ଆଜି ନୂଆପଡ଼ା ଓ ବିହାର ଭୋଟ
- ସକାଳ ୭ରୁ ଅପରାହ୍ନ ୫ ଯାଏଁ ମତଦାନ
- ୪୭ ବୁଥ୍ରେ ଅପରାହ୍ନ ୪ ପର୍ଯ୍ୟନ୍ତ ଭୋଟ୍
- ୩୫୮ ବୁଥ୍, ୨.୫୪ ଲକ୍ଷ ଭୋଟର
- ଆଜି ବିହାରରେ ଶେଷ ପର୍ଯ୍ୟାୟ ଭୋଟ୍
ଆସନ୍ତାକାଲି ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ ହେବ । ସକାଳ ୭ରୁ ଅପରାହ୍ନ ୫ ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ତେବେ ମାଓବାଦୀ ଅଧ୍ୟୁଷିତ ୪୭ ବୁଥ୍ରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବ । ନୂଆପଡ଼ା ପାଇଁ ମୋଟ୍ ଭୋଟରଙ୍କ ସଂଖ୍ୟା ୨ ଲକ୍ଷ ୫୪ ହଜାର ୪୯୭ ଥିବାବେଳେ ୧୪ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ତିନି ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଜୀ ଜାନ୍ ଲଗାଇ ଦେଇଛନ୍ତି ।
ନୂଆପଡ଼ାରେ ୩୫୮ ବୁଥ୍ ରହିଛି । ସେଥିମଧ୍ୟରୁ ୪୭ଟି ବୁଥ୍ ମାଓ ଅଧ୍ୟୁଷିତ ଅଞ୍ଚଳରେ ରହିଛି । ଏହିସବୁ ବୁଥ୍ଗୁଡ଼ିକ ହେଉଛି, ୧୪୫ରୁ ୧୫୦, ୧୫୨ରୁ ୧୫୪ଳ ୧୫୮ରୁ ୧୬୦, ୧୬୨ରୁ ୧୬୫, ୧୭୨, ୧୭୩, ୧୯୧, ୨୨୧ରୁ ୨୨୩, ୨୫୪, ୨୫୫, ୨୬୮ରୁ ୨୭୧, ୩୦୬, ୩୦୭, ୩୧୯ରୁ ୩୩୧, ୩୫୫ ଓ ୩୫୮ । ଏହି ୪୭ ବୁଥ୍ରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବ ।ସେହିପରି ୬ଟି ସକ୍ଷୀ ବୁଥ୍ ରହିଛି । ଉପନିର୍ବାଚନ ପାଇଁ ୩୯୬ ପୁଲିଂ ପାର୍ଟି କରାଯାଇଛି । ୩୮ ରିଜର୍ଭ ପାର୍ଟି ରହିଥିବାବେଳେ ନିର୍ବାଚନ କାର୍ଯ୍ୟରେ ୧୫୮୪ ଜଣଙ୍କୁ ନିୟୋଜିତ କରାଯାଇଛି । ଅପରପକ୍ଷରେ ସୁରକ୍ଷା ପାଇଁ ଜିଲ୍ଲାର ୩୬୪ ପୁଲିସ୍ ଓ ଅନ୍ୟ ଜିଲ୍ଲାରୁ ଆସିଥିବା ୮୬୭ ପୁଲିସ୍ ନିୟୋଜିତ ହୋଇଛନ୍ତି । ମୋଟ୍ ଉପରେ ୧୨୩୧ ପୁଲିସ୍, ୧୪ କମ୍ପାନୀ ସିଏପିଏଫ ଓ ୬ ପ୍ଳାଟୁନ୍ ଏସଏପି ନିଯୁକ୍ତ ହୋଇଛନ୍ତି ।
ଅପରପକ୍ଷରେ ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ ଆସନ୍ତାକାଲି ହେବାକୁ ଯାଉଛି । ଶାସକ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ଓ ବିରୋଧୀ ମହାଗଠବନ୍ଧନ ଉଭୟଙ୍କ ପାଇଁ ଏସିଡ ଟେଷ୍ଟ ହେବ । କାରଣ ଉଭୟ ମେଣ୍ଟ ପ୍ରଥମ ପର୍ଯ୍ୟାୟରେ ସମାନ ଭାବରେ ସ୍ଥିର ଅଛନ୍ତି । ଆସନ୍ତାକାଲି ବିହାରର ୨୦ଟି ଜିଲ୍ଲାର ୧୨୨ଟି ନିର୍ବାଚନମଣ୍ଡଳୀରେ ଶେଷ ପର୍ଯ୍ୟାୟ ମତଦାନ ହେବ । ନଭେମ୍ବର ୬ରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟରେ ରେକର୍ଡ ମତଦାନ ହୋଇଥିଲା । ମଙ୍ଗଳବାର ଅନୁଷ୍ଠିତ ହେବାକୁ ଥିବା ଶେଷ ପର୍ଯ୍ୟାୟ ମତଦାନ ରାଜ୍ୟରେ କେଉଁ ମେଣ୍ଟ ସରକାର ଗଠନ କରିବ ତାହା ନିର୍ଣ୍ଣୟ କରିବ । ଶେଷ ପର୍ଯ୍ୟାୟରେ ଭୋଟ ହେବାକୁ ଥିବା ୧୨୨ଟି ଆସନ ବିହାରର କେନ୍ଦ୍ରୀୟ, ପଶ୍ଚିମ ଏବଂ ଉତ୍ତର କ୍ଷେତ୍ରର ୨୦ଟି ଜିଲ୍ଲାରେ ବିସ୍ତାରିତ । ପାରମ୍ପରିକ ଭାବରେ ତିର୍ହୁତ, ସରନ ଏବଂ ଉତ୍ତର ମିଥିଳାଞ୍ଚଲ ଅଞ୍ଚଳରେ ବିଜେପି ପ୍ରାଧାନ୍ୟ ବିସ୍ତାର କରିଥିଲା, ଯେତେବେଳେ ଭାଗଲପୁରରେ ଜେଡି(ୟୁ)ର ଏକ ଦୃଢ଼ ଭୂମି ଅଛି । ଅନ୍ୟପକ୍ଷରେ ମହାଗଠବନ୍ଧନର ଜେହାବାନଦ, ଗୟା, ଔରଙ୍ଗାବାଦ, ରୋହତାସ, କୈମୁର, ଅରୱାଲ ଏବଂ ନୱାଡା ଜିଲ୍ଲାରେ ଦବଦବା ସହ ମଗଧ ଏବଂ ଶାହାବାଦ ଅଞ୍ଚଳରେ ପ୍ରଭାବଶାଳୀ ଆଧାର ଅଛି ।
ନୀତୀଶ କୁମାର ସରକାରଙ୍କ ଅଧା ଡଜନରୁ ଅଧିକ ମନ୍ତ୍ରୀଙ୍କ ସମେତ ୧,୩୦୨ ପ୍ରାର୍ଥୀଙ୍କ ନିର୍ବାଚନୀ ଭାଗ୍ୟ ମଙ୍ଗଳବାର ଦିନ ସିଲ୍ ହେବ । ବିହାର ନିର୍ବାଚନର ଶେଷ ପର୍ଯ୍ୟାୟରେ ୧୨୨ଟି ବିଧାନସଭା କ୍ଷେତ୍ରରେ ୩.୭୦ କୋଟି ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରିବେ । ମତଦାନ ହେବାକୁ ଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ପଶ୍ଚିମ ଚମ୍ପାରଣ, ପୂର୍ବ ଚମ୍ପାରଣ, ସୀତାମାଢ଼ି, ମଧୁବନୀ, ସୁପୌଲ, ଆରାରିଆ ଏବଂ କିଶନଗଞ୍ଜ ଅନ୍ତର୍ଭୁକ୍ତ ଏବଂ ଏହି ସମସ୍ତ ଜିଲ୍ଲା ନେପାଳ ସହିତ ସୀମାବଦ୍ଧ । ଗ୍ରାମାଞ୍ଚଳରେ ୪୦,୦୭୩ ସମେତ ୪୫,୩୯୯ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ କରାଯିବ । ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ସମଗ୍ର ବିହାରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ୪ ଲକ୍ଷରୁ ଅଧିକ କର୍ମଚାରୀ ନିର୍ବାଚନ ଦାୟିତ୍ୱରେ ନିୟୋଜିତ ଅଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି । କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀର ପ୍ରାୟ ୫୦୦ କମ୍ପାନୀ (ପ୍ରାୟ ୫୦,୦୦୦) ବିହାରରେ ପ୍ରାକ୍ ନିର୍ବାଚନ ଦାୟିତ୍ୱରେ ନିୟୋଜିତ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ସିଏପିଏଫର ଆହୁରି ୫୦୦ କମ୍ପାନୀ ରାଜ୍ୟରେ ପହଞ୍ଚିଛନ୍ତିି ।