ଅଧ୍ୟାପକ ଓ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଜାରି
ଟାଙ୍ଗୀ /ଚୌଦ୍ୱାର : ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ଆହ୍ୱାନକ୍ରମେ ଚୌଦ୍ୱାର କଲେଜର ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀମାନେ ବେତନ ଦାବିରେ ଦୁଇଦିନ ଧରି କାର୍ଯ୍ୟବନ୍ଦ ଆନେ୍ଦାଳନ କରିଛନ୍ତି । ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ସମସ୍ତ ଅଧ୍ୟାପକ ଓ କର୍ମଚାରୀ କାର୍ଯ୍ୟବନ୍ଦ କରି କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି । ୨୦୦୮ ରୁ ୨୦୧୮ ମଧ୍ୟରେ କଲେଜରେ ନିଯୁକ୍ତି ପାଇଥିବା ଅଧ୍ୟାପକ ଓ କର୍ମଚାରୀଙ୍କୁ ସରକାର ନୂତନ ଅନୁଦାନ ନୀତି ପ୍ରଣୟନ କରି ଅନୁଦାନ ଅନ୍ତର୍ଭୁକ୍ତ କରିବା ପାଇଁ ଆନେ୍ଦାଳନକାରୀମାନେ ଦାବି କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ବିଗତ ଦିନରେ ୪୯୭ ଦିନ ଭୁବନେଶ୍ୱରରେ ଅହୋରାତ୍ର ଧାରଣା, ଦସ୍ତଖତ ଅଭିଯାନ, ପଥପ୍ରାନ୍ତ ସଭା କାର୍ଯ୍ୟକ୍ରମ ସହ ଶିକ୍ଷାମନ୍ତ୍ରୀ, ସାଂସଦ, ମୁଖ୍ୟମନ୍ତ୍ରୀ, ବିଧାୟକ ଓ ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ଅନୁଦାନ ଅନ୍ତର୍ଭୁକ୍ତ କରିବା ପାଇଁ ପୂର୍ବ ସରକାର ପ୍ରତିଶ୍ରୁତି ଦେଇଥିବା ବେଳେ ବର୍ତ୍ତମାନ ସରକାର ତାହା ପୂରଣ କରୁନାହାନ୍ତି । କଲେଜର ଅଧ୍ୟାପକ ରତିକାନ୍ତ ସ୍ୱାଇଁ, ଆରଣ୍ୟକ ରାଉତରାୟ, ପ୍ରତାପ ଘଡାଇ, ରଚିତା ବେହେରା, ଝୁନୁରାଣୀ ଦାସ, ସୁଚିସ୍ପିତା ମହାନ୍ତି, କର୍ମଚାରୀ ପରେଶ ବେଉରା, ଲୋହରୀ ଲୋପାମୁଦ୍ରା ରାଉତରାୟ, ସୂର୍ଯ୍ୟକାନ୍ତ ସାହୁ, ସସ୍ମିତା ଆଚାର୍ଯ୍ୟ, ଆଶୋକ ଦାସ, ରଶ୍ମିରଞ୍ଜନ ମଙ୍ଗରାଜ, ଶ୍ରୀକାନ୍ତ ନାୟକ, ପ୍ରଭାସିନୀ ଜେନା, କାହ୍ନୁଚରଣ ବେହେରା ଓ ଲକ୍ଷ୍ମୀଧର ବେଉରା ପ୍ରମୁଖ ଧାରଣାରେ ସାମିଲ ହୋଇଥିଲେ ।