ଆଇସିସି ଟେଷ୍ଟ ର୍ୟାଙ୍କିଂ : ଟପ୍ ସିକ୍ସରେ ଗିଲ୍, ଶୀର୍ଷରେ ବ୍ରୁକ୍

 ଦୁବାଇ :  ଇଂଲଣ୍ଡରେ ଜାରି ରହିଥିବା ଆଣ୍ଡରସନ୍-ତେନ୍ଦୁଲକର ଟ୍ରଫି ଟେଷ୍ଟ ମ୍ୟାଚ୍ରେ ଭାରତୀୟ ଦଳର ଅଧିନାୟକ ଶୁବମନ ଗିଲ୍ଙ୍କ ପ୍ରଦର୍ଶନ ଆଜି ତାଙ୍କୁ ଟପ୍ ଟେନ୍ ର୍ୟାଙ୍କିଂରେ ସ୍ଥାନୀତ କରାଇଛି । ଆଇସିସି ଟେଷ୍ଟ ର୍ୟାଙ୍କିଂରେ ଗିଲ୍ ୬ଷ୍ଠ ସ୍ଥାନ ଅଧିକାର କରିଛନ୍ତି । ଏହି କ୍ରମରେ ଇଂଲଣ୍ଡର କ୍ୟାପଟେନ୍ ହ୍ୟାରି ବ୍ରୁକ୍ ଶୀର୍ଷରେ ରହିଛନ୍ତି । ପୂର୍ବରୁ ଗିଲ୍ଙ୍କ ବେଷ୍ଟ ଟେଷ୍ଟ ର୍ୟାଙ୍କିଂ ୧୪ତମ ସ୍ଥାନରେ ଥିବା ବେଳେ ଗତ ଦୁଇଟି ମ୍ୟାଚ୍ରେ ଉତ୍ତମ ପ୍ରଦର୍ଶନ ଯୋଗୁ ଆଜି ସେ ସିଧାସଳଖ ଟପ୍ ଟେନ୍ରେ ପ୍ରବେଶ କରିଛନ୍ତି । ବର୍ମିଂହାମ୍ରେ ଗିଲ୍ ଐତିହାସିକ ଭାବେ ଦ୍ୱିଶତକ କରିବା ସହ ସେହି ମ୍ୟାଚ୍ରେ ୧୫୦ରୁ ଊଦ୍ଧ୍ୱର୍ ରନ୍ ଅର୍ଥାତ୍ ୨୬୯ ରନ୍ କରି ଆଇସିସି ଟପ୍ ଟେନ୍ ର୍ୟାଙ୍କିଂରେ ସ୍ଥାନୀତ ହୋଇଛନ୍ତି । ଦ୍ୱିତୀୟ ମ୍ୟାଚ୍ର ଉଭୟ ଇନିଂସ୍ରେ ଗିଲ୍ଙ୍କ ମୋଟ୍ ୨୬୯ ରନ୍ ବଳରେ ଭାରତ ଇଂଲଣ୍ଡକୁ ୩୩୬ ରନ୍ରେ ପରାସ୍ତ କରିଥିଲା ଏବଂ ଭାରତ ୧-୧ ସିରିଜ୍ ବଜାୟ ରଖିବାରେ ସକ୍ଷମ ହୋଇପାରିଥିଲା । ଦୁଇଟି ମ୍ୟାଚ୍ରେ ଗିଲ୍ ଦୁଇଟି ଦ୍ୱିଶତକ ସମେତ ୫୮୫ ରନ୍ କରିଛନ୍ତି । ଏହିପରି ଭାବେ ଗିଲ୍ଙ୍କ ୧୫ଟି ଆଖି ଦୃଶିଆ ପ୍ରଦର୍ଶନ ଯୋଗୁଁ ଆଜି ଆଇସିସି ଟେଷ୍ଟ ର୍ୟାଙ୍କିଂରେ ୬ଷ୍ଠତମ ସ୍ଥାନ ଅଧିକାର କରିପାରିଛନ୍ତି । ସେହିପରି ଇଂଲଣ୍ଡର ପୂର୍ବତନ କ୍ୟାପଟେନ୍ ଜୋ ରୁଟ୍ଙ୍କୁ ଅତିକ୍ରମ କରି ବର୍ତ୍ତମାନର ଅଧିନାୟକ ହ୍ୟାରି ବ୍ରୁକ୍ ଆଇସିସି ର୍ୟାଙ୍କିଂରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି । ତେବେ ଟପ୍ ଟେନ୍ ଆଇସିସି ଟେଷ୍ଟ ର୍ୟାଙ୍କିଂ ତାଲିକାରେ ଥିବା ଖେଳାଳିମାନେ ହେଲେ ଶୀର୍ଷରେ ଇଂଲଣ୍ଡ କ୍ୟାପଟେନ୍ ହ୍ୟାରି ବ୍ରୁକ୍ (ରେଟିଂ ପଏଣ୍ଟ ୮୮୬), ଦ୍ୱିତୀୟରେ ଇଂଲଣ୍ଡର ପୂର୍ବତନ କ୍ୟାପଟେନ୍ ଜୋ ରୁଟ୍ (ରେଟିଂ ପଏଣ୍ଟ ୮୬୮),  ତୃତୀୟରେ ନୁ୍ୟଜିଲାଣ୍ଡ୍ର କେନ୍ ୱିଲିୟମ୍ସନ୍(ରେଟିଂ ପଏଣ୍ଟ ୮୬୭), ଚତୁର୍ଥରେ ଭାରତର ଯଶସ୍ୱୀ ଜୟସ୍ୱାଲ(ରେଟିଂ ପଏଣ୍ଟ ୮୫୮), ୫ମରେ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍(ରେଟିଂ ପଏଣ୍ଟ ୮୧୩), ୬ଷ୍ଠରେ ଭାରତର ଶୁବମନ ଗିଲ୍(ରେଟିଂ ପଏଣ୍ଟ ୮୦୭), ୭ମରେ ଦକ୍ଷିଣ ଆଫ୍ରିକାର ଟେମ୍ବା ବଭୁମା(ରେଟିଂ ପଏଣ୍ଟ ୭୯୦), ୮ମରେ ଭାରତ ଋଷଭ ପନ୍ତ(ରେଟିଂ ପଏଣ୍ଟ ୭୯୦), ୯ମରେ ଶ୍ରୀଲଙ୍କାର କାମିନ୍ଦୁ ମେଣ୍ଡିସ୍(ରେଟିଂ ପଏଣ୍ଟ ୭୮୧), ୧୦ମରେ ଇଂଲଣ୍ଡର ଜାମି ସ୍ମିଥ୍(ରେଟିଂ ପଏଣ୍ଟ ୭୫୩) ।