ଅତ୍ୟାଧୁନିକ ଲିଥିୟମ-ଆୟନ ବ୍ୟାଟେରୀ ପ୍ଲାଣ୍ଟ ଉଦ୍ଘାଟିତ: ୫ ହଜାର ନିଯୁକ୍ତି ସୃଷ୍ଟି କରିବ : ଅଶ୍ୱିନୀ
ଚଣ୍ଡିଗଡ : କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ହରିୟାଣାର ସୋହନାରେ ଟିଡିକେ କର୍ପୋରେସନର ଅତ୍ୟାଧୁନିକ ଲିଥିୟମ-ଆୟନ (ଲି-ଆୟନ) ବ୍ୟାଟେରୀ ଉତ୍ପାଦନ କାରଖାନାର ଉଦ୍ଘାଟନ କରିଛନ୍ତି । ଦେଶର ଇଲେକ୍ଟ୍ରୋନିକ୍ସ ଯାତ୍ରାରେ ଏହାକୁ ଆଉ ଏକ ମୋଡ଼ ଭାବରେ ବର୍ଣ୍ଣନା କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, "ଏହା ଆମ ପାଇଁ ଏକ ବିରାଟ ମାଇଲଖୁଣ୍ଟ କାରଣ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣକୁ ସାକାର କରୁଛୁ । କ୍ୟାମେରା ମଡୁ୍ୟଲ୍, ପିସିବି ଆସେମ୍ବଲି, ସେମିକଣ୍ଡକ୍ଟର କିମ୍ବା ବ୍ୟାଟେରୀ - ଆଗାମୀ ବର୍ଷଗୁଡ଼ିକରେ ପ୍ରତ୍ୟେକ ଉପାଦାନ ସ୍ୱଦେଶୀ ଭାବରେ ନିର୍ମିତ ହେବ । ଇଲେକ୍ଟ୍ରୋନିକ୍ସରେ ଆମର ଆତ୍ମନିର୍ଭରଶୀଳତା ପାଇଁ ଭାରତକୁ ଏପରି ଉନ୍ନତ ପ୍ରଯୁକ୍ତିର ଆଗମନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ସେମିକନ୍ ଇଣ୍ଡିଆ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମ ଥର ପାଇଁ ମେଡ୍ ଇନ୍ ଇଣ୍ଡିଆ ଚିପ୍ସ ପ୍ରଦାନ କରାଯାଇଥିଲା । ଏହି ପ୍ଲାଣ୍ଟର ଶୁଭାରମ୍ଭ ସହିତ ମୋବାଇଲ୍ ଫୋନ୍, ପିନ୍ଧିବାଯୋଗ୍ୟ ଜିନିଷ, ଘଣ୍ଟା, ଇୟରବଡ୍, ଶ୍ରବଣ ଯନ୍ତ୍ର ଯେପରିକି ଏୟାରପଡସ୍ ଏବଂ ଲାପଟପରେ ବ୍ୟବହୃତ ଲିଥିୟମ-ଆୟନ ବ୍ୟାଟେରୀ ଘରୋଇ ଭାବରେ ନିର୍ମିତ ହେବ । ଏହି ଅତ୍ୟାଧୁନିକ ପ୍ଲାଣ୍ଟ ପ୍ରତିବର୍ଷ ପ୍ରାୟ ୨୦ କୋଟି (୨୦୦ ନିୟୁତ) ବ୍ୟାଟେରୀ ପ୍ୟାକ୍ ଉତ୍ପାଦନ କରିବ । ଏହା ଦେଶର ବାର୍ଷିକ ୫୦ କୋଟି ପ୍ୟାକ୍ ଆବଶ୍ୟକତାର ପ୍ରାୟ ୪୦ ପ୍ରତିଶତ ପୂରଣ କରିବ । ବିସ୍ତାର ପାଇଁ ଅପାର ସମ୍ଭାବନା ସହିତ ଏହି ପ୍ଲାଣ୍ଟ ଦେଶର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଇକୋ-ସିଷ୍ଟମକୁ ସୁଦୃଢ଼ କରିବାକୁ ପ୍ରସ୍ତୁତ । ଏହି ପ୍ଲାଣ୍ଟ ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର (ଇଏମସି) ଯୋଜନା ଅଧୀନରେ ସ୍ଥାପିତ ହୋଇଛି । ଏହି ପ୍ଲାଣ୍ଟ ପ୍ରାୟ ୫୦୦୦ ଲୋକଙ୍କୁ ସିଧାସଳଖ ନିଯୁକ୍ତି ପ୍ରଦାନ କରିବ ।