ଅଧାରେ ଅଟକି ରହିଛି ଷ୍ଟେସନ୍ ଗଳାପୋଲ କାର୍ଯ୍ୟ
ବେତନଟୀ: ଅଧାରେ ଅଟକିଛି ବେତନଟୀ ଷ୍ଟେସନ ଗଳାପୋଲ କାର୍ଯ୍ୟ । ରେଳବାଇ ବିଭାଗର ଅଣ୍ଡରପାସ୍ କାର୍ଯ୍ୟକୁ ଅଧାରୁ ଛାଡି ଠିକାଦାର ଛୁ’ ମାରିଥିବାବେଳେ ଯାତାୟତ ପାଇଁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପ୍ରକାଶ ଯେ, ବେତନଟୀ ସହରକୁ ଦକ୍ଷିଣ ପୂର୍ବ ରେଳବାଇ ବିଭାଗର ରୁପ୍ସା-ବାଙ୍ଗିରିପୋଷି ବ୍ରଡଗ୍ୟାଜ ରେଳପଥ ଗତ ୨୦୦୬ ମସିହା ଠାରୁ କାର୍ଯ୍ୟକ୍ଷମ ହେବା ପର ଠାରୁ ପ୍ଲାଟ ଫର୍ମକୁ ଲାଗି ରହିଥିବା ରେଳ ଫାଟକଟିକୁ ବନ୍ଦ କରି ଦିଆଯାଇଥିଲା । ଫଳରେ ସହର ମଧ୍ୟରେ ବସଷ୍ଟାଣ୍ଡରୁ ଆନନ୍ଦ ବଜାରକୁ ଯାତାୟତରେ ଗୁରୁତର ବାଧା ସୃଷ୍ଟି ହୋଇ ଆସୁଥିଲା । ଯାହାକୁ ନେଇ ସହରବାସୀଙ୍କ ପକ୍ଷରୁ ଏହା ପ୍ରତିବନ୍ଧକ ହଟାଇବା ପାଇଁ ରେଳମନ୍ତ୍ରୀଙ୍କ ଠାରୁ ଡିଆରଏମ୍ ଖଡଗପୁର, ବାଲେଶ୍ୱର ସାଂସଦଙ୍କ ପର୍ଯ୍ୟନ୍ତ ଅଭିଯୋଗ କରାଯାଇ ଆସୁଥିଲା । ତେବେ ସହରବାସୀ ଓ ଅଞ୍ଚଳବାସୀଙ୍କ ଦାବିକୁ ନେଇ ଦକ୍ଷିଣପୂର୍ବ ରେଳବାଇ ଡିଭିଜନାଲ ମ୍ୟାନେଜର ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବା ଯୋଗୁଁ ଗତ ତା-୧୩/୧/୨୪ ରିଖରେ ଖୋଦ ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ, କେନ୍ଦ୍ର ଜଳସେଚନ ମନ୍ତ୍ରୀ ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ତଥା ମୟୂରଭଞ୍ଜ ସାଂସଦ ଇଂ ବିଶେଶ୍ୱର ଟୁଡୁ, ମୟୂରଭଞ୍ଜ ରାଜ୍ୟ ସଭା ସାଂସଦ ମମତା ମହାନ୍ତଙ୍କ ସମେତ ସ୍ଥାନୀୟ ବିଧାୟକ ସନାତନ ବିଜୁଳି ପ୍ରମୁଖ ଏକ ସ୍ୱତନ୍ତ୍ର ଉତ୍ସବରେ ଯୋଗ ଦେଇ ଅଣ୍ଡରପାସ୍ ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ । ଏବଂ ଏହି ପ୍ରକଳ୍ପ ପାଇଁ ୧୨କୋଟି ୭୫ ଲକ୍ଷ ଟଙ୍କାର ଅନୁମୋଦନ ହୋଇଥିବାବେଳେ ଏହାର କାର୍ଯ୍ୟ ଫେବୃଆରୀ ମାସରୁ ଆରମ୍ଭ ହୋଇଥିଲା । ମାତ୍ର ଜୁଲାଇ ମାସ ଠାରୁ ଏହି କାର୍ଯ୍ୟ ଅଟକି ରହିଥିବାରୁ ସହରବାସୀଙ୍କ ମଧ୍ୟରେ କାର୍ଯ୍ୟକୁ ସନେ୍ଦହ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ୨୦୨୪ ସାଧାରଣ ନିର୍ବାଚନ ଥିବା ଯୋଗୁଁ କେନ୍ଦ୍ରର ବିଜେପି ସରକାର ଭୋଟ ହାତେଇବା ପାଇଁ ଏହି ପ୍ରକଳ୍ପର ଶୁଭ ଦେଇ ସାରା ମୟୂରଭଞ୍ଜର ସମସ୍ତ ବିଧାୟକ ପଦବୀ ଓ ଲୋକ ସଭା ଆସନରୁ ବିଜୟ ଲାଭ କରିବା ପରେ ଏହାକୁ ଆଗ୍ରାଧିକାର ନ ଦେବା କେନ୍ଦ୍ର ସରକାରଙ୍କର ପ୍ରତାରଣା ବୋଲି ସାଧାରଣରେ ଅଭିଯୋଗ ହୋଇଛି । ତେବେ ଅଣ୍ଡର ପାସ୍ ଗଳା ପୋଲ ପାଇଁ ସହରବାସୀ ନାହିଁ ନ ଥିବା ହନ୍ତସନ୍ତ ହେଉଥିବାବେଳେ ରେଳବାଇ ବିଭାଗରୁ ଟେଣ୍ଡର ନେଇଥିବା ଠିକାଦାର ନିଖୋଜ ରହିବା ଯୋଗୁଁ କାମ ଟେଣ୍ଡର ନେଇଥିବା ଠିକାଦାରଙ୍କୁ ତୁରନ୍ତ ରେଳମନ୍ତ୍ରୀ ଓ ସାଂସଦ ଖୋଜି ବାହାର କରିବାକୁ ସହରବାସୀ ଓ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କରାଯାଇଛି । ରେଳବାଇ ବିଭାଗର ଏଠାରେ ଅନ୍ୟାନ୍ୟ କାମ ଚାଲୁ ରହିଥିବା ବେଳେ ଏହି ଅଣ୍ଡର ପାସ୍ କାମ କରୁଥିବା ଠିକାଦାର କେଉଁ ଆଡେ ଗଲେ ଏବଂ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଏହି ଗଳା ପୋଲ କାମ ଶେଷ ହୋଇପାରିବ କି ନାହିଁ ବୋଲି ସ୍ପଷ୍ଟୀକରଣ ଦେବାକୁ ବିଜେଡି ଓ କଂଗ୍ରେସ ଦଳ ପକ୍ଷରୁ ପ୍ରଶ୍ନ କରାଯାଇଛି ।