କାଉଡ଼ି ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ  : ଶାନ୍ତି ଶୃଙ୍ଖଳା ପାଇଁ ଲାଗିବ ସିସି କ୍ୟାମେରା

 ଢେଙ୍କାନାଳ :  ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଚନ୍ଦ୍ରଶେଖରଙ୍କ କପିଳାସ ପୀଠ ଏବଂ ଜିଲ୍ଲାର ଅନ୍ୟାନ୍ୟ ପ୍ରମୁଖ ଶୈବ ପୀଠରେ ଜଳାଭିଷକ ନିମନ୍ତେ  ଜିଲ୍ଲା କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଦେବାତ୍ତର ଅଧିକାରୀ ତଥା ଉପଜିଲ୍ଲାପାଳ  ବିଭୂଧ ଗଡ଼ନାୟକ ସମସ୍ତଙ୍କୁ ସ୍ୱାଗତ କରି କାଉଡ଼ି ଯାତ୍ରା ଆୟୋଜନ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଭକ୍ତମାନଙ୍କ ସୁରକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି କାଉଡି ଯାତ୍ରା ପାଇଁ ୬ ପ୍ଲାଟୁନ ପୋଲିସ ମୁତୟନ ହେବେ । ଗାଡ଼ି ପାର୍କିଂ ଓ ଯାତାୟତକୁ  ଶୃଙ୍ଖଳିତ କରିବା ପାଇଁ ଆବଶ୍ୟକ ସ୍ଥଳେ ସିସି  କ୍ୟାମେରା ଲଗାଯିବ ବୋଲି ଏସପି  ଅଭିନବ ସୋନକର ପ୍ରକାଶ କରିଛନ୍ତି । ସ୍ଥାନୀୟ ଶୈବ ପୀଠମାନଙ୍କରେ ସରପଞ୍ଚମାନଙ୍କ ପକ୍ଷରୁ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା ସହିତ ବ୍ୟାରିକେଟିଂ କରାଯିବ ସେ କହିଛନ୍ତି । ଦେବୋତ୍ତର ନିରୀକ୍ଷକ ପ୍ରଦୁ୍ୟମ୍ନ ତ୍ରିପାଠୀ ଯାତ୍ରାର ସମସ୍ତ କାର୍ଯ୍ୟକ୍ରମ ସଂପର୍କରେ ଜଣାଇଥିଲେ । ବୈଠକରେ କପିଳାସ ପୀଠ ସମେତ ବିଭିନ୍ନ ଶୈବ ପୀଠରେ ଭକ୍ତମାନଙ୍କ ନିମନ୍ତେ ପାନୀୟ ଜଳ ଯୋଗାଣ, ଶୈବ ପୀଠମାନଙ୍କରେ ଆଲୋକ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା ଓ ଆଶୁଚିକିତ୍ସା ବ୍ୟବସ୍ଥା,  ରାସ୍ତା ଓ ମନ୍ଦିର ପରିସର ସଫେଇ, ପ୍ରମୁଖ ନଦୀପଠାରେ ସୁରକ୍ଷା ବ୍ୟବସ୍ଥା, ଖାଦ୍ୟ ପଦାର୍ଥ ଯାଞ୍ଚ,  ଭକ୍ତମାନଙ୍କ ସୁବିଧା ବ୍ୟବସ୍ଥା ଆଦି ସଂପର୍କରେ ଆଲୋଚନା ହୋଇଥିଲା ।  ସୂଚନାଯୋଗ୍ୟ, ଚଳିତ ମାସ ୧୪ତାରିଖ ସୋମବାର ଦିନ ଠାରୁ କାଉଡ଼ି ଯାତ୍ରା ଆରମ୍ଭ ହୋଇ ଅସନ୍ତା ମାସ ୪ତାରିଖ ଦିନ ଶେଷ ହେବ ଏବଂ ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ଭକ୍ତ କପିଳାସ ପୀଠକୁ ଆସିପାରନ୍ତି ବୋଲି ଆଲୋଚନା ହୋଇଥିଲା । ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ସଂଜୟ ମହାପାତ୍ର, କାମାକ୍ଷାନଗରର ଉପଜିଲ୍ଲାପାଳ ଦୀନମଣି ନାଏକ, ପୁଲିସ କର୍ମକର୍ତ୍ତା, ସଂପୃକ୍ତ ବିଭାଗୀୟ ଅଧିକାରୀ, ସ୍ଥାନୀୟ ସରପଞ୍ଚ, ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହି ପ୍ରସ୍ତୁତି ସଂପର୍କରେ ଆଲୋଚନା କରିଥିଲେ ।