଶୁ କନ୍ୟା ସରକାରଙ୍କ ପକ୍ଷରୁ ଭିନ୍ନକ୍ଷମ ଭତା ପାଉଥିଲେ ମଧ୍ୟ ଏଭଳି ପରିସ୍ଥିତି ଯୋଗୁଁ ପରିବାର ପାଇଁ ଅଲୋଡା ପାଲଟି ଯାଇଛି  । ଏହି ଘଟଣା ବାବଦରେ ସ୍ଥାନୀୟ ଜଣେ ଯୁବକ ଆଜି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କୁ ସୂଚନା ଦେଇଥିଲେ  । ସୂଚନା ପାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ବିଭାଗୀୟ ଅଧିକାରୀ କ୍ରାନ୍ତି ମଞ୍ଜରି ଧାଉଁଳିଆ, ଗଗନ ବିହାରୀ ବିଶ୍ୱାଳ ଓ ଚାଇଲ୍ଡ୍ଡ ଲାଇନର କରିଶ୍ମା ମାହାକୁଡଙ୍କ ସହ ଉକ୍ତ ଗ୍ରାମକୁ ଯାଇ ଅଲୋଡା ଭିନ୍ନକ୍ଷମ ଶିଶୁ କନ୍ୟାକୁ ଉଦ୍ଧାର କରିଛନ୍ତି  ।