ଅନିଶ୍ଚିତତାରେ କେନ୍ଦୁପାଟଣା ଡାଏରୀ ପ୍ରକଳ୍ପ

ନିଶ୍ଚିନ୍ତକୋଇଲି: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକରେ ଦୁଗ୍ଧଚାଷୀଙ୍କ ପାଇଁ ଶିଳାନ୍ୟାସ ହୋଇଥିବା କେନ୍ଦୁପାଟଣା ଟାଏରୀର ଭବିଷ୍ୟତକୁ ନେଇ ସନେ୍ଦହ ପ୍ରକାଶ ପାଇଛି । ୨୦୧୯ରୁ ଶିଳାନ୍ୟାସ ହୋଇଥିବା ଏହି ପ୍ରକଳ୍ପ ସଂପୂର୍ଣ୍ଣ ହୋଇ ପାରୁନାହିଁ । ନିର୍ମାଣ କାର୍ଯ୍ୟ ଅଧାରୁ ଛାଡି ଠିକାଦାର ଛୁ’ ମାରିଛି । ଯାହାକୁ ନେଇ ଗୋ-ପାଳନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । 
୨୦୧୯ ଫେବୃୟାରୀ ୧୭ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁପାଟଣା ଡାଏରୀର ଶିଳାନ୍ୟାସ କରିଥିଲେ । କେନ୍ଦୁପାଟଣା କେନାଲ ବନ୍ଧ ରାସ୍ତାରେ ଆସିଲେ କେନ୍ଦୁପାଟଣା ପଂଚାୟତ ଚମ୍ପତି ପାଟଣା ଠାରେ ୨୦ ହଜାର ଲିଟର କ୍ଷମତା ବିଶିଷ୍ଟ ଏହି ଡାଏରୀରେ ଦୁଗ୍ଧ ଶୀତଳୀକରଣ ହେବା ସହ ବଟ୍ଲିଙ୍ଗ୍ ହୋଇ ଓଡିଶାର ବିଭିନ୍ନ ସ୍ଥାନକୁ ଶୁଦ୍ଧ ଓ ପ୍ରୋଟିନ୍ ଯୁକ୍ତ କ୍ଷୀର ଯୋଗାଇ ଦିଆଯାଇଥାଆନ୍ତା । ୧୨କୋଟି ବ୍ୟୟ ଅଟକଳରେ ଇପିଆଇସି ନାମକ ଦିଲ୍ଲୀର ଏକ ଠିକାସଂସ୍ଥା ଟେଣ୍ଡର ଯୋଗେ ଏହାର ନିର୍ମାଣ ଦାୟିତ୍ୱ ନେଇଥିଲେ । ହେଲେ ଠିକାଦାର କେବଳ ଗୃହ ଓ ପାଚେରୀ ନିର୍ମାଣ କରି କାର୍ଯ୍ୟ ବନ୍ଦ୍ କରି ପଳାଇଛନ୍ତି । ଇତି ମଧ୍ୟରେ ୫ ବର୍ଷ ବିତିଗଲାଣି । ଏହି ଡାଏରୀର ଭବିଷ୍ୟତ ଏବେ ନାଲି ଫିତା ତଳେ । ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେଉନଥିବାରୁ ଗୋଚାଷୀ ଅଜୟ ଦାସ, କରୁଣାକର ପରିଡା, ଦିଲ୍ଲୀପ ଘଡାଇ ପ୍ରମୁଖ କ୍ଷୋଭ ପ୍ରକାଶ କରିଛନ୍ତି । ରାଜ୍ୟର ନବଗଠିତ ବିଜେପି ସରକାର ଗୋଚାଷୀଙ୍କୁ ପ୍ରୋତ୍ସାହନ ଓ ଛୋଟ ଡାଏରୀ ନିର୍ମାଣ ନିମନ୍ତେ ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ଅଧିବେଶନରେ ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରି କହିଥିଲେ । ପଶୁପାଳନକୁ ଯୁବପିଢୀ ଆସିଲେ ବୈପ୍ଳବିକ ପରିବର୍ତ୍ତନ ହେବ । ସେଥିପାଇଁ ଯୁବପିଢୀଙ୍କ ନିମନ୍ତେ ବର୍ତ୍ତମାନର ନୂଆ ସରକାର ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ପ୍ରଣୟନ କରିଛନ୍ତି । ସରକାର ଏହି କେନ୍ଦୁପାଟଣା ଡାଏରୀକୁ ତୁରନ୍ତ କାର୍ଯ୍ୟକ୍ଷମ ନ କଲେ ସ୍ଥାନୀୟ ବାସିନ୍ଦା ପ୍ରଣତୀ ଦାସ, ଶିଶିର କୁମାର ପ୍ରଧାନ ପ୍ରମୁଖଙ୍କ ସମେତ ବହୁ ଗୋଚାଷୀ ଆନେ୍ଦାଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଅପରପକ୍ଷରେ ଓମ୍ଫେଡ୍ର ଟେପୁଟି ମ୍ୟାନେଜର ସୁଧାଂଶୁ ପଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରିବାରେ ନିର୍ମାଣାଧିନ ପ୍ରକଳ୍ପରେ ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର ପାଇଁ ଏଷ୍ଟିମେଣ୍ଟ ବଦଳାଯାଇଛି । ନେସନାଲ ଡାଏରୀ ଡେଭଲପ୍ମେଣ୍ଟ ବୋର୍ଡର ଅନୁମୋଦନ ଆସିଲେ ୧୨ କୋଟିର ଏହି ପ୍ରକଳ୍ପ ୨୩ କୋଟି ବ୍ୟୟ ବରାଦରେ ସ୍ୱୟଂ ଚାଳିତ ଯନ୍ତ୍ରପାତୀ ଜରିଆରେ କାର୍ଯ୍ୟକ୍ଷମ ହୋଇ ପାରିବ ବୋଲି ମତ ରଖିଥିଲେ । ତେବେ ଦେଖିବାକୁ ବାକି ରହିଲା କେବେ ନିର୍ମାଣ କାର୍ଯ୍ୟ ସରୁଛି ଓ କାର୍ଯ୍ୟକ୍ଷମ ହେଉଛି କେନ୍ଦୁପାଟଣା ଡାଏରୀ ।