‘ଅପରାଧ ପ୍ରବଣ ରାଜ୍ୟ ପାଲଟିଛି ଓଡ଼ିଶା’
ଭୁବନେଶ୍ୱର : ଶାନ୍ତ ପ୍ରିୟ ଓଡ଼ିଶା ଏବେ ଅପରାଧ ପ୍ରବଣ ରାଜ୍ୟ ପାଲଟିଛି । ଥାନା ଏବେ ବିଜେପିର ପାର୍ଟି ଅଫିସ୍ ଚାଲିଛି । ମହିଳା ପୁଲିସ୍ ବି ସୁରକ୍ଷିତ ନୁହେଁ । ପର୍ଯ୍ୟଟନ କ୍ଷେତ୍ରକୁ ଯିବାକୁ ଝିଅଟେ ଡରିଲାଣି । ଆମେରିକା ବି ଓଡ଼ିଶାକୁ ନଆସିବା ପାଇଁ ନିଜ ନାଗରିକଙ୍କୁ ପରାମର୍ଶ ଦେଉଛି । ଅପରାଧଙ୍କ ମନରେ ଆଉ ଡର ଭୟ ନାହିଁ । ଏମିତି ଭାବେ ସରକାରଙ୍କ ଉପରେ ବର୍ଷିଛି ବିଜେଡ଼ି ।
ଅପରପକ୍ଷରେ ଏହାର ଜବାବ ଦେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତିଯେ, ଚବିଶ ବର୍ଷର ପାପ ଧୋଉଛୁ । ମୋହନ ସରକାର ବଡ଼ ବଡ଼ ଘଟଣାରେ ଦୁଇ ତିନି ଦିନରେ ଅପରାଧିଙ୍କୁ ଧରୁଛନ୍ତି । ପୁଲିସକୁ ଦକ୍ଷ କରାଯାଉଛି । ମାନବସମ୍ବଳ ଓ ଭିତ୍ତିଭୂମି ମଜବୁତ୍ କରାଯାଉଛି । ଓଡ଼ିଶାରେ ଅପରାଧ ହାର ହ୍ରାସ ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ । ଅପରପକ୍ଷରେ ହଟ୍ଟଗୋଳ କରି କଂଗ୍ରେସ ଗୃହରୁ କକ୍ଷତ୍ୟାଗ କରିଥିବାରୁ ଆଲୋଚନାରେ ଭାଗ ନେଇନଥିଲା । ସେପଟେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ଗୃହରୁ ବିଜେଡ଼ି ବିଧାୟକମାନେ କକ୍ଷତ୍ୟାଗ କରିଥିଲେ ।
ବିଜେଡ଼ି ବିଧାୟକ ଗୌତମ ବୁଦ୍ଧ ଦାସ ମୁଲତବୀ ଆଲୋଚନା ଆରମ୍ଭ କରି କହିଥିଲେଯେ, ପୂର୍ବରୁ ଅପରାଧିଙ୍କ ମନରେ ଡର ଥିଲା । ଅପରାଧିଙ୍କ ଉପରେ ପୁଲିସ୍ ଝାମ୍ପି ପଡୁଥିଲେ । ହେଲେ ଏବେ ଶାନ୍ତିପ୍ରିୟ ରାଜ୍ୟରୁ ଓଡ଼ିଶା ଅପରାଧପ୍ରବଣ ରାଜ୍ୟରେ ପରିଣତ ହୋଇଛି । ଓଡ଼ିଶାକୁ ନଆସିବା ପାଇଁ ଆମେରିକା ବି ନିଜ ନାଗରିକଙ୍କୁ ଆଡ଼ଭାଇଜରୀ ଜାରିକରିଛି । ଦୁର୍ଯେ୍ୟାଧନ ଓ ଦୁଃଶାସନମାନଙ୍କ ଶାସନ ଚାଲିଛି । ମହିଳା ପୁଲିସ୍ ବି ଏଠି ସୁରକ୍ଷିତ ନୁହଁନ୍ତି । ଜଣେ କନଷ୍ଟେବଳଙ୍କୁ ମାରି ତାଙ୍କ ଶବକୁ ସିପି କାର୍ଯ୍ୟାଳୟର ପାର୍କିଂରେ ରଖାଯାଇଥିଲା । ଏବିଭିପି ନେତାଙ୍କ ଚାପରେ ସୌମ୍ୟାଶ୍ରୀ ବିଶି ଆତ୍ମଦାହ କଲେ । ଦୋଷୀ ଛାତ୍ରନେତାଙ୍କୁ ଗିରଫ ପରେ କ୍ରାଇମବ୍ରାଞ୍ଚ ଆଇଜି ଏସ୍. ସାଇନି ଛୁଟିରେ ପଳାଇଲେ । ଯାହାକି ରହସ୍ୟ ଘେରରେ ରହିଛି । ଏମିତିକି ପର୍ଯ୍ୟଟନ କ୍ଷେତ୍ରକୁ ଯିବା ପାଇଁ ଝିଅଟେ ଡରୁଛି ବୋଲି ସେ କହିଥିଲେ ।
ସେହିପରି ବିଧାୟକ ଧ୍ରୁବ ସାହୁ ନିଜ ନିର୍ବାଚନମଣ୍ଡଳୀର କେତେକ ଅପରାଧର କଥା କହିବା ସହ ଥାନା ଏବେ ବିଜେପି କର୍ମୀଙ୍କ ପାର୍ଟି ଅଫିସ୍ ପାଲଟିଛି ବୋଲି କହିଥିଲେ । ବିଧାୟିକା ସୁବାସିନୀ ଜେନା କହିଥିଲେଯେ, ଆମର ଉପମୁଖ୍ୟମନ୍ତ୍ରୀ, ବାଚସ୍ପତି ଓ ବିରୋଧୀ ଦଳ ସଚେତକ ହେଉଛନ୍ତି ମହିଳା । ମହିଳାମାନେ ଏବେ ଆଗକୁ ବଢୁଛନ୍ତି । ହେଲେ ରାଜ୍ୟରେ ଏବେ ମହିଳା ବିରୋଧୀ ଅପରାଧ ବଢ଼ିବାରେ ଲାଗିଛି । ମହିଳାଙ୍କୁ ଥାନାରେ ନ୍ୟାୟ ମିଳୁନାହିଁ । ଆମେ ସରକାରଙ୍କୁ ସମାଲୋଚନା କରିବୁ, ସରକାରୀ ଦଳ ୨୪ ବର୍ଷର କଥା ଉଠାଇବେ, ହେଲେ କାଦୁଅଫିଙ୍ଗାରେ ନାରୀ ନିଷ୍ପେସିତ ହେଉଛି । ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକି ବରିଷ୍ଠ ଅଧିକାରୀ ଓ ମହିଳା ସାମାଜିକ କର୍ମୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବା ଦରକାର । ସେହିପରି ପାର୍ବଣ ଋତୁକୁ ଭୟମୁକ୍ତ କରିବା ପାଇଁ ଦୁର୍ଗାବାହିନୀ ଗଢ଼ିବାକୁ ସେ ପରାମର୍ଶ ଦେଇଥିଲେ ।
ଧ୍ୟାନ ଆକର୍ଷଣକାରୀ ନୋଟିସ୍ ଜରିଆରେ ଶାସକ ଦଳ ବିଧାୟକ ବାବୁ ସିଂ କହିଥିଲେଯେ, ଶଙ୍ଖଭବନରେ ଏବେ ମହିଳାଙ୍କ ରେକର୍ଡ଼ିଂ ସାରା ଓଡ଼ିଶାରେ ଚର୍ଚ୍ଚା ସୃଷ୍ଟିକରିଛି । ହାତୀ ମାରିକି କୁଲା ଘୋଡ଼ାଉଛନ୍ତି । ପରୀ, ପିହୁ, ମାଧବୀଲତା, ମମିତା, ସଂଯୁକ୍ତା ମହଲ ଏମିତି ଅନେକ ଘଟଣାରେ ବିଜେଡ଼ି ନେତା ଜଡ଼ିତ ଥିଲେ । ସେତେବେଳେ ବିଜେଡ଼ି ନିଜ ଦଳର ନେତାଙ୍କୁ ଘଣ୍ଟ ଘୋଡ଼ାଉଥିଲା । ଏବେ କିନ୍ତୁ ଅପରାଧ କମିଛି । ମୋହନ ସରକାର ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ଆଲୋଚନରେ ବିଜେପି ବିଧାୟକ ସର୍ବଶ୍ରୀ ସନ୍ତୋଷ ଖଟୁଆ, ଇରାଶିଷ ଆଚାର୍ଯ୍ୟ ଓ ପଦ୍ମଲୋଚନ ପଣ୍ଡା ଅଂଶଗ୍ରହଣ କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ରଖି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେଯେ, ୨୦୨୦ରେ ୨୭୮୧୦, ୨୦୨୧ରେ ୩୫୩୨୬, ୨୦୨୨ରେ ୨୭୯୪୬, ୨୦୨୩ରେ ୩୦୦୭୮ ଓ ୨୦୨୪ରେ ୩୦୭୭୯ଟି ମହିଳା ବିରୋଧୀ ଅପରାଧି ଘଟିଛି । ହେଲେ ମୋହନ ସରକାରଙ୍କ ଅମଳରେ ଅପରାଧ କମିଛି । ଦୁଷ୍କର୍ମ ମାମଲା ସ୍ଥିର ରହିଛି । ଯୌନ ନିର୍ଯ୍ୟାତନା ମାମଲା ୭.୪% ହ୍ରାସ ପାଇଥିବାବେଳେ ଏସିଡ଼ ଆକ୍ରମଣ ମାମଲା ୭୦% କମିଛି । ଅପରପକ୍ଷରେ ମହିଳା ଚାଲାଣ ମାମଲା ୨୯%, ଯୌତୁକ ହତ୍ୟା ମାମଲା ୧୩.୭% ଓ ଯୌତୁକ ନିର୍ଯାତନା ମାମଲା ୬% ହ୍ରାସପାଇଛି । ଏତଦବ୍ୟତୀତ ହତ୍ୟା ମାମଲା ୬.୫%, ଡକାୟତି ମାମଲା ୪.୯%, ଲୁଟ୍ ମାମଲା ୩୪.୧%, ଦଙ୍ଗା ମାମଲା ୧୪.୩% ଓ ସିନ୍ଧିଚୋରି ମାମଲା ୩% କମିଛି । ମହିଳା ସମ୍ପର୍କିତ ସମ୍ବେଦନଶୀଳ ମାମଲାର ତଦନ୍ତ ପାଇଁ ଜିଲ୍ଲାସ୍ତରରେ ୨୯ ଆଇୟୁସିଏଡବ୍ଳୁ୍ୟ କାର୍ଯ୍ୟକାରୀ ହେଉଥିବାବେଳେ ଆଉ ୫ ଜିଲ୍ଲାରେ ଏହା ପ୍ରତିଷ୍ଠା ପାଇଁ ସରକାର ବିଚାର କରୁଛନ୍ତି । ଇଆରଏସଏସ-୧୧୨ ସହିତ ସମନ୍ୱୟ କରି ମହିଳା ସୁରକ୍ଷା ଆପ୍ ବିକାଶ କରିବା, ସମ୍ବେଦନଶୀଳ ସ୍ଥାନରେ ସିସିଟିଭି ବ୍ୟବସ୍ଥା ଆଦି ହେଉଛି । ସୁଭଦ୍ରା ସୁରକ୍ଷା ଯୋଜନାରେ ଏଥିପାଇଁ ୧୫୨.୬ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା ହୋଇଛି । ସେହିପରି ସରକାର ୧୦୫୯୭ ନୂଆ ପଦବୀ ସୃଷ୍ଟି କରିଛନ୍ତି । ବିଭିନ୍ନ ବର୍ଗର ୪୦୯୭ ପଦବୀର ନିଯୁକ୍ତି ପ୍ରକ୍ରିୟା ଜାରିରହିଛି । ତଦନ୍ତକାରୀ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ଲାପଟପ, ସ୍ମାର୍ଟ ଫୋନ୍, ତଦନ୍ତ କିଟ୍ ଯୋଗାଇବାକୁ ପଦକ୍ଷେପ ନିଆଯାଇଛି ।
କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ନିଖୋଜ ଖବର ପାଇବା ମାତ୍ରେ କମିଶନରେଟ୍ ପୁଲିସ୍ ସାଙ୍ଗେସାଙ୍ଗେ ଖୋଜିବା ଆରମ୍ଭ କରିଥିଲା । ଏପରିକି ସୂଚନା ପାଇଁ ପୁରସ୍କାର ରାଶି ବି ଘୋଷଣା ହୋଇଥିଲା । ଗତ ୧୭ରେ ଅଭିଯୁକ୍ତ ଦୀପକ ରାଉତକୁ ଗିରଫ ହୋଇଥିଲା । ବିବାହ ପାଇଁ ୨୦ ଲକ୍ଷ ଟଙ୍କା ମାଗିବା ନିମନ୍ତେ ହତ୍ୟା କରିଥିବା ନେଇ ଅଭିଯୁକ୍ତ ସ୍ୱୀକାର କରିଛି ।