ନିଳଜୀ ମଦଭାଟି ସ୍ଥାନାନ୍ତର କେବେ?
ନୂଆପଡା : କାନ୍ଥ ବାଡରେ ଲେଖା ଯାଉଛି, ମାଦକଦ୍ରବ୍ୟ ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ । ସରକାରଙ୍କ ସମେତ ଜନସାଧାରଣ ଚାହୁଁଛନ୍ତି ମଦ ମୁକ୍ତ ଓଡିଶା । ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିଶା ନିବାରଣ ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମମାନ କରି ଲୋକଙ୍କୁ ସଚେତନ କରିଛନ୍ତି । ହେଲେ କିଛି ସୁଫଲ ମିଳୁନି । ଅବକାରି ବିଭାଗକୁ କିଏ ଡରୁନାହାଁନ୍ତି । ଗାଁ ଗାଁ ରେ, ବସଷ୍ଟାଣ୍ଡରେ, ଛକରେ, ହାଟବଜାର ନିକଟରେ ତଥା ସ୍କୁଲ, କଲେଜ ପାଖାପାଖି ଅଞ୍ଚଳରେ ଖୁଲମଖୁଲା ମଦ ବିକ୍ରି ଚାଲିଛି । ଏକଥା ସାଧାରଣ ଲୋକେତ ଜାଣିପାରୁଛି ହେଲେ ଅବକାରି ବିଭାଗ କାହିଁକି ହାତବାନ୍ଧି ବସି ପଡିଛି । ଏସବୁ ତଦନ୍ତ କରିବା ତାଙ୍କର ଦାଇତ୍ୱ ନୁହେଁ କି? ଏଭଳି ପ୍ରଶ୍ନ କରୁଛନ୍ତି ଜନତା । ମହିଲାମାନେ ଅନେକ ଥର ନିଜ ଗାଁକୁ ନିଶାମୁକ୍ତ, ମଦ ମୁକ୍ତ ଗ୍ରାମର ପରିକଳ୍ପନା କରି ବିଭିନ୍ନ ସମୟରେ ମଦ କୋଠି ଘେରାଉ କରି ନିଜ ଗାଁକୁ ମଦ ମୁକ୍ତ ଗ୍ରାମ ଭାବେ ଗଢି ତୋଳିବା ପାଇଁ ଅନେକ ଥର ପ୍ରୟାସ କରି ବିଫଳ ହୋଇଛନ୍ତି । ନେୂଆପଡା ଜିଲ୍ଲା ,ସିନାପାଲି ବ୍ଲକ ଅନ୍ତର୍ଗତ ନିଳଜୀ ଗ୍ରାମରେ ବହୁବର୍ଷ ଧରି ରହିଥିବା ମଦଭାଟି ବିଭିନ୍ନ ସମସ୍ୟାର କାରଣ ହେଉଛି । ନିଲଜୀ ଗ୍ରାମରେ ସାପ୍ତାହିକ ବଜାର ବସେ, ଏହି ଦିନ ଆବାଳ ବୃଦ୍ଧବନିତା ଏହି ବଜାରକୁ ସଉଦା କିଣିବା ପାଇଁ ଆସିଥାନ୍ତି । ହେଲେ ବଜାର ପାଖରେ ମଦଭାଟି ରହିଥିବାରୁ ମଦ୍ୟପ ମାନେ ପନିପରିବା ସଉଦା କରିବା ବଦଳରେ ମଦପିଇ ମାତାଲହୋଇ ବଜାର ମଧ୍ୟରେ ଘୁରି ବୁଲୁଥାନ୍ତି । ଫଳରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଥାଏ । ଏହା ସାଙ୍ଗକୁ ନିଳଜୀ ମଦଭାଟିର ଅଲ୍ପ ଦୁରରେ ସରକାରୀ ବିଦ୍ୟାଳୟ ଏବଂ କୃଷି ସମବାୟ ସମିତି ରହିଥିବାରୁ ଏହି ମଦ ଭାଟିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଦାବି ଉଠୁଛି । ଏକଥା ନିଳଜୀ ମଦଭାଟିରେ କାର୍ଯ୍ୟ କରୁଥିବା କର୍ମଚାରିଙ୍କୁ ପଚାରିବାରୁ ସେମାନେ କହିଲେ, ଅନ୍ୟତ୍ର ଯାଗାକିଣି ଘର ତିଆରି ଚାଳିଛି । ଘର ତିଆରି ସରିଲେ ସରକାରଙ୍କୁ ଜଣେଇ ଆଇନ ଗତ ପଦକ୍ଷେପ ଗ୍ରହଣ କରି ଏହି ମଦ ଭାଟିକୁ ସେ ଜାଗାକୁ ସ୍ଥାନାନ୍ତର କରିବେ । ଏବେ ଦେଖିବାର ଅଛି ନିଳଜୀ ମଦଭାଟି ସ୍ଥାନାନ୍ତର ହେବତ କେବେ ହେବ ।