ବିପର୍ଯ୍ୟୟ ମୁକାବିଲା ପାଇଁ ସମୀକ୍ଷା ବୈଠକ
ଢେଙ୍କାନାଳ : ଜିଲ୍ଲା କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହ ଠାରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସଂପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ଜଏଣ୍ଟ ଆଡ଼ଭାଇଜର ଡକ୍ଟର ଏସ.କେ ଜେନା, ଅଣ୍ଡର ସେକ୍ରେଟାରୀ ସୁବାଷ ଚାନ୍ଦ ଏବଂ ଲିଡ୍ କନସଲଟାଣ୍ଟ ସୁବାଷ ଚନ୍ଦ୍ର ମହାନ୍ତି ଯୋଗ ଦେଇ ଜାତୀୟ ବିପର୍ଯ୍ୟୟ ପରିଚାଳନାର ଆଭିମୁଖ୍ୟ ଏବଂ ପଲିସି, ପ୍ଲାନ ଓ ଗାଇଡ୍ ଲାଇନ ସଂପର୍କରେ ଅବଗତ କରାଇଛନ୍ତି । ଜିଲ୍ଲାରେ ପ୍ରାକୃତିକ ଦୁର୍ବିପାକରୁ ରକ୍ଷା ପାଇବା ପାଇଁ ନୂତନ ଜ୍ଞାନ କୌଶଳ ଓ ଯନ୍ତ୍ରପାତି ପ୍ରୟୋଗ କରି ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ବିଭିନ୍ନ ବିଭାଗ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସଂପର୍କରେ ପଚାରି ବୁଝିଥିଲେ । ପ୍ରାରମ୍ଭରେ ଜିଲ୍ଲା ଆପାତକାଳୀନ ଅଧିକାରୀ ସୁଦୀପ୍ତ କୁମାର ସାହୁ ଜିଲାରେ କାର୍ଯ୍ୟକାରୀ ହେଉଥିବା ପ୍ରସ୍ତୁତି ଓ ଉଦ୍ଧାର କାର୍ଯ୍ୟ ସଂପର୍କରେ ଅବଗତ କରାଇଥିଲେ । ଜିଲ୍ଲାରେ ଅଧିକସଂଖ୍ୟକ ପାଣିରେ ବୁଡ଼ି ଓ ସାପ କାମୁଡ଼ାରେ ଓ ବଜ୍ରାଘାତରେ ମୃତୁ୍ୟ ଘଟୁଛି ପ୍ରକାଶ କରିଥିଲେ । ବନ୍ୟା, ବାତ୍ୟା, ମରୁଡ଼ି, ଗ୍ରୀଷ୍ମ ପ୍ରବାହର ପ୍ରଭାବକୁ ପ୍ରଶମିତ କରିବା ପାଇଁ ନିଆଯାଉ ଥିବା ପଦକ୍ଷେପ ସଂପର୍କରେ ଓ ପ୍ରଭାବିତ ମାନଙ୍କ ପାଇଁ ବହୁମୁଖି ଆଶ୍ରୟସ୍ଥଳୀରେ କାର୍ଯ୍ୟକାରୀତା ସଂପର୍କରେ ଅବଗତ କରାଇଥିଲେ । ଏହି ବୈଠକରେ ଆଇଏଏସ୍ ପ୍ରୋବେସନ ମିସ ଭଗତ ସାମଲ କଲ୍ୟାଣ ରାଓଙ୍କ ସମେତ ସମସ୍ତ ବିଡ଼ିଓ, ତହସିଲଦାର ଓ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।