ଘର ଆଗରେ ପରିସ୍ରା ପାଇଁ ମନାକରିବାରୁ ଆକ୍ରମଣ : ପୁଲିସର ନିରବତାକୁ ନେଇ ପ୍ରଶ୍ନ
ତିହିଡି : ଘର ଆଗରେ ପରିସ୍ରା କରିବାକୁ ବିରୋଧ କରି ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ଏବଂ ଏହି ଘଟଣାରେ ପୁଲିସର ନିରବତା ନେଇ ପୀଡିତ ପରିବାର ଘର ମୁହଁ ଖୋଲିଛନ୍ତି । ତିନିଦିନ ବିତି ଯାଇଥିଲେ ମଧ୍ୟ ପୁଲିସ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ସାଧାରଣରେ ଚର୍ଚ୍ଚା ହେଉଛି । ସେପଟେ ପୀଡିତ ତିହିଡିରୁ ଭଦ୍ରକ ମେଡିକାଲ ଏବଂ ଆଜି କଟକ ମେଡିକାଲରେ ଭର୍ତ୍ତି ହୋଇଥିବା ନେଇ ପରିବାର ଲୋକେ ଚିନ୍ତାରରେ ପଡିଛନ୍ତି । ଭଦ୍ରକ ଜିଲ୍ଲା ପୀରହାଟ ଥାନା ଇନ୍ଦିରିଆ ଗାଁରେ ଘଟିଛି ଏପରି ଅଘଟଣ । ରମେଶ ଚନ୍ଦ୍ର ସାହୁଙ୍କ ଘର ଆଗରେ ଅପରପକ୍ଷ ନିୟମିତ ପରିସ୍ରା କରିଥାନ୍ତି । ଦୁଆର ଆଗରେ ଦୁର୍ଗନ୍ଧ ସୃଷ୍ଟି ହୋଇଥାଏ ଯାହାକୁ ଅସହ୍ୟ ହୋଇ ବିରୋଧ କରିବାରୁ ତାଙ୍କ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଅପରପକ୍ଷ ଗୌତମ ସାହୁ, ଚକ୍ରଧର ସାହୁ, ଗୋବର୍ଦ୍ଧନ ସାହୁ, ଅଜୟ ସାହୁ, ଅନୁସୟା ସାହୁ ଓ ବାସନ୍ତି ସାହୁ ମିଳିତ ଭାବେ ଗାଳି ଗୁଲଜ କରିବା ସହିତ ଲୁହା ରଡ ଓ ବାଡିରେ ପିଟିଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ସେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କୌଣସି ତଦନ୍ତ କରିନଥିବା ଅଭିଯୋଗ ହୋଇଛି । ପରେ ଅପରପକ୍ଷ ରମେଶଙ୍କ ବିରୋଧରେ ପାଲଟା ଏତଲା ଦେଇଥିବା ନେଇ ପୁଲିସ ·ପଗ୍ରସ୍ଥ ହୋଇ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ରମେଶଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଅନ୍ୟପଟେ ପୁଲିସ ମାମଲା ରୁଜୁ କରିଛି ଏବଂ ନିଶ୍ଚୟ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଆଇଆଇସି ।