୬ ମାଓବାଦୀ ନିପାତ

ଭୁବନେଶ୍ୱର: ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ମାଓବାଦୀ ନିପାତ ହୋଇଛନ୍ତି  । ଛତିଶଗଡ଼ ନାରାୟଣପୁର ଜିଲ୍ଲାର ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଆଜି ପ୍ରବଳ ଗୁଳିଗୋଳା ବିନିମୟ ହୋଇଛି  । ଶୁକ୍ରବାର ଅପରାହ୍ନରେ ଏନକାଉଣ୍ଟର କରାଯାଇଥିଲା  । 
ଜଙ୍ଗଲ ଭିତରେ ମାଓବାଦୀମାନେ ଲୁଚି ରହିଥିବା ନେଇ ଗୁଇନ୍ଦା ସୂତ୍ରରୁ ଖବର ମିଳିଥିଲା  । ପରେ ସୁରକ୍ଷା କର୍ମୀମାନେ ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ  । ସୁରକ୍ଷାକର୍ମୀଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳିଚାଳନା କରିଥିଲେ  । ଫଳରେ ସୁରକ୍ଷାକର୍ମୀ ବି ଏହାର ଜୋରଦାର ଜବାବ ଦେଇଥିଲେ  । ଜୋରଦାର ଜବାବରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ  । ତେବେ ଖାନତଲାସ କରିବା ପରେ ୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା  । ସେହିପରି ଏନକାଉଣ୍ଟର ସ୍ଥାନରୁ ଏକ-୪୭ ଓ ଏସଏଲଆର ରାଇଫଲ୍, ବହୁ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ସାମଗ୍ରୀ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରାଯାଇଛି  । ଗତ ସୋମବାର ୮ ଲକ୍ଷର ଇନାମୀ ଥିବା କୁଖ୍ୟାତ ମାଓନେତା ସୋଧି କାନ୍ନାକୁ ସୁରକ୍ଷାକର୍ମୀମାନେ ନିପାତ କରିଥିଲେ  । ଛତିଶଗଡ଼ର ବିଜାପୁର ଜିଲ୍ଲାରେ ବଡ଼ ମାଓନେତା ନିପାତ ହେବା ପରେ ମାଓବାଦୀଙ୍କ ମନରେ ଛନକା ପଶିଯାଇଛି  । ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶକୁ ନକ୍ସଲ ମୁକ୍ତ କରିବା ପାଇଁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସଂକଳ୍ପ ନେଇଛନ୍ତି  । ଗତ ବର୍ଷକ ମଧ୍ୟରେ ଶହ ଶହ ମାଓବାଦୀ ନିପାତ ହୋଇଥିବାବେଳେ ମୃତୁ୍ୟ ଭୟରେ ହଜାର ହଜାର ମାଓବାଦୀ ଦେଶରେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଛନ୍ତି  । ଅନେକ ମାଓନେତା ଓ କମାଣ୍ଡରମାନେ ପୁଲିସ ଗୁଳିରେ ମୃତୁ୍ୟବରଣ କରିଥିବାରୁ ମାଓ ସଂଗଠନ ଏବେ ଦୋହଲିଯାଇଛି  ।