ଆଇଆଇଏମ୍ସି କର୍ମଶାଳା ": ସକାରାତ୍ମକ କାହାଣୀ ପରିବେଷଣ କରୁ ଗଣମାଧ୍ୟମ'
ଢେଙ୍କାନାଳ: ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ପ୍ରମୁଖ ସମସ୍ୟା ହୋଇ ଠିଆହୋଇଛି । ତେବେ ଏ ଦୁଇଟି ସମସ୍ୟାର ସମାଧାନ ଦିଗରେ ସବୁ ହିତାଧିକାରୀଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ବିଶେଷ କରି ଗଣମାଧ୍ୟମ ବିଭିନ୍ନ ସକାରାତ୍ମକ କାହାଣୀ ମାଧ୍ୟମରେ ଜନସାଧାରଣଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରିପାରିବ ବୋଲି ଢେଙ୍କାନାଳର ଜିଲ୍ଲା ସାମ୍ବାଦିକଙ୍କ ପାଇଁ ଅନୁଷ୍ଠିତ ଏକ କର୍ମଶାଳାରେ କହିଛନ୍ତି ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୁମିତ କର । ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି) ଢେଙ୍କାନାଳ ଓ ଢେଙ୍କାନାଳ ବନଖଣ୍ଡର ମିଳିତ ଆନୁକୂଲ୍ୟରେ ‘ବନ୍ୟପ୍ରାଣୀ ଓ ପରିବେଶ ପ୍ରସଙ୍ଗରେ ସୂକ୍ଷ୍ମାନୁଭବୀକରଣ ଓ ଦାୟିତ୍ୱପୂର୍ଣ୍ଣ ରିପୋର୍ଟିଂ’ ଶୀର୍ଷକ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ଢେଙ୍କାନାଳର ୨୩ଜଣ କାର୍ଯ୍ୟରତ ସାମ୍ବାଦିକ ଅଂଶଗ୍ରହଣ କରିଥିଲେ । ଆଇଆଇଏମ୍ସିର ଆଞ୍ଚଳିକ ନିଦେ୍ର୍ଦଶକ ଡ. ଆନନ୍ଦ ପ୍ରଧାନ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରି କହିଛନ୍ତି, ଢେଙ୍କାନାଳ ଜିଲ୍ଲାରେ ହାତୀଙ୍କ ସ୍ଥାନ ସ୍ୱତନ୍ତ୍ର । ଏଠାରେ ହେଉଥିବା ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାକୁ ଆମେ ଏକ ଉଦାହରଣ ଭାବରେ ନେଇପାରିବା । ସେହିପରି ଓଡ଼ିଶାର ସମାଜ, ସଂସ୍କୃତିରେ ମଧ୍ୟ ଗଜ ବା ହାତୀର ଏକ ସ୍ୱତନ୍ତ୍ର ଭୂମିକା ରହିଛି । ତେବେ ହାତୀ-ମଣିଷଙ୍କ ସଂଘର୍ଷ ଏକ ଚିନ୍ତାର ବିଷୟ । ଏ ଦିଗରେ ସାମ୍ବାଦିକଙ୍କର ଉତ୍ତରଦାୟିତ୍ୱ ରହିଛି । ବିଭିନ୍ନ ତଥ୍ୟଧର୍ମୀ ଷ୍ଟୋରୀ ମାଧ୍ୟମରେ ପରିବେଶ ସମ୍ପର୍କିତ ବିଭିନ୍ନ ଦିଗରେ ଖବର ପରିବେଷଣ କରିପାରିଲେ ଏହା ଅଧିକରୁ ଅଧିକ ପାଠକ/ଦର୍ଶକଙ୍କ ଦ୍ୱାରା ଗ୍ରହଣୀୟ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଅନ୍ୟତମ ବକ୍ତାଭାବେ ଯୋଗ ଦେଇ ‘ସ୍ନେହା’ ବେସରକାରୀ ସଂଗଠନର ପ୍ରକଳ୍ପ ଅଧିକାରୀ ରଣଜିତ ପଟ୍ଟନାୟକ ହାତୀର ବିଭିନ୍ନ ପ୍ରକାର ଭେଦ, ସେମାନଙ୍କର ଜୀବନ, ଜୀବନଶୈଳୀ, ଦିନଚର୍ଯ୍ୟା, ସ୍ୱଭାବ ଆଦି ବିଷୟରେ ଆଲୋଚନା କରିଛନ୍ତି । ଆଇଆଇଏମ୍ସିର ଇଂରାଜୀ ସାମ୍ବାଦିକତା ବିଭାଗର ସହକାରୀ ପ୍ରଫେସର ଡ. ବିରଂଚି ନାରାୟଣ ସେଠ୍ ଗଣମାଧ୍ୟମରେ ପ୍ରକାଶିତ ପରିବେଶ ସମ୍ପର୍କିତ କେତୋଟି ଷ୍ଟୋରୀର ଉଦାହରଣ ଦେଇଥିବାବେଳେ ଓଡ଼ିଆ ସାମ୍ବାଦିକତା ବିଭାଗର ସହକାରୀ ପ୍ରଫେସର ଡ. ଚିରସ୍ରୋତା ଜେନା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶେଷରେ ଏକାଡେମୀକ ଆସୋସିଏଟ୍ ସନତ ପାଢ଼ୀ ଧନ୍ୟବାଦ କରିଥିଲେ ।