ଆଇଇଡି ବିସ୍ଫୋରଣରେ ଶ୍ରମିକ ଗୁରୁତର
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣପୁରରେ ନକ୍ସଲମାନେ ଖଞ୍ଜିଥିବା ଏକ ଆଇଇଡି ବିସ୍ଫୋରଣରେ ଜଣେ ଶ୍ରମିକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଛତିଶଗଡର ନାରାୟଣପୁର ଜିଲ୍ଲାରେ ଥିବା ଛୋଟେଡୋଙ୍ଗାର ଥାନା ଅନ୍ତର୍ଗତ ଆମଦାଇ ଖଣିର ଜିରୋ ପଏଣ୍ଟରେ ମାଓବାଦୀମାନେ ଏକ ଆଇଇଡି ବୋମା ଖଞ୍ଜିଥିଲେ । ଉକ୍ତ ବୋମା ଉପରେ ହଠାତ୍ ଜଣେ ଶ୍ରମିକ ଅଜାଣତରେ ପାଦ ପକାଇବାରୁ ତାହା ବିସ୍ଫୋରଣ ଘଟିଥିଲା । ଯେଉଁଥିରେ ଆମଦାଇ ଖଣିରେ କାର୍ଯ୍ୟରତ ରାଜମାନ ସଲାଙ୍ଗ ନାମକ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉପସ୍ଥିତ ତାଙ୍କ ସହକର୍ମୀମାନେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଛୋଟେଡୋଙ୍ଗର ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ପ୍ରାଥମିକ ଚିକତ୍ସା ପରେ ତାଙ୍କୁ ନାରାୟଣପୁର ଜିଲ୍ଲା ହସ୍ପିଟାଲକୁ ପଠାଯାଇଥିବା ଜଣାପଡିଛି । ମାଓବାଦୀମାନେ ଆମଦାଇ ଖଣିକୁ ନିରନ୍ତର ବିରୋଧ କରି ଆସୁଛନ୍ତି ଏବଂ ସେଠାରେ କାମ କରୁଥିବା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିବା ପାଇଁ ଏପରି ଘଟଣା ଘଟାଇବାକୁ ଚେଷ୍ଟା କରୁଥିବା ଜଣାପଡିଛି ।