ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

 ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତରେ ନିଜ ବନ୍ଧୁକରୁ ଗୁଳି ଫୁଟାଇ ଜଣେ ସିଆରପିଏଫ ଯବାନ ଆତ୍ମହତ୍ୟା କରିଥିବାବେଳେ ଏହାର କାରଣ ଅସ୍ପଷ୍ଠ ଅଛି । ସୂଚନା ଅନୁଯାୟୀ, ଗତ ବୁଧବାର ସକାଳେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ବିଜାପୁର ଜିଲ୍ଲାରେ ଜଣେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ଯବାନ ନିଜ ସର୍ଭିସ୍ ରାଇଫଲ୍ରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ଯବାନଙ୍କ ନାମ ପପ୍ପୁ ଯାଦବ, ଯିଏ ୨୨ତମ ବାଟାଲିୟନରେ ନିୟୋଜିତ ଥିଲେ । ଏହି ଘଟଣା ସକାଳ ପ୍ରାୟ ୫ଟା ବେଳେ ମିଙ୍ଗାଚଳ ସିଆରପିଏଫ କ୍ୟାମ୍ପରେ ଘଟିଥିଲା । ଯବାନ ଜଣକ ବିହାରର ଭୋଜପୁର ଜିଲ୍ଲାର ବାସିନ୍ଦା ଥିଲେ । ପୋଲିସ ଅନୁଯାୟୀ, ପପୁ ଯାଦବ ତାଙ୍କ ଏକେ ୪୭ରାଇଫଲ୍ର ଏକ ଗୁଳି ବେକରେ ବାଜିଥିଲା, ଯାହା ମୁଣ୍ଡକୁ ବିଦ୍ଧ କରିଥିଲା । ଗୁଳିର ଶବ୍ଦ ଶୁଣି ଅନ୍ୟ ଯବାନମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଯେଉଁଠାରେ ସେମାନେ  ପପୁଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିବାକୁ ପାଇଥିଲେ । ତାଙ୍କୁ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନାଥାଉକି,  ପପୁ ଯାଦବ ଗୋଟିଏ ଦିନ ପୂର୍ବରୁ ଛୁଟିରୁ ଡୁ୍ୟଟିକୁ ଫେରିଥିଲେ । ଆତ୍ମହତ୍ୟାର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ବିଜାପୁର ପୋଲିସ ଅଧିକ୍ଷକ  ଜିତେନ୍ଦ୍ର ଯାଦବ ଘଟଣାର ସତ୍ୟାସତ୍ୟ ସୁନିଶ୍ଚିତ କରି କହିଛନ୍ତି ଯେ, ଏହି ମାମଲାର ତଦନ୍ତ ଆରମ୍ଭ ହୋଇଛି ।