ଅଭିଯୋଗକାରୀଙ୍କୁ ବାଲି ଚୋରା ଚାଲାଣକାରୀଙ୍କ ଆକ୍ରମଣ; ପୁଲିସ ନୀରବଦ୍ରଷ୍ଟା, ସୁରକ୍ଷା ନିବେଦନ

ଅଭିଯୋଗକାରୀଙ୍କୁ ବାଲି ଚୋରା ଚାଲାଣକାରୀଙ୍କ ଆକ୍ରମଣ; ପୁଲିସ ନୀରବଦ୍ରଷ୍ଟା, ସୁରକ୍ଷା ନିବେଦନ

ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଆଖୁଆପଦା ଗ୍ରାମର ଅତିଶ କୁମାର ବେହେରାଙ୍କୁ ବାଲିମାଫିଆମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ବୈତରଣୀ ନଦୀର ବାଲିପୋଖରୀ ଏସକେପ ଓ ଅନ୍ୟାନ୍ୟ ସ୍ଥାନରୁ ବାଲିମାଫିଆମାନେ ବ୍ୟାପକ ଭାବେ ବାଲି ବେଆଇନ ଉତ୍ତୋଳନ ଓ ପରିବହନ କରୁଥିବା ସମ୍ପର୍କରେ ଶ୍ରୀ ବେହେରା ପୁଲିସ ଓ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ । ଏପରିକି ଖୋଲା ଜାଗାମାନଙ୍କରେ ବିପୁଳ ପରିମାଣର ବାଲି ମହଜୁଦ କରିଥିବା ଅଭିଯୋଗ ମଧ୍ୟ ସେ କରିଥିଲେ । ଅଭିଯୋଗ କରି ଘରକୁ ଫେରିବା ମାତ୍ରେ ପ୍ରଶାସନର ଧରମବନ୍ଧୁ ପାଟଲିଥିବା ବାଲିମାଫିଆ ମାନେ ତାଙ୍କୁ ରାସ୍ତାରେ ଆକ୍ରମଣ କରିଥିଲେ । 
ଏ ସମ୍ପର୍କରେ ମଧ୍ୟ ଗତ ୩୦ ତାରିଖରେ ଆକ୍ରମଣକାରୀଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ । ହେଲେ ପୁଲିସ ମାମଲା ଋଜୁ କରିନଥିଲା କି କୌଣସି ପଦକ୍ଷେପ ଗ୍ରହଣ କରିନଥିଲା । ଥାନାରେ ଅଭିଯୋଗ କରିଥିବାରୁ ବାଲିମାଫିଆମାନେ ଘରୁ ବାହାରିଲେ ଆକ୍ରମଣ ହେବ ବୋଲି ଧମକ ଦେଉଥିବାରୁ ଶ୍ରୀ ବେହେରା ଘରୁ ବାହାରିବାକୁ ସାହସ କରୁନାହାନ୍ତି । ଅଭିଯୋଗ କରିଥିବା କୁଫଳ ତାଙ୍କୁ ଭୋଗିବାକୁ ପଡୁଛି ବୋଲି ସେ କ୍ଷୋଭର ସହ ପ୍ରକାଶ କରିଛନ୍ତି । ଏଥିଯୋଗୁ ଜୀବନ ବିପଦରେ ଅଛି ଓ ସୁରକ୍ଷା ପାଇଁ  ପ୍ରଶାସନକୁ ଜଣାଇଦେବାକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେ ଅନୁରୋଧ କରିଛନ୍ତି । ବହୁ ମାମଲାର ଅଭିଯୁକ୍ତ ଅତିଶଙ୍କ ଅଭିଯୋଗ ହସ୍ତଗତ ହୋଇନାହିଁଁ । ଅଭିଯୋଗ ଆସିଲେ ମାମଲା ଋଜୁ ହେବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନାଧିକାରୀ ବିରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି  ।