ଅନିୟମିତତାରେ ଚାଲିଛି ମହିଳା ହଷ୍ଟେଲ କାର୍ଯ୍ୟ
ାା ପ୍ରଭାନୁ୍ୟଜ ।ା ମଙ୍ଗଳପୁର: ଯାଜପୁର ଜିଲା ଦଶରଥପୁର ବ୍ଲକ ମଲ୍ଲିକାପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଚାଲିଥିବା ବିଭିନ୍ନ କାର୍ଯ୍ୟରେ ଦୁର୍ନୀତିର ଗନ୍ଧ ବାରି ହୋଇପଡ଼ୁଛି । ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ଏହି ବିଦ୍ୟାଳୟର ପରିସରରେ ଏକାଧିକ ପ୍ରକଳ୍ପ ନିର୍ମାଣ କରାଯାଉଥିବା ବେଳେ ଠିକାଦାରଙ୍କ ପାଇଁ ତାହା ଲେଉଟିଆ କିଆରି ପାଲଟିଛି । କୋଟି କୋଟିର କାର୍ଯ୍ୟ ଚାଲୁଥିଲେ ହେଁ କୋଉଠିବି ସୂଚନା ଫଳକର ଦେଖାନାହିଁ । ଠିକାଦାର ସୂଚନା ଫଳକ ମାରିବାକୁ ମନ ବଳାଉନଥିବା ବେଳେ ବିଭାଗୀୟ ଅଧିକାରୀ ମଧ୍ୟ କାର୍ଯ୍ୟସ୍ଥଳରେ ପାଦ ପକାଉ ନାହାନ୍ତି । ଯାହା ଖବର ଅଛି ସାଇକେଲ ଷ୍ଟାଣ୍ଡ ନିମନ୍ତେ ୧୬.୪୨ଲକ୍ଷ, କିଚେନ କମ ଡାଇନିଂ ହଲ ନିମନ୍ତେ ୩୬.୧୦ ଲକ୍ଷ, ବାଳକ ହଷ୍ଟେଲ ନିମନ୍ତେ ୩.୯୨ କୋଟି ଓ ବାଳିକା ହଷ୍ଟେଲ ନିମନ୍ତେ ମଧ୍ୟ ୩.୯୨ କୋଟି ଟଙ୍କାର ଅନୁଦାନ ସରକାରଙ୍କ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ଯୋଗାଇ ଦିଆଯାଇଛି । ଏଥି ମଧ୍ୟରୁ କେବଳ ବାଳକ ହଷ୍ଟେଲକୁ ବାଦ ଦେଇ ଅନ୍ୟ ସମସ୍ତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟା ଚାଲୁରହିଛି । ସେଥିମଧ୍ୟରୁ ସାଇକେଲ ଷ୍ଟାଣ୍ଡ ଓ କିଚେନ କମ ଡାଇନିଂ ହଲ ନିର୍ମାଣର ଅର୍ଦ୍ଧାଧିକ କାର୍ଯ୍ୟ ଶେଷ ହୋଇଛି । ବାଳିକା ହଷ୍ଟେଲର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ୩.୯୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଏହି ପ୍ରକଳ୍ପର କାର୍ଯ୍ୟ ଏସ ଏନ୍ବିଏସ୍ ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ଼ ନାମକ ସଂସ୍ଥା ନେଇଛି । ମାତ୍ର ଉକ୍ତ ଠିକସଂସ୍ଥା ସାମଗ୍ରୀଗୁଡିକର ଧାର୍ଯ୍ୟ ମାନ ଠାରୁ ଅତି ନିମ୍ନମାନର ସାମଗ୍ରୀ ବ୍ୟବହାର କରୁଥିବାର ଦେଖାଯାଇଛି । ରଡ଼, ଚିପ୍ସ ସମେତ ବାଲି ଅତି ନିମ୍ନମାନର ହୋଇଥିବା ବେଳେ ବିଲଡିଂ ପ୍ଳିନ୍ଥିଲେବଲ ପର୍ଯ୍ୟନ୍ତ ଇଟା ଯୋଡ଼ାଯିବା ପରେ ବାଲି ଫିଲିଂ କରିବା ବଦଳରେ ମାଟି ଫିଲିଂ କରିଥିବାର ଦେଖାଯାଇଛି । ଯାହାଫଳରେ ବିଲଡିଂର ମୂଳ ଭିତ୍ତିଭୂମୀ ଦୁର୍ବଳ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଅପରପକ୍ଷରେ ବିଦ୍ୟାଳୟ ପରିସର ମଧ୍ୟରେ ନିର୍ମାଣ କରାଯାଉଥିବା କୌଣସି ପ୍ରକଳ୍ପରେ ସୂଚନା ଫଳକ ନ ଥିବା ଯୋଗୁଁ ଏହାର କାର୍ଯ୍ୟ ସମ୍ପର୍କରେ ଜନସାଧାରଣ ଅଜ୍ଞ ରହୁଛନ୍ତି । ମାତ୍ର ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ସାଲାସୁତୁରାରେ ଉକ୍ତ ନିର୍ମାଣାଧୀନ ହଷ୍ଟେଲ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବାର ଅଭିଯୋଗ ହେଉଛି । କାର୍ଯ୍ୟ ତଦାରଖ ନିମନ୍ତେ ବିଭାଗୀୟ ଅଧିକାରୀ ଘଟଣା ସ୍ଥଳକୁ ନଆସିବା ଫଳରେ ଠିକା ସଂସ୍ଥା ପକ୍ଷରୁ ଅଧିକ ଲାଭ ଆଶାରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରୁଥିବା କୁହାଯାଉଛି । ଅଭିଯୋଗ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ରମେଶ ଚନ୍ଦ୍ର ମହାପାତ୍ରଙ୍କୁ ପଚାରିବାରେ ସେ ତୁରନ୍ତ ଉକ୍ତ ମାଟିକୁ ବାହାର କରାଯାଇ ବାଲି ଫିଲିଂ କରାଯିବ ବୋଲି କହିଥିଲେ । ଛାତ୍ରଛାତ୍ରୀମାନଙ୍କ ବ୍ୟବହାର ନିମନ୍ତେ ନିର୍ମାଣ କରାଯାଉଥିବା ହଷ୍ଟେଲ କାର୍ଯ୍ୟରେ ସ୍ୱଚ୍ଛତା ଅବଲମ୍ବନ କରାଯାଉନଥିବା ଯନ୍ତ୍ରୀଙ୍କ କଥାରୁ ବୁଝାପଡ଼ିଯାଉଛି । ତୁରନ୍ତ ନିର୍ମାଣ କାର୍ଯ୍ୟର ତଦାରକ କରାଯାଇ ବିହିତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି ।