ଅଷ୍ଠାଦଶ ପ୍ରବାସୀ ଭାରତୀୟ ଦିବସ ପାଇଁ ସମୀକ୍ଷା ବୈଠକ

ଅଷ୍ଠାଦଶ ପ୍ରବାସୀ ଭାରତୀୟ ଦିବସ ପାଇଁ ସମୀକ୍ଷା ବୈଠକ

ଭୁବନେଶ୍ୱର, ୭ା୧୨ : ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଯାଉଛି ଅଷ୍ଠାଦଶ ପ୍ରବାସୀ ଭାରତୀୟ ଦିବସ । ଏହି ଦିବସକୁ ଶୃଙ୍ଖଳିତ ତଥା ସୁଚାରୁରୂପେ ଆୟୋଜନ ପ୍ରସ୍ତୁତି ସଂପର୍କରେ ରାଜ୍ୟ ଆରକ୍ଷୀ ମହାନିଦେ୍ର୍ଦଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ତ୍ରିଦିବସୀୟ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ପୁଲିସ ବିଭାଗର ପ୍ରସ୍ତୁତି ସଂପର୍କରେ ବିଶଦ ଭାବେ ଆଲୋଚନା କରାଯାଇଥିଲା ।
 ଏହି ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ବରିଷ୍ଠ ମନ୍ତ୍ରୀ, ଅତିଥି, ପ୍ରବାସୀ ଭାରତୀୟ ଏବଂ ବୈଦେଶିକ ବ୍ୟାପାର ବିଭାଗ ଅଧିକାରୀମାନଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ବିଶେଷ ଯୋଗ ଦେବେ । ଏହାକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରିବାକୁ ଡ଼ିଜିପି ଶ୍ରୀ ଖୁରାନିଆ ନିଦେ୍ର୍ଦଶ ଦେଇଛନ୍ତି । ଭିଭିଆଇପିଙ୍କ ନିମନ୍ତେ ସୁରକ୍ଷା ବ୍ୟବସ୍ଥା, ଜନତା ମଇଦାନ ଠାରେ କାର୍ଯ୍ୟକ୍ରମ ସ୍ଥଳରେ ଭିଭିଆଇପି ଅତିଥି, ପ୍ରବାସୀ ଭାରତୀୟ, ସ୍ଥାନୀୟ ଦର୍ଶକମାନଙ୍କ ବସିବା ବ୍ୟବସ୍ଥା, ଯାନବାହାନ ପାର୍କିଂ ସ୍ଥଳ, ଉତ୍ସବ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା ସହ ଆନୁଷଙ୍ଗିକ ପ୍ରସ୍ତୁତି ସଂପର୍କରେ ବିସ୍ତୃତ ଭାବେ ସମୀକ୍ଷା କରିଥିଲେ । ଏହା ସହ ରାଜଧାନୀ ଭୁବନେଶ୍ୱର ସମେତ କଟକ, ପୁରୀ, କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ଥିବା ହୋଟେଲ ଗୁଡ଼ିକର କଡାକଡି ଯାଞ୍ଚ କରିବାକୁ ମଧ୍ୟ ଡିଜିପି ନିଦେ୍ର୍ଦଶ ଦେଇଛନ୍ତି । ନିୟମିତ ବ୍ୟବଧାନରେ ହୋଟେଲ ଗୁଡ଼ିକର ଯାଞ୍ଚ, ଅତିଥିଙ୍କ ସମ୍ପୃର୍ଣ୍ଣ ବିବରଣୀ ସମ୍ପର୍କରେ ସମସ୍ତ ତଥ୍ୟ ପୁଲିସ ନିକଟରେ ରହିବା ଆବଶ୍ୟକ ଏବଂ ଏହାର ସଠିକ ତଦାରଖ କରିବାକୁ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଏହା ସହ ସହରଗୁଡ଼ିକରେ ସିସିଟିଭି ବ୍ୟବସ୍ଥାର ସୁପରିଚାଳନା, ଟ୍ରାଫିକ ବନେ୍ଦାବସ୍ତକୁ ଶୃଙ୍ଖଳିତ କରିବା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ଉକ୍ତ ବୈଠକରେ (ଗୁଇନ୍ଦା) ନିଦେ୍ର୍ଦଶକ ଆର.ପି କୋଚେ, ଅତିରିକ୍ତ ଆରକ୍ଷୀ ମହାନିଦେ୍ର୍ଦଶକ (ଆଧୁନୀକିକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିଦେ୍ର୍ଦଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ପୁଲିସ କମିଶନର (କଟକ-ଭୁବନେଶ୍ୱର) ସୁରେଶ ଦେବଦତ୍ତ ସିଂ, ଅତିରିକ୍ତ ଆରକ୍ଷୀ ମହାନିଦେ୍ର୍ଦଶକ (ମୁଖ୍ୟାଳୟ) ଦୟାଲ ଗଙ୍ଗୱାର, ଅତିରିକ୍ତ ପୁଲିସ କମିଶନର (କଟକ-ଭୁବନେଶ୍ୱର) ଉମାଶଙ୍କର ଦାଶ, ଡିଆଇଜି (କେନ୍ଦ୍ରାଞ୍ଚଳ) ଚରଣ ସିଂ ମିନା, ଡିସିପି (ଭୁବନେଶ୍ୱର) ପିନାକ ମିଶ୍ର, ଏସପି (ରାଜ୍ୟ ମୁଖ୍ୟାଳୟ), ବାତୁଳା ଗଙ୍ଗାଧର, ଡିସିପି (କଟକ) ଜଗମୋହନ ମିନା ପ୍ରମୁଖ ଉପସ୍ଥିତ ଥିଲେ ।