ନିୟାମକ ବ୍ୟବସ୍ଥାକୁ ଦୁର୍ବଳ କରୁଛନ୍ତି ଛଦ୍ମ-ବିଶେଷଜ୍ଞ
- କଡ଼ା ସମାଲୋଚନା କଲେ ଶକ୍ତି ବିଶେଷଜ୍ଞ କୁଳମଣି ବିଶ୍ୱାଳ
- ଦୁର୍ନୀତି ଶିରୋନାମା ପୂର୍ବରୁ ଗଣମାଧ୍ୟମ ଥରେ ଚିନ୍ତା କରନ୍ତୁ
- ଘରୋଇକରଣ ବେଳେ ହୋଇଥିଲା ୧୦୮୨୧ କୋଟି କ୍ଷତି
- ୫ ବର୍ଷରେ ସ୍ୱଚ୍ଛଳ ହୋଇଛନ୍ତି ୪ ବିଦ୍ୟୁତ୍ ବିତରଣ କମ୍ପାନୀ
ଭୁବନେଶ୍ୱର : ଓଡିଶାରେ ଉପଭୋକ୍ତାଙ୍କ ସମସ୍ୟା ଏବଂ ଶକ୍ତି କ୍ଷେତ୍ର ଉପରେ କେତେକ ଛଦ୍ମ ବିଶେଷଜ୍ଞ ବିନା ତଥ୍ୟରେ ଦେଉଥିବା ମନ୍ତବ୍ୟ ନିୟାମକ ବ୍ୟବସ୍ଥାକୁ ଦୁର୍ବଳ କରୁଛି । ଗତ କିଛି ସପ୍ତାହ ମଧ୍ୟରେ କିଛି ବ୍ୟକ୍ତି ଓ ଗୋଷ୍ଠୀ ଅଭିଯୋଗ ବିଦ୍ୟୁତ୍ ନିୟାମକ, ବିଦ୍ୟୁତ ବିତରଣ କମ୍ପାନୀଗୁଡିକୁ ୟୁନିଟ୍ ପିଛା ଅତିରିକ୍ତ ୩୬ ପଇସା ଆଦାୟ କରିବାକୁ ଅନୁମତି ଦେଇଛନ୍ତି ବୋଲି କହି ଉପଭୋକ୍ତାଙ୍କୁ ବିଭ୍ରାନ୍ତ କରୁଛନ୍ତି । ନିୟାମକ ପ୍ରକ୍ରିୟା ଉପରେ ଭିତ୍ତିହୀନ ପ୍ରଶ୍ନ ଉଠାଇବାର ଏକ ଧାରା ବି ଜାରିରହିଛି । ବିଦ୍ୟୁତ୍ ଆଇନ ଅନୁଯାୟୀ ବାଧ୍ୟତାମୂଳକ ଥିବା ବ୍ୟାପକ ଯାଞ୍ଚ, ଅଡିଟ୍ ଏବଂ ଜନଶୁଣାଣି ପ୍ରକ୍ରିୟାକୁ ଏହି ଅଭିଯୋଗକାରୀମାନେ ସମ୍ପୂର୍ଣ୍ଣ ଅଣଦେଖା କରୁଛନ୍ତି । ଯାହାକୁ ନେଇ ସୁନାମଧନ୍ୟ ଶକ୍ତି ବିଶେଷଜ୍ଞ କୁଳମଣି ବିଶ୍ୱାଳ କ୍ଷୋଭ ପ୍ରକାଶ କରିଛନ୍ତି । ଶ୍ରୀ ବିଶ୍ୱାଳ କହିଛନ୍ତିଯେ, ବ୍ୟକ୍ତିଗତ ଭାବରେ ନିୟାମକ ପ୍ରକ୍ରିୟା ସହିତ ବହୁତ ଦିନରୁ ଜଡିତ ଏବଂ ବିଦ୍ୟୁତ୍ ଆଇନର ଢାଞ୍ଚାକୁ ଗଭୀର ଭାବେ ସମ୍ମାନ କରେ । ଜନସାଧାରଣ ବିଭ୍ରାନ୍ତ ହେବା ପୂର୍ବରୁ କିମ୍ବା ଅନୁଷ୍ଠାନ ଉପରୁ ସେମାନଙ୍କର ଆସ୍ଥା ତୁଟିବା ଆଗରୁ ଏହି ଭୁଲ ଧାରଣାଗୁଡିକୁ ଦୂର କରିବା ଜରୁରୀ ଅଟେ ।
ସମ୍ପ୍ରତି ଅଭିଯୋଗ ଅନୁଯାୟୀ " ବିଦ୍ୟୁତ ନିୟାମକ ଆୟୋଗ ହାରାହାରି ମୂଲ୍ୟ ୫.୬୭ ଟଙ୍କା ଅନୁମୋଦନ କରିଥିଲେ । କିନ୍ତୁ ବିଦ୍ୟୁତ ବିତରଣ କମ୍ପାନୀ ଗୁଡିକ ୬.୦୩ ଟଙ୍କା ଆଦାୟ କରିଛନ୍ତି । ତେଣୁ, ଉପଭୋକ୍ତାଙ୍କଠାରୁ ଅଧିକ ଟଙ୍କା ଆଦାୟ କରାଯାଇଛି ।’ ଦୁର୍ଭାଗ୍ୟବଶତଃ, ଏହି ଯୁକ୍ତି କରୁଥିବା ବ୍ୟକ୍ତିବିଶେଷ ଟାରିଫ୍ ବ୍ୟବସ୍ଥା କିପରି କାମ କରେ, ସେ ବିଷୟରେ ଅଜ୍ଞ ଅଟନ୍ତି । ନିୟାମକ ଆୟୋଗ ଗୋଟିଏ ‘ହାରାହାରି ସଂଖ୍ୟା’କୁ ବିଲିଂ ସୀମା ଭାବରେ ଅନୁମୋଦନ ଦିଅନ୍ତି ନାହିଁ । ବରଂ ବିଭିନ୍ନ ବର୍ଗ ପାଇଁ - ଯଥା ଘରୋଇ, ଶିଳ୍ପ, ବାଣିଜ୍ୟିକ ଏବଂ କୃଷି ଆଦିର ଭିନ୍ନ ଭିନ୍ନ ଦର ଥିବା ଏକ 'ଟାରିଫ୍ ସିଡ୍ୟୁଲ୍' କୁ ଅନୁମୋଦନ ଦେଇଥାନ୍ତି ବୋଲି କୁଳମଣି କହିଛନ୍ତି । ଶିଳ୍ପ ଅଭିବୃଦ୍ଧି ଯୋଗୁଁ ରାଜ୍ୟରେ ଶିଳ୍ପ ଓ ବାଣିଜ୍ୟିକ ବିଦ୍ୟୁତ୍ ବ୍ୟବହାର ବୃଦ୍ଧି ପାଉଥିବାରୁ ସ୍ୱାଭାବିକ ଭାବରେ ସାମଗ୍ରିକ ହାରାହାରି ଆଦାୟ ବୃଦ୍ଧି ପାଇବ । ଏହା କୌଣସି ଦୁର୍ନୀତିର ପ୍ରମାଣ ନୁହେଁ; ବରଂ ଏହା ଏକ ବିବିଧ ଟାରିଫ୍ ଢାଞ୍ଚାର ସ୍ୱାଭାବିକ ପରିଣାମ । ପ୍ରତିବର୍ଷ ବିଦ୍ୟୁତ ନିୟାମକ ଆୟୋଗ ଏକ ଆନୁଷ୍ଠାନିକ ଅଡିଟ୍ କରିଥାନ୍ତି ଯାହାକୁ 'ଟ୍ରୁ-ଅପ୍' କୁହାଯାଏ, ଯେଉଁଠାରେ ସମସ୍ତ ରାଜସ୍ୱ ଏବଂ ବିଦ୍ୟୁତ୍ କ୍ରୟ ଖର୍ଚ୍ଚର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଏ । ଯଦି କୌଣସି ବଳକା ଅର୍ଥ ଥାଏ, ତେବେ ଆଇନ ଅନୁଯାୟୀ ଭବିଷ୍ୟତର ଟାରିଫ୍ ନିର୍ଦ୍ଧାରଣ ସମୟରେ ତାହାକୁ ଆଡଜଷ୍ଟ କରାଯାଏ ।
ଏହି ଆଡଜଷ୍ଟମେଣ୍ଟ ଯୋଗୁଁ ହିଁ ଖର୍ଚ୍ଚ ବଢ଼ିବା ସତ୍ତେ୍ୱ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ ନିୟାମକ ଆୟୋଗ ବିଦ୍ୟୁତ୍ ଦର ଅପରିବର୍ତ୍ତିତ ରଖିପାରିଛନ୍ତି । ଯେଉଁ ଅର୍ଥକୁ ବର୍ତ୍ତମାନ "ଅତିରିକ୍ତ’ ବୋଲି କୁହାଯାଉଛି, ସେହି ଅର୍ଥ ହିଁ ଚଳିତ ବର୍ଷ ଦର ବୃଦ୍ଧି ରୋକିବାରେ ସହାୟକ ହୋଇଛି । ଏହି ପୃଷ୍ଠଭୂମିକୁ ନ ଜାଣି ଏଭଳି ଦାବି କରିବା କେବଳ ଉପଭୋକ୍ତାଙ୍କ ମଧ୍ୟରେ ଅନାବଶ୍ୟକ ଚିନ୍ତା ସୃଷ୍ଟି କରିବ । ସେହିପରି ଗଣମାଧ୍ୟମଗୁଡ଼ିକ ମଧ୍ୟ ଏନେଇ ସଚେତନ ହେବା ଦରକାର ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । ଜନସଚେତନତା ସୃଷ୍ଟି କରିବାରେ ଆଞ୍ଚଳିକ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଶେଷକରି ବୈଷୟିକ ବିଷୟ ଉପରେ ରିପୋର୍ଟିଂ କରିବା ସମୟରେ ଅଧିକ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ଏକ ଟଙ୍କାର ଦୁର୍ନୀତି ହୋଇଥିବା ଦାବି କରାଯାଉ ନା କାହିଁକି, ଏହାକୁ ଖବରର ଶିରୋନାମା କରିବା ପୂର୍ବରୁ ଗଭୀର ଅନୁଧ୍ୟାନର ଆବଶ୍ୟକତା ରହିଛି। ଯାଞ୍ଚ ହୋଇନଥିବା ଦାବିଗୁଡିକ କେବଳ ବିଦ୍ୟୁତ ନିୟାମକ ଆୟୋଗ ଏବଂ ବିଦ୍ୟୁତ ବିତରଣ କମ୍ପାନୀ ଗୁଡିକର ଛବି ଖରାପ କରେ ନାହିଁ, ବରଂ ଏହା ନିବେଶକଙ୍କ ମନରେ ଦ୍ୱିଧା ସୃଷ୍ଟି କରେ । ନିୟାମକ ପ୍ରକ୍ରିୟା ଉପରେ ଅବିଶ୍ୱାସ ସୃଷ୍ଟି କରେ ଏବଂ କେତେକ କ୍ଷେତ୍ରରେ ଦିନରାତି ପରିଶ୍ରମ କରୁଥିବା ଫିଲ୍ଡ ଷ୍ଟାଫଙ୍କ ପ୍ରତି ଜନ ଆକ୍ରୋଶ ସୃଷ୍ଟି କରିବାର ଆଶଙ୍କା ଥାଏ ।
ଏଭଳି ତଥ୍ୟହୀନ ଖବର ପ୍ରଚାରିତ ହେବା ପ୍ରଥମ ଘଟଣା ନୁହେଁ । ଅତୀତରେ ମଧ୍ୟ ଏହି ଛଦ୍ମ-ବିଶେଷଜ୍ଞମାନେ ନିଜ ଇଛା ମୁତାବକ କିଛି ତଥ୍ୟକୁ ବାଛି ଏହାର ଭୁଲ୍ ବ୍ୟାଖ୍ୟା କରି ଉପଭୋକ୍ତାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛନ୍ତି । ଯେତେବେଳେ ବି ଏଭଳି ଖବର ସାମ୍ନାକୁ ଆସେ, ତାହା ଉପଭୋକ୍ତାଙ୍କ ମଧ୍ୟରେ ଅଯଥା ଭୟ ସୃଷ୍ଟି କରେ ଏବଂ ଏହା ବିଦ୍ୟୁତ କ୍ଷେତ୍ରର ପ୍ରକୃତ ସମସ୍ୟା ଓ ଅଗ୍ରଗତିରୁ ଧ୍ୟାନ ହଟାଇଦିଏ । ବାସ୍ତବରେ ଓଡିଶାର ବିଦ୍ୟୁତ୍ ବଣ୍ଟନ କ୍ଷେତ୍ର ଯଥେଷ୍ଟ ଅଗ୍ରଗତି କରିଛି । ଓଡିଶାରେ ଏଟିଆଣ୍ଡସି କ୍ଷତି ୩୦% ରୁ ହ୍ରାସ ପାଇ ୨୦୨୫ ଆର୍ଥିକ ବର୍ଷ ଶେଷ ସୁଦ୍ଧା ପାଖାପାଖି ୧୬.୫୫% ରେ ପହଞ୍ଚିଛି । ଘରୋଇକରଣ ସମୟରେ ସମୁଦାୟ କ୍ଷତି ପାଖାପାଖି ୧୦,୮୨୧ କୋଟି ଟଙ୍କା ଥିଲା । ମାତ୍ର ୫ ବର୍ଷ ମଧ୍ୟରେ ଚାରୋଟି ଯାକ ବିଦ୍ୟୁତ ବିତରଣ କମ୍ପାନୀ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ହୋଇପାରିଛନ୍ତି ଏବଂ ଏହି ସଫଳତା ଜାତୀୟ ସ୍ତରରେ ମଧ୍ୟ ପ୍ରଶଂସିତ ହେଉଛି । ବାତ୍ୟା ‘ଦାନା' ପରେ ମାତ୍ର ୧୨ ଘଣ୍ଟା ମଧ୍ୟରେ ୧୪.୮ ଲକ୍ଷ ପରିବାରକୁ ବିଦ୍ୟୁତ୍ ସଂଯୋଗ ଦିଆ ଯାଇପାରିଥିଲା । ଉପଯୁକ୍ତ ଯୋଜନା, ଭିତ୍ତିଭୂମିରେ ନିବେଶ ଏବଂ ଆର୍ଥିକ ସ୍ଥିରତା ଯୋଗୁଁ ହିଁ ଏହା ସମ୍ଭବ ହୋଇପାରିଲା ।
ଆର୍ଥିକ ତଥ୍ୟକୁ ବିକୃତ କରୁଥିବା ଖବରଗୁଡିକ, ବିଦ୍ୟୁତ କ୍ଷେତ୍ରରେ ଆସିଥିବା ସ୍ଥିରତାକୁ ଦୁର୍ବଳ କରିଦେବାର ଆଶଙ୍କା ରହିଛି। ଏହା କେବଳ ସମ୍ମାନ ହାନିର ପ୍ରଶ୍ନ ନୁହେଁ; ବରଂ ଏହା ବିଦ୍ୟୁତ୍ କ୍ଷେତ୍ରକୁ ପୁଣି ସେହି ପୁରୁଣା ସମୟକୁ ଟାଣି ନେଇପାରେ, ଯେତେବେଳେ ସମ୍ବଳ ଅଭାବରୁ ବିଦ୍ୟୁତ୍ ପୁନରୁଦ୍ଧାର ପାଇଁ ଏକାଧିକ ସପ୍ତାହ ସମୟ ଲାଗୁଥିଲା ଯାହା ଆମେ ୧୯୯୯ ମହାବାତ୍ୟା ସମୟରେ ଦେଖିଛୁ । ସେ କହିଛନ୍ତିଯେ, "୩୬ ପଇସା’ର ଅଭିଯୋଗ ଟାରିଫ୍ ନିର୍ଦ୍ଧାରଣ ପ୍ରକ୍ରିୟା, ରାଜସ୍ୱ ହିସାବର ପ୍ରକ୍ରିୟା କିମ୍ବା ନିୟାମକଙ୍କ ଅଡିଟ୍ ପ୍ରକ୍ରିୟା - କୌଣସି ଦୃଷ୍ଟିରୁ ଯୁକ୍ତିଯୁକ୍ତ ନୁହେଁ । ପ୍ରତ୍ୟେକ ଟଙ୍କା ନିୟାମକଙ୍କ ତଦାରଖ ପରିସରଭୁକ୍ତ ଏବଂ ଯେକୌଣସି ବଳକା ଅର୍ଥ ସ୍ଥିର ଟାରିଫ୍ ଏବଂ ସୁଦୃ? ଭିତ୍ତିଭୂମି ଆକାରରେ ଉପଭୋକ୍ତାଙ୍କ ପାଖକୁ ହିଁ ଫେରିଆସିଥାଏ । ସମାଲୋଚନା ସ୍ୱାଗତଯୋଗ୍ୟ କିନ୍ତୁ ତାହା ତଥ୍ୟଭିତ୍ତିକ ହେବା ଉଚିତ୍ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।