ଅବକାରୀ ବିଭାଗର ଚଢ଼ଉ, ଜୋରିମାନା ଆଦାୟ

ଅବକାରୀ ବିଭାଗର ଚଢ଼ଉ, ଜୋରିମାନା ଆଦାୟ

ବାଲେଶ୍ୱର : ସମଗ୍ର ଜିଲ୍ଲାରେ ତମାଖୁ ସେବନ ଓ ଏହାର ବେଆଇନ ବିକ୍ରିକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରୟାସ ଜାରି ରହିଛି । ସ୍ୱାସ୍ଥ୍ୟ, ପୁଲିସ ଏବଂ ଅବକାରୀ ବିଭାଗର ଅଧିକାରୀମାନେ ମିଳିତ ଭାବେ ଏହି ଗୁରୁତ୍ୱପୂର୍ଣ୍ଣ ଜନସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ଅନେକ ଜନଗହଳି ସ୍ଥାନ ଗୁଡିକରେ ସମୟ ସମୟରେ ଚଢ଼ଉ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ. ସୁମିତ୍ରା ଦେ, ଡ଼. ଅରୂପ ଅଭିଷେକ, ମୌସୁମୀ ସାମଲ ଓ ଶ୍ରୀ ବ୍ରଜେଶ୍ୱର ନନ୍ଦ ପ୍ରମୁଖ ଚାନ୍ଦିପୁର ପୁଲିସ ସହାୟତାରେ ଚାନ୍ଦିପୁର ଓ ଝମ୍ପୁରା ଛକରେ ଚଢ଼ଉ କରି ୧୦ ଜଣ ନିୟମ ଖିଲାପକାରୀଙ୍କୁ ତାଗିଦ୍ କରିବା ସହିତ ତାଙ୍କ ଠାରୁ ଜୋରିମାନା ଅର୍ଥ ଆଦାୟ କରିଛନ୍ତି । ଏଥିସହିତ ଖାଦ୍ୟ ପଦାର୍ଥ, ତେଜରାତି, ଭେରାଇଟି ଷ୍ଟୋରରେ ଖୋଲାଖୋଲି ଭାବରେ ତମାଖୁ ଦ୍ରବ୍ୟ ବିକ୍ରି ଉପରେ ବିକ୍ରେତାଙ୍କୁ ସଚେତନ କରାଯାଇଥିଲା । ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ଚାଲିଥିବା ଏହି ଚଢ଼ଉ ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି । ଚଢ଼ଉରେ ସମ୍ପୃକ୍ତ ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟାନ୍ୱୟନ ଜନସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଏକ ନିରନ୍ତର ଆଭିମୁଖ୍ୟର ଅଂଶବିଶେଷ ବୋଲି ଗୁରୁତ୍ୱାରୋପ କରିଥିଲେ ।