୬ ବର୍ଷରେ ପ୍ରାଣ ହରାଇଲେଣି ୧୭୫ ଜଣ
ଢେଙ୍କାନାଳରୁ ଲକ୍ଷ୍ମୀନାରାୟଣ ତ୍ରିପାଠୀ :
ଢ଼େଙ୍କାନାଳ ଜିଲ୍ଲାରେ ଦିନକୁ ଦିନ ବଢୁଛି ସାପ କାମୁଡାଜନିତ ମୃତୁ୍ୟହାର । ସଚେତନତାର ଅଭାବରୁ ଜିଲ୍ଲାରେ ସର୍ପାଘାତ ଜନିତ ମୃତୁ୍ୟହାର ଉଦ୍ବେଗଜନକ ରହିଛି । ଗ୍ରାମାଞ୍ଚଳରେ ସାପକାମୁଡାରେ ଆକ୍ରାନ୍ତମାନେ ଗୁଣିଗାରେଡି ଉପରେ ବିଶ୍ୱାସ କରୁଥିବାରୁ ଅସମୟରେ ଚାଲିଯାଉଛି ମୂଲ୍ୟବାନ ଜୀବନ ।
ବଣ ଜଙ୍ଗଲ ଓ ପାହାଡ ପର୍ବତ ଘେରା ଢେଙ୍କାନାଳ ଜିଲ୍ଲା । ଜିଲ୍ଲାରେ ପ୍ରାୟ ୯୨ ପ୍ରଜାତିର ସାପ ଦେଖାଯାଉଥିବାବେଳେ ସେମାନଙ୍କ ମଧ୍ୟରୁ ୮ ପ୍ରଜାତିର ବିଷଧର ସାପ ଜିଲ୍ଲାରେ ଦେଖାଯାନ୍ତି । ସେଥିମଧ୍ୟରେ ଚିତି, ଚନ୍ଦନବୋଡା, ନାଗ (ଗୋଖର), ତମ୍ପ, ବାଉଁସନଟିଆ, କଟକଟିଆ, ଅହିରାଜ, ରଣା ଆଦି ବିଷଧର ସାପ ରହିଛନ୍ତି । ଜିଲ୍ଲାର ସବୁ ଅଞ୍ଚଳରେ ବିଷଧର ସାପମାନଙ୍କ ଚଳପ୍ରଚଳ ଥିବାବେଳେ ଢେଙ୍କାନାଳ, ହିନେ୍ଦାଳ ଓ ଗନ୍ଦିଆ ବ୍ଲକ ଅଞ୍ଚଳରେ ଚନ୍ଦନ ବୋଡା ବା ଚକ୍ରବୋଡା ଓ କଙ୍କଡାହାଡ ବ୍ଲକ ଅଞ୍ଚଳରେ କଟକଟିଆ ପ୍ରଜାତିର ବିଷଧର ସାପ ବେଶୀ ଦେଖାଯାନ୍ତି । ତେବେ ଗତ ୬ ବର୍ଷରେ ଢେଙ୍କାନାଳ ଜିଲ୍ଲାରେ ୧୭୫ ଜଣଙ୍କର ସାପ କାମୁଡାରେ ଜୀବନ ଯାଇଥିବା ଜଣାଯାଇଛି । ୨୦୧୮ ମସିହାରେ ୨ଜଣ ୨୦୧୯ରେ ୨ଜଣ,୨୦୨୦ରେ ୪୯ ଜଣ,୨୦୨୧ମସିହାରେ ୫୪ ଜଣ,୨୦୨୨ ମସିହାରେ ୪୫ ଜଣ,୨୦୨୩ ମସିହାରେ ୨୩ଜଣ ଙ୍କର ଜୀବନଯାଇଛି । ଏହି ସମୟରେ ମଧ୍ୟରେ ଢେଙ୍କାନାଳ ତହସିଲ ଅଞ୍ଚଳରେ ୨୫ ଜଣଙ୍କର ଜୀବନ ଯାଇଥିବାବେଳେ ଓଡାପଡା ତହସିଲରେ ୧୪ଜଣ, ହିନେ୍ଦାଳରେ ୨୪ ଜଣ, କାମାକ୍ଷାନଗରରେ ୧୯ଜଣ, ଭୁବନରେ ୫ଜଣ, ପରଜଙ୍ଗରେ ୨୬ ଜଣ ଓ କଙ୍କଡାହାଡ ତହସିକ ଅଚଂଳରେ ୨୧ ଜଣଙ୍କର ଜୀବନ ଯାଇଥିବା ଜଣାଯାଇଛି ।
ଏପ୍ରିଲରୁ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ସାପ କାମୁଡା ଘଟଣା ଅଧିକ ହୋଇଥାଏ । ବିଷଧର ସାପ ଦିନ ଅପେକ୍ଷା ରାତିରେ ଅଧିକ ସକ୍ରିୟ ହୋଇଥାନ୍ତି । ସାଧାରଣତଃ ସାପ କାମୁଡିଲେ ସଂପୃକ୍ତ ସ୍ଥାନ ଲାଲ ଦେଖାଯିବା ସହ ଫୁଲିଯାଇ ଅସହ୍ୟ ଯନ୍ତ୍ରଣା ହୋଇଥାଏ । ରୋଗୀକୁ ବାନ୍ତି ଲାଗିବା ସହ ହୃଦସ୍ପନ୍ଦନ ବଢିଯାଏ । ବର୍ତ୍ତମାନ ଜିଲ୍ଲାରେ ସାପ କାମୁଡା ରୋଗୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ସଚେତନତା ଅଭାବରୁ ସାପ କାମୁଡା ଜନିତ ମୃତୁ୍ୟ ହେଉଛି । ସାପ କାମୁଡିଥିବା ରୋଗୀକୁ ୨ଘଣ୍ଟା ମଧ୍ୟରେ ଡାକ୍ତରଖାନାରେ ପହଞ୍ଚାଇବା ଆବଶ୍ୟକ । ଏହି ସମୟକୁ ସୁବର୍ଣ୍ଣ ସମୟ ବା ଗୋଲ୍ଡେନ୍ ଟାଇମ୍ କୁହାଯାଏ । ଅନେକ ସମୟରେ ସାପ କାମୁଡିବା ପରେ ଲୋକମାନେ ରୋଗୀକୁ ଗୁଣିଆ, ଠାକୁରଙ୍କ ପାଖକୁ ନେଇଯାଆନ୍ତି । ବିଳମ୍ବରେ ଚିକିତ୍ସାଳୟ ଆଣିବାରେ ସେମାନଙ୍କର ମୃତୁ୍ୟ ହୋଇଯାଉଛି । ବିଶେଷ କରି ଗ୍ରାମାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳଗୁଡିକ ଏଭଳି ସମସ୍ୟା ଦେଖାଯାଉଛି । ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କୁହନ୍ତି ଯେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ଆରମ୍ଭ କରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଦି ସବୁଠାରେ ସାପକାମୁଡା ରୋଗୀଙ୍କ ପାଇଁ ଆଣ୍ଟି ସ୍ନେକ ଭେନମ ଇଞ୍ଜେକସନ ଗଚ୍ଛିତ ରହିଛି । ସାପ କାମୁଡା ରୋଗୀଙ୍କୁ କୌଣସି ଗୁଣିଗାରେଡି ପାଖକୁ ନ ନେଇ ଚିକିତ୍ସାଳୟ ନେବା ଲାଗି ବିଭିନ୍ନସ୍ତରରେ ସଚେତନ କରାଯାଉଛି । ହେଲେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ହସ୍ପିଟାଲରୁ ସାପ କାମୁଡା ରୋଗୀଙ୍କୁ ମଧ୍ୟ ଗୁଣିଗାରେଡି ପାଖକୁ ନେଇ ଯାଉଛନ୍ତି । ଫଳରେ ସେମାନଙ୍କ ଜୀବନ ଚାଲିଯାଉଛି ବୋଲି କହିଛନ୍ତି । ଏ ସଂପର୍କରେ ଜୀବଜନ୍ତୁ କଲ୍ୟାଣ ଓ ଥଇଥାନ ସଂଗଠନ ସଂପାଦକ ରାଜେନ୍ଦ୍ର ପାଣିଗ୍ରାହୀ କୁହନ୍ତି ଯେ, ଢେଙ୍କାନାଳ ଜିଲ୍ଲାର ସବୁ ଅଞ୍ଚଳରେ ସାପ ଦେଖାଯାଉଥିବାରୁ ଓ ଗ୍ରାମାଞ୍ଚଳରେ ସଚେତନତାର ଅଭାବରୁ ଜିଲ୍ଲାରେ ସାପକାମୁଡା ଜନିତ ମୃତୁ୍ୟହାର ଉଦବେଗଜନକ ରହିଛି । ବର୍ଷା ସମୟରେ ସାପ ପ୍ରଜନନ କ୍ଷମ ହେଉଥିବାରୁ ଖାଦ୍ୟ ଅନ୍ୱେଷଣରେ ବାହାରକୁ ଆସନ୍ତି । ଫଳରେ ଲୋକମାନଙ୍କୁ ଆଘାତ କରନ୍ତି । ସାପକାମୁଡିଲେ ରୋଗୀକୁ ତୁରନ୍ତ ହସ୍ପିଟାଲ ନେବା ଉଚିତ୍ । ଏ ନେଇ ଆମ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସମୟରେ ସ୍କୁଲ, କଲେଜ, ଅଧିକ ସାପ ରହୁଥିବା ତଥା ଦୁର୍ଗମ ଅଞ୍ଚଳମାନଙ୍କରେ ସଚେତନ କରାଯାଉଛି ବୋଲି କହିଥିଲେ ।