ଆଜିଠାରୁ ସର୍ବ ଭାରତୀୟ ଡିଜିପି ସମ୍ମିଳନୀ
- ପୁଲିସ ଛାଉଣୀରେ ରାଜଧାନୀ
- ସହର ମଧ୍ୟରେ କଡ଼ାକଡ଼ି ଟ୍ରାଫିକ କଟକଣା
- ପ୍ରଧାମନ୍ତ୍ରୀଙ୍କ ଗ୍ରସ୍ତ ପୂର୍ବରୁ କାରକେଡ ରିହଲସଲ
ଭୁବନେଶ୍ୱର,୨୮ା୧୧ : ସର୍ବ ଭାରତୀୟ ପୁଲିସ ମହାନିଦେ୍ର୍ଦଶକ ସମ୍ମିଳନୀ ଶୁକ୍ରବାର ଠାରୁ ଆରମ୍ଭ ହେଉଛି । ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ ପକ୍ଷରୁ ରାଜଧାନୀର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବର୍ତ୍ତମାନ ସମୟରେ ସମ୍ପୂର୍ଣ୍ଣ ରାଜଧାନୀରେ ପୁଲିସ ଛାଉଣୀରେ ପରିଣତ ହୋଇଛି ।
ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ କହିଛନ୍ତି ଯେ, ପୁଲିସ ମହାନିଦେ୍ର୍ଦଶକ ସମ୍ମିଳନୀ ପାଇଁ ସହରରେ ମୋଟ ୭୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଏଥିରେ ରାଜ୍ୟ ପୁଲିସର ସଶସ୍ତ୍ର ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବଳୟ ମଧ୍ୟ ମୁତୟନ ରହିବ । ସହରର ସମସ୍ତ ଥାନାଧିକାରୀଙ୍କୁ ନିଜନିଜ ଅଞ୍ଚଳରେ ପାଟ୍ରୋଲିଂକୁ ଜୋରଦାର କରିବାକୁ ନିଦେ୍ର୍ଦଶ ଦିଆଯାଇଥିବା ବେଳେ ରାଜଧାନୀ ଭିତରକୁ ପ୍ରବେଶ କରିବାକୁ ଥିବା ସମସ୍ତ ପ୍ରବେଶ ପଥ ଗୁଡ଼ିକରେ କଡ଼ାକଡ଼ି ଚେକିଂ କରାଯାଉଥିବା ପୁଲିସ କମିଶନର ଶ୍ରୀ ସିଂ ସୂଚନା ଦେଇଛନ୍ତି । ସେହିପରି ଡିଜିପି ସମ୍ମିଳନୀକୁ ଦୃଷ୍ଟିରେ ରଖି ସହରରେ ଟ୍ରାଫିକ କଟକଣାକୁ ମଧ୍ୟ କଡ଼ାକଡ଼ି କରାଯାଇଛି ।
ଏନେଇ ଏକ ଟ୍ରାଫିକ ଆଡଭାଇଜରି ଜାରି କରାଯାଇଛି । ଯେଉଁଥିରେ ଶୁକ୍ରବାର ଦିନ ଅପରାହ୍ନ ୧ଟାରୁ ୨ଟା ମଧ୍ୟରେ ଏୟାରପୋର୍ଟ ଛକରୁ ପିଏମଜି ଭାୟା ହସ୍ପିଟାଲ ଛକ ଓ ଏଜି ଛକ ମଧ୍ୟରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି । ସେହିପରି ଅପରାହ୍ନ ୪ଟାରୁ ୫ଟା ୨୫ ମିନିଟ ପର୍ଯ୍ୟନ୍ତ ଏୟାରପୋଟ ଛକରୁ ରାଜଭବନ ଛକକୁ ସମ୍ପୂର୍ଣ୍ଣ ସିଲ କରାଯିବା ସହ ଯାନବାହାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ସନ୍ଧ୍ୟା ୬ଟାରୁ ୬ଟା ୪୫ ମିନିଟ ପର୍ଯ୍ୟନ୍ତ ପାୱାର ହାଉସରୁ ରାଜଭବନ ଓ ଏଜି ଛକରେ ଯାନବାହାନ ଚଳଚଳ ଉପରେ ରୋକ ଲାଗିଛି । ସନ୍ଧ୍ୟା ୭ଟା ୩୦ରୁ ରାତି ୮ଟା ୨୦ ମିନିଟ ପର୍ଯ୍ୟନ୍ତ ଏଜି ଛକରୁ ଜୟଦେବ ବିହାର ନାଲକୋ ଛକ ପର୍ଯ୍ୟନ୍ତ କୌଣସି ଗାଡ଼ି ଯାତାୟତ କରିପାରିବ ନାହିଁ । ରାତି ୮ଟା ୨୫ରୁ ୮ଟା ୫୦ ମିନିଟ ପର୍ଯ୍ୟନ୍ତ ରାଜଭବନ ଛକରୁ ରାମନ୍ଦିର ଛକ ମଧ୍ୟରେ କୌଣସି ଗାଡ଼ି ଚଳାଚଳ ହୋଇପାରିବ ନାହିଁ ବୋଲି ଟ୍ରାଫିକ ଆଡଭାଇଜରିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି । ସେହିପରି ୩୦ ତାରିଖ ଦିନ ସକାଳ ୬ଟାରୁ ୮ଟା ୩୦ ମିନିଟ ମଧ୍ୟରେ ଏଜି ଛକରୁ ନାଲକୋ ଛକ ପର୍ଯ୍ୟନ୍ତ କୌଣସି ଗାଡ଼ି ଯାତାୟତ କରିପାରିବ ନାହିଁ । ସକାଳ ୮ଟା ୧୦ରୁ ୮ଟା ୩୦ ମିନିଟ ମଧ୍ୟରେ ପାୱାର ହାଉସ ଛକ, ରାଜଭବନ ଛକ ଦେଇ ଗାଡ଼ି ଚଳାଚଳ ଉପରେ ରୋକ ଲାଗିଛି । ଏହିକ୍ରମରେ ସନ୍ଧ୍ୟା ୭ଟା ୩୦ରୁ ରାତି ୮ଟା ୧୫ ମିନିଟ ମଧ୍ୟରେ ଏଜି ଛକରୁ ୧୨୦ ବାଟାଲିୟନ ଓ ଜୟଦେବ ବିହାର ଛକରେ ଗାଡ଼ି ଚଳାଚଳ କରିପାରିବ ନାହିଁ । ରାତି ୭ଟର ୫୫ରୁ ୮ଟା ୨୦ ମିନିଟ ମଧ୍ୟରେ ପାୱାର ହାଉସ ଛକରୁ ଏଜି ଛକ ଓ ରାଜଭବନକୁ ଗାଡ଼ି ଚଳାଚଳ ଉପରେ ରୋକ ଲାଗିଛି । ସେହିପରି ସମ୍ମିଳନୀର ଶେଷ ଦିନ ଅର୍ଥାତ ୧ ଡିସେମ୍ବର ରବିବାର ଦିନ ସକାଳ ୬ଟାରୁ ୮ଟା ୨୦ ମିନିଟ ପର୍ଯ୍ୟନ୍ତ ଏଜି ଛକରୁ ରବିନ୍ଦ୍ର ମଣ୍ଡପ ଛକ ଓ ୧୨୦ ବାଟାଲିୟନ ଛକରେ ଗାଡ଼ି ଚଳାଚଳକୁ ମନା କରାଯାଇଛି । ସେହିପରି ଅପରାହ୍ନ ୫ଟା ୧୫ରୁ ୫ଟା ୪୦ ମିନିଟ ମଧ୍ୟରେ ଏଜି ଛକରୁ ବିଜୁ ପଟ୍ଟନାୟକ ବିମାନବନ୍ଦର ରାସ୍ତାକୁ ବନ୍ଦ କରାଯାଇଥିବା ଟ୍ରାଫିକ ପୁଲିସ ପକ୍ଷରୁ ଜାରି ଆଡଭାଇଜରିରେ ଉଲ୍ଲେଖ କରାଯାଇଛି ।
ଅନ୍ୟପକ୍ଷରେ ଶୁକ୍ରବାର ପ୍ରଧାମନ୍ତ୍ରୀ ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଏହାକୁ ଦୃଷ୍ଟିରେ ରଖି ଗୁରୁବାର ଅପରାହ୍ନରେ କାରକେଡ ରିହଲସେଲ କରାଯାଇଥିଲା । କାରକେଡ ରିହଲସେଲ ବିମାନବନ୍ଦରରୁ ବାହାରି ରାଜଭବନ ପର୍ଯ୍ୟନ୍ତ ଯାଇଥିଲା । ଭୁବନେଶ୍ୱର ଡିସିପି ପିନାକ ମିଶ୍ରଙ୍କ ନେତୃତ୍ୱରେ ଏହି କାରକେଡ ରିହଲସେଲ କରାଯାଇଥିଲା ।