ଅଧା ରହିଗଲା ସଂସାର ସ୍ୱପ୍ନ : ଫେରାର ବେଳେ ଦୁର୍ଘଟଣାରେ ଯୁବକ ମୃତ, ନାବାଳିକା ଗୁରୁତର
ପୁରୁଣାକଟକ : ପ୍ରେମକୁ ସଫଳ କରିବା ପାଇଁ ସଂସାର ଗଢିବାର ସ୍ୱପ୍ନ ନେଇ ଘରୁ ପାଦ କାଢିଥିଲେ ପ୍ରେମୀଯୁଗଳ । ହେଲେ ବିଧିର ବିଧାନ ଥିଲା ଆଉ କିଛି... ଦୁର୍ଘଟଣାରେ ପ୍ରେମିକର ଚାଲିଯାଇଥିବା ବେଳେ ମୃତ୍ୟୁ ସହ ସଂଘର୍ଷ କରୁଛି ପ୍ରେମିକା । ମଧ୍ୟ ରାତ୍ରରେ ଘର ଛାଡ଼ି ବାଇକ୍ ଯୋଗେ ପଳେଇଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା ।
ସୂଚନା ଅନୁଯାୟୀ, ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ଅଞ୍ଚଳର ଜଣେ ଯୁବକ ନାବାଳିକା ଜଣଙ୍କୁ ପ୍ରେମ କରୁଥିଲେ । ତେବେ ଗତକାଲି ବିଳମ୍ବିତ ରାତିରେ ନାବାଳିକାଙ୍କୁ ନେଇ ବାଇକ ଯୋଗେ ଫେରାର୍ ବେଳେ ଚାରିଛକ-ଶୀତଲପାଣି ପୂର୍ତ୍ତ ରାସ୍ତାର ବଡ଼ଜୋର ନାଳ ନିକଟରେ ଅଘଟଣ ଘଟିଥିଲା । ଗାଡ଼ିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଘଟଣାସ୍ଥଳରେ ଯୁବକ ଜଣକ ପ୍ରଣ ହରାଇଥିବା ବେଳେ ନାବାଳିକା ଗୁରୁତର ଆହତ ହୋଇଥିଲେ ।
ଖବରପାଇ ଉଭୟଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ହରଭଙ୍ଗା ମେଡିକାଲରେ ଭର୍ତ୍ତି କରିଛନ୍ତି । ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ପଠାଯାଇଛି । ହରଭଙ୍ଗା ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।