୭୬ତମ ବନ ମହୋତ୍ସବ
ଅନୁଗୁଳ : ଅନୁଗୁଳ ବନଖଣ୍ଡର ନବ ନିର୍ମିତ ବନଖଣ୍ଡ କାର୍ଯ୍ୟାଳୟ ଠାରେ ୭୬ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ଯୋଗଦାନ କରି ବ୍ୟାପକ ବୃକ୍ଷ ଛେଦନ ଯୋଗୁଁ ପର୍ଯ୍ୟାବରଣ ଦୁର୍ବିସହ ଆଡ଼କୁ ଅଗ୍ରସର କରୁଛି, ତେଣୁ ଯେତିକି ପରିମାଣରେ ବୃକ୍ଷ ଛେଦନ ହେଉଛି, ତା’ ଠାରୁ ୧୦ ଗୁଣ ଅଧିକ ବୃକ୍ଷ ରୋପଣ କରିବା ଆବଶ୍ୟକ ବୋଲି ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବିଧାୟକ ପାଲଲହଡ଼ା ଅଶୋକ ମହାନ୍ତି, ବରିଷ୍ଠ ଭାଜପା ନେତା ଦିଲ୍ଲୀପ ପ୍ରଧାନ, ପ୍ରଭାତ ପ୍ରଧାନଙ୍କ ସମେତ ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ସଞ୍ଜୟ କୁମାର ସ୍ୱାଇଁ, ଅନୁଗୁଳ ବନଖଣ୍ଡ ଅଧିକାରୀ ନୀତେଶ କୁମାର, ଅନୁଗୁଳ ଏସ୍ପି ରାହୁଲ ଜୈନ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତୀମୟ, ସାତକୋଶିଆ ବନଖଣ୍ଡ ଅଧିକାରୀ ସରୋଜ ପଣ୍ଡା, ଉପନିଦେ୍ର୍ଦଶକ ପଶୁସମ୍ପଦ ବିଭାଗ କେଶବ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଅନୁଗୁଳ ବନଖଣ୍ଡ ଅଧିକାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଦ୍ୱାରା ଦିଆଯାଇଥିବା ମା ପାଇଁ ଗଛ ଟିଏ ନାରା ଅଭିଯାନର ଶୁଭାରମ୍ଭ ମଧ୍ୟ ହୋଇଥିଲା । ସାରା ଜିଲ୍ଲାରେ ଦଶ ଲକ୍ଷରୁ ଊର୍ଦ୍ଧ୍ୱ ବୃକ୍ଷରୋପଣ କରିବା ପାଇଁ ବନଖଣ୍ଡ ଅଧିକାରୀ ପ୍ରକାଶ କରିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ଅବସରରେ ବନୀକରଣ ଯୋଜନାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବନ ସୁରକ୍ଷା ସମିତିମାନଙ୍କୁ ପୁରସ୍କାର ବାବଦ ଅର୍ଥରାଶିକୁ ଅତିଥିମାନେ ପ୍ରଦାନ କରିଥିଲେ ।