ଅନ୍ଧାରରେ ଚଣ୍ଡୀଛକ, ପ୍ରତିକାର ଦାବି
ବେତନଟୀ : ବେତନଟୀର ଜନଗହଳି ଚଣ୍ଡିଛକରେ ଲାଗିଥିବା ହାଇମାଷ୍ଟ ଲାଇଟ୍ ଗତ ଦୁଇ ବର୍ଷ ହେବ ଅଚଳ ହୋଇ ପଡିରହିଛି । ଯାହାଫଳରେ ସନ୍ଧ୍ୟା ହେଲେ ଛକରେ ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ଜମୁଥିବାବେଳେ ଚୋରି, ଡକାୟତି ଆଦି ବଢିଚାଲିଛି । ପ୍ରକାଶ ଯେ, ଆଜକୁ ପ୍ରାୟ ଦଶବର୍ଷ ତଳେ ବିଧାୟକଙ୍କ ହାତପାଣ୍ଠିରୁ ଚଣ୍ଡିଛକରେ ୮ଟି ହାଇମାଷ୍ଟ ଲାଇଟ୍ର ବ୍ୟବସ୍ଥା ହୋଇଥିଲା । ତାହାର କିଛିବର୍ଷ ପରେ କ୍ରମାନ୍ୱୟରେ ଗୋଟିଏ ପରେ ଗୋଟିଏ ଲାଇଟ୍ ଖରାପ ହୋଇଥିଲା । ସ୍ଥାନୀୟ ବଦାନ୍ୟ ବ୍ୟକ୍ତି, ବ୍ୟବସାୟୀମାନଙ୍କ ଠାରୁ ଚାନ୍ଦା ଆଦାୟ କରି, ସରପଞ୍ଚ ଆଦିଙ୍କ ସହାୟତାରେ ୨ରୁ ୩ ଥର ଏହାର ଆଂଶିକ ମରାମତି କରାଯାଇଥିଲା । କିନ୍ତୁ ଏବେ ଦୁଇବର୍ଷ ଭଳି ତାହା ସଂପୂର୍ଣ୍ଣ ଖରାପ ହୋଇ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅବସ୍ଥିତ ଛକଟି ସଂପୂର୍ଣ୍ଣ ଅନ୍ଧାର ରହୁଛି । ଏହି ବ୍ୟସ୍ତବହୁଳ ଚଣ୍ଡିଛକ ଠାରୁ ଦୁଇଗୋଟି ରାସ୍ତା ୧୮ନଂ ଜାତୀୟ ରାଜପଥକୁ, ଉଦଳା- ବଡ଼ସାହି ଓ ରେଳ ଷ୍ଟେସନ ତଥା ମୁଖ୍ୟ ବଜାରକୁ ସଂଯୋଗ କରୁଛି । ଦିନ ଦ୍ୱିପହରରେ ସ୍ତ୍ରୀ ଲୋକଙ୍କ ଠାରୁ ଗହଣା ଲୁଟ୍, ହାଟରୁ, ରାସ୍ତାପାର୍ଶ୍ୱରୁ ବାଇକ୍ ଚୋରି ବେତନଟୀ ଓ ବୈଶିଙ୍ଗା ଅଞ୍ଚଳରେ ଏକ ସାଧାରଣ ଘଟଣାରେ ପରିଣତ ହୋଇଥିବାରୁ ସନ୍ଧ୍ୟା ପରେ ଅସାମାଜିକ କାର୍ଯ୍ୟକଳାପ ଆହୁରି ବଢିଯାଇଥାଏ । ତେଣୁ ଅବିଳମ୍ବେ ଏହାର ମରାମତି କରିବାକୁ ବେତନଟୀ ସିଭିଲ ସୋସାଇଟି ପକ୍ଷରୁ ସଭାପତି ଚୂଡାମଣି ମହାପାତ୍ର ଓ ସାଧାରଣ ସଂପାଦକ ଆଇନଜୀବୀ ସଚ୍ଚିଦାନନ୍ଦ ମହାନ୍ତି ସ୍ଥାନୀୟ ବିଡିଓ ଓ ଉପଜିଲ୍ଲାପାଳଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ସମୟରେ କା.ସଭାପତି ହରିଶ୍ ଚନ୍ଦ୍ର ନନ୍ଦ ଗୋସ୍ୱାମୀ, ଉପସଭାପତି ଅରୁଣ କୁମାର ଓତା, ସୋସାଇଟିର ସଦସ୍ୟ ତଥା ସମାଜସେବୀ ପ୍ରକାଶ ବେହେରା, ଉପଦେଷ୍ଟା ବାସୁଦେବ ନାପିତ ଓ ଯତୀନ୍ଦ୍ର ନାଥ ସାହୁ, କୋଷାଧ୍ୟକ୍ଷ ହରେନ୍ଦ୍ର ନାଥ ବାରିକଙ୍କ ସହ ଅଡିଟର ରାମଚନ୍ଦ୍ର ପଣ୍ଡା, ଯୁଗ୍ମ ସଂପାଦକ ଡଃ ରମାକାନ୍ତ ମହାନ୍ତ, କାର୍ଯ୍ୟକାରୀ ସଦସ୍ୟ ଦୁର୍ଯେ୍ୟାଧନ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।