ଆଇନସେବା କେନ୍ଦ୍ର ଉଦ୍ଘାଟିତ

 ପୁରୀ : ପୁରୀ ବେଳାଭୂମି ଠାରେ ଆୟୋଜିତ ଜାତୀୟ ପଲ୍ଲିଶ୍ରୀ ମେଳା-୨୦୨୫ ଅବସରରେ ଏକ ଅସ୍ଥାୟୀ ଆଇନସେବା କେନ୍ଦ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଛି । ପବିତ୍ର ଘୋଷଯାତ୍ରା ସମୟର ବହୁଳ ଜନସମାଗମକୁ ଦୃଷ୍ଟିରେ ରଖି ଏହି ଆଇନ ସହାୟତା କେନ୍ଦ୍ର ଖୋଲାଯାଇଛି । ରାଜ୍ୟ ଆଇନସେବା ପ୍ରାଧିକରଣର ତତ୍ତ୍ୱାବଧାନରେ ପୁରୀ ଜିଲ୍ଳା ଆଇନସେବା ପ୍ରାଧିକରଣ ପକ୍ଷରୁ ଖୋଲାଯାଇଥିବା ଏହି ସହାୟତା କେନ୍ଦ୍ରକୁ ଉଦ୍ଘାଟନ କରିଥିଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ତଥା ରାଜ୍ୟ ଆଇନସେବା ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ସଂଗମ କୁମାର ସାହୁ, ଉଚ୍ଚ ନ୍ୟାୟାଳୟର ବିଚାରପତି ନ୍ୟାୟମୂର୍ତ୍ତି ଆନନ୍ଦ ଚନ୍ଦ୍ର ବେହେରା, ପୁରୀ ଜିଲ୍ଳା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷା ତଥା ଜିଲ୍ଳା ଦୌରାଜଜ୍ ଅଜନ୍ତା ଷଡ଼ଙ୍ଗୀ । ପବିତ୍ର ଘୋଷଯାତ୍ରା ସମୟରେ ପୁରୀକୁ ଆସୁଥିବା ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କୁ ମାଗଣା ଆଇନସେବା ଓ ପରାମର୍ଶ ଯୋଗାଇଦେବା ପାଇଁ ଏହି ସହାୟତା କେନ୍ଦ୍ର ଉଦ୍ଦିଷ୍ଟ ବୋଲି ବିଚାରପତିମାନେ ମତପୋଷଣ କରିଥିଲେ । ଏହି କେନ୍ଦ୍ରରେ ନ୍ୟାୟରକ୍ଷକ ଏବଂ ଅଧିକାରୀମିତ୍ରଙ୍କୁ ମାଗଣା ଓ ନିରବଚ୍ଛିନ୍ନ ଆଇନସେବା ଯୋଗାଇଦେବା ପାଇଁ ନିୟୋଜିତ କରାଯାଇଛି । ନିଃଶୁଳ୍କ ଆଇନସେବା ତଥା ଆଇନଗତ ବିବାଦର ବିଭିନ୍ନ ସମାଧାନ ଓ ବିଭିନ୍ନ ଉପାୟ ଗୁଡ଼ିକର ପ୍ରଚାରପ୍ରସାର ପାଇଁ ଉଭୟ ରାଜ୍ୟ ଓ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଆଗନ୍ତୁକ ମାନଙ୍କୁ ଜାତୀୟ ଆଇନସେବା ପ୍ରାଧିକରଣ ତଥା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁମୋଦିତ ଯୋଜନା, ସାମ୍ବିଧାନିକ ଅଧିକାର, ଅନ୍ୟାନ୍ୟ ଆଇନସେବା ସମ୍ବନ୍ଧୀୟ ପ୍ରଚାର ପତ୍ରମାନ ସହାୟତା କେନ୍ଦ୍ରରେ ଉପଲବ୍ଧ । ସମାଜର ସମସ୍ତ ବର୍ଗର ଲୋକମାନଙ୍କ ପାଇଁ ମାଗଣା ଓ ତ୍ୱରିତ ନ୍ୟାୟ ଆମର ଲକ୍ଷ୍ୟ ବୋଲି ନ୍ୟାୟମୂର୍ତ୍ତି ମତପୋଷଣ କରିଛନ୍ତି ।