ମେଗା ପାଣି ସତ ସପନ; ଡହଳ ବିକଳ ଧର୍ମଶାଳାବାସୀ

ଜାରକା : ଧର୍ମଶାଳାର ପ୍ରତି ଗାଁରେ ପ୍ରତି ଘରକୁ ପାଣି ଯୋଗଇ ଦେବାକୁ ଠିକା ନେଇଥିବା ମେଗା କମ୍ପାନୀ ଏବେ ଧର୍ମଶାଳା ଲୋକଙ୍କ ପାଇଁ ଅଭିଶାପ ପାଲଟିଛି । ଦୁଇ ବର୍ଷ ମଧ୍ୟରେ ପ୍ରକଳ୍ପ କାମ ସାରି ପାଣି ଯୋଗଇ ଦେବାକୁ ଠିକା ନେଇଥିବା ବେଳେ ୫ବର୍ଷ ବିତିବାକୁ ବସିଲାଣି ହେଲେ ପାଣି ଯୋଗଇବାରେ ବିଫଳ ହୋଇଛି । ପୁରା ଜିଲାକୁ ଗ୍ୟାପ ଯୋଗେ ପାଣି ଯୋଗଇ ଦେବାକୁ ୨୦୧୯/୨୦ ମସିହାରେ ୪୯୪ କୋଟି ଟଙ୍କା ଓ ପରେ ୨୦୨୦/୨୧ରେ ଆଉ ଏକ ପ୍ରକଳ୍ପ ପାଇଁ ୨୪୫କୋଟି ବ୍ୟାୟ ବରାଦ ହୋଇ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଏହା ଏବେ ସୁଧା ସଫଳ ହୋଇନାହିଁ । ସବୁଠି କାମ ଏବେ ଅଧାପନ୍ତରିଆ ହୋଇ ପଡିରହିଛି । ଆଉ ମିଲିଥୁବା ସୂଚନା ଅନୁଯାୟୀ ବ୍ୟୟ ବରାଦର ସିଂହ ଭାଗ ଅର୍ଥ କୁଆଡେ ବିଲ ହୋଇ ସାରିଛି । ଆଉ ମାତ୍ର କିଛି ପ୍ରତିଶତ ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ କାମ ଏବେ ୮୫% ସରିଥିବା କହୁଥିବା ବେଳେ ବାସ୍ତବତା କିନ୍ତୁ ଅଲଗା । ନିର୍ବାଚନ ଭିତରେ ଏହା ଶେଷ ହେବା ନେଇ ମଧ୍ୟ ସନେ୍ଦହ ଦେଖା ଦେଇଛି । ରାଜ୍ୟ ସରକାର ପ୍ରତି ଗାଁରେ ବସୁଧା ଯୋଜନା ସୁଚନା ଫଳକ ଲଗାଇ ସୂଚାଇ ଦେଇଛନ୍ତି ପ୍ରତି ଘରକୁ ପାଣି ଯୋଗାଇ ଦିଆ ଯାଇଛି । ଜଳ କଷ୍ଟ ସୀମା ଟପିବାକୁ ବସିଥିଲା ବେଳେ ଏହି ସୂଚନା ଫଳକ ଏବେ ଲୋକଙ୍କୁ ଉପହାସ କରୁଛି । ସରକାର କେତେ ସତ କହୁଛନ୍ତି ଏହା ତାର ନଗ୍ନରୂପ ଦେଖିବାକୁ ମିଳିଛି ଯାଜପୁର ଜିଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗଡମଧୁପୁର ପଞ୍ଚାୟତର ଭୁବନପୁର ଗ୍ରାମରେ । କେବଳ ଭୁବନପୁର ନୁହେଁ ଏହା ପୁରା ଧର୍ମଶାଳାର ବାସ୍ତବ ସ୍ଥିତି ହୋଇଥିବା ବେଳେ କେବଳ ଭୁବନପୁରକୁ ଏକ ଉଦାହରଣ ଭାବରେ ନିଆ ଯାଇପାରେ । ଧର୍ମଶାଳା ବ୍ଳକ ରାଇଚନ୍ଦା ପଞ୍ଚାୟତ ଅନ୍ତର୍ଗତ ବାଲିକୁଦିଆ ଠାରେ ବୃହତ ବିଷୁଦ୍ଧ ପାନୀୟ ଜଳ ପ୍ରକଳ୍ପ ହେଲେ ଧର୍ମଶାଳା ବ୍ଳକର ସମସ୍ତ ପଞ୍ଚାୟତକୁ ପାଣି ଯୋଗାଇ ଦିଆଯିବ । ବ୍ରାହ୍ମଣୀନଦୀର ପାଣିକୁ ଏଠାରେ ବିଶୋଧନ ପରେ ଏହାକୁ ପାଇପ ଲାଇନ ଜରିଆରେ ବିଭିନ୍ନ ଗ୍ରାମକୁ ଯୋଗଇ ଦିଆଯିବାର ପ୍ରକଳ୍ପ ପ୍ଲାନିଙ୍ଗରେ ରହିଛି । ଏହି ଜଳ ଯୋଗାଣ ପ୍ରକଳ୍ପ ଧର୍ମଶାଳା ବ୍ଳକ ରାଇଚନ୍ଦା ପଞ୍ଚାୟତର ବାଲିକୁଦିଆ ଠାରେ ବ୍ରାହ୍ମଣୀ ନଦୀକୂଳରେ ସ୍ଥାପିତ ହେବା ପାଇଁ କାର୍ଯ୍ୟ ଚାଲିଛି । ପ୍ରକଳ୍ପ ପାଇଁ ୨୧୪ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଏହି କାର୍ଯ୍ୟ କରିବାକୁ ରାଜ୍ୟ ବାହାରର ଠିକା ସଂସ୍ଥା ଏମଇଆଇଏଲ ଚୁକ୍ତି କରିଛି । ଦୀର୍ଘ ୪ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରକଳ୍ପ ଏବେ ମଧ୍ୟନଦୀର ପାଣି ଉଠାଇବାରେ ସମର୍ଥ ହୋଇନାହିଁ । ଠିକାଦାର ଅଣ ଓଡିଆ ହୋଇଥିବାରୁ ସ୍ଥାନୀୟ ସରପ ଓ କିଛି ଯୁବାବରିଷ୍ଠ ନେତା କାମ ହାତେଇବାକୁ ଚକ୍ରାନ୍ତ କରି ସେଥୁରେ ସଫଳ ହେବା ସହିତ ମନଇଛାରେ କାମ କରି ପ୍ରକଳ୍ପର ଭାଗ୍ୟକୁ ଅନ୍ଧକାର ମଧ୍ୟକ ଠେଲି ଦେଇଛନ୍ତି । ଶୁଣିବାକୁ ମିଳୁଛି ରାଜନୀତିୟାଙ୍କ ଚାନ୍ଦା ଦେଇଦେଇ ନୟାନ୍ତ ହୋଇଥିବା କମ୍ପାନୀ ଶେଷରେଏବେ ଦୀର୍ଘ କିଛି ଦିନ ହେବ କାମ ବନ୍ଦ କରିଦେଇଛି । ବାଲିକୁଦିଆ ଠାରେ ଏବେ କିଛି ସୁରକ୍ଷା କର୍ମୀ କେବଳ ପ୍ରକଳ୍ପକୁ ଜଗି ରହିଛନ୍ତି । ପାଇପ ବିଛାଇବା ଠାରୁ ଆରମ୍ଭକରି ଟ୍ୟାପ ଲଗାଇବା ପର୍ଯ୍ୟନ୍ତ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି । ଘରକୁ ଦିଆ ଯାଇଥୁବା ପାଇପ ଏବେ ଫକ୍ଷଟିକି ରାସ୍ତାରେ ପଡିଛି । ଗ୍ୟାପ ସବୁ ଭାଙ୍ଗି ରୁଜି ଗଲାଣି । ଲୋକେ ଆଉ କେତେ ଦିନ ସାଇତି ରଖୁଥାନ୍ତେ । ପାଣି ପବନ ଖାଇ ଲୁହା ପାଇପ ଗୁଡିକ କଳଙ୍କି ଲାଗି ନଷ୍ଟ ହୋଇ ଗଲାଣି । ଲୋକଙ୍କ ଭରସା ତୃଟି ଯାଇଥିବା ବେଳେ ଅବସ୍ତା ଏଭଳି ହୋଇଛି ଦେଖୀଲେ ଜଣା ଯାଉଛି ଲୋକେ ଆଉ ପାଣି ପାଇବେନାହିଁ । ଏହି ପ୍ରକଳ୍ପରୁ ପାଣି ଦେବାକୁ ଥିବାରୁ ଭୁବନପୁର ଠାରେ ହେବାକୁ ଥିବା ବାସୁଧା ଜଳ ଯୋଗାଣ ବୋରିଂଟି ଅଚଳ ଅବସ୍ତାରେ ରଖି ଦିଆଗଲା । ଦିର୍ଘ ଦୁଇ ବର୍ଷ ବୋର ଟି ଅଚଳ ପଢିବା ପରେ ଜଳ କଷ୍ଟ ଅସହ୍ୟ ହେବାରୁ ଆଖପାଖର କିଛି ପରିବାର ନିଜସ୍ୱ ସମ୍ବଳ ବିନିଯୋଗ କରି ବୋର ରେ ମେସିନ ପକାଇ ଘରକୁ ପାଇପ ଯୋଗେ ପାଣି ନେଇ ଚଳୁଛନ୍ତି ହେଲେ ପୁରା ଗ୍ରାମବାସୀ ଏଥୁରୁ ପାଇଲେ କଣ? ଗ୍ରାମର ମହିଳା ମାନେ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଭେଟି ସମସ୍ୟା ବିଷୟରେ ଅବଗତ କରିବା ପରେ ତୁରନ୍ତ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ବିଧାୟକ ମଧ୍ୟ ସହମତି ପ୍ରକାଶ କରିଛନ୍ତି । କଥା ଏବେ ନିର୍ବାହୀ ଯନ୍ତ୍ରୀଙ୍କ ଟେବୁଲରେ ପଡିଥିବା ଯନ୍ତ୍ରୀ କହୁଥିବା ବେଳେ ନିର୍ବାହୀ ଯନ୍ତ୍ରୀ ଏବେ ଅବସର ନେଇ ସାରିଲେଣି । କିଏ ସୁଣିବ ଦୁଃଖ । କେବେ ଦୁର ହେବା ଜଳକଷ୍ଟ? ମେଗା ଧୋକା ଠାରୁ ଜଳ କଷ୍ଟ ବଳି ପଡିଥିବାରୁ ତୁରନ୍ତ ସମାଧାନ ନିମନ୍ତେ ଦାବି ହୋଇଛି । ଏନେଇ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇ ଥିଲେ ବି ତାଙ୍କର ପ୍ରତିକ୍ରିୟା ମିଳିପାରିନଥିଲା ।