ଆଜି ନେତାଜୀ ସଂଗ୍ରହାଳୟରେ ତ୍ରିରଙ୍ଗା ଉଡ଼ାଇବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ ସାରା ଭାରତବର୍ଷରେ ନେତାଜୀ ଜୟନ୍ତୀ ପାଳନ କରାଯାଉଛି । ଏହିଦିନକୁ ପରାକ୍ରମ ଦିବସ ଭାବେ ଅଭିହିତ କରି ଦେଶର ପ୍ରମୁଖ ସ୍ଥାନମାନଙ୍କରେ ପାଳନ କରାଯାଉଛି ସୁଭାଷ ବୋଷଙ୍କ ଜୟନ୍ତୀ । ଏହି କ୍ରମରେ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ନେତାଜୀଙ୍କ ଜନ୍ମସ୍ଥାନରେ ଦୀର୍ଘ ୩ ଦିନ ଧରି ପରାକ୍ରମ ଦିବସ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ଐତିହାସିକ କଟକ ସହରର ବାରବାଟୀ ଦୁର୍ଗ ଭିତରେ ଆସନ୍ତାକାଲି ଅର୍ଥାତ ୨୩ରୁ ୨୫ ପର୍ଯ୍ୟନ୍ତ ପରାକ୍ରମ ଦିବସ ପାଳନ କରାଯିବ । ତିନି ଦିନ ଧରି ଚାଲିବାକୁ ଥିବା ବହୁମୁଖୀ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । କେନ୍ଦ୍ର ସଂସ୍କୃତି ବିଭାଗ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ୩ ଦିନିଆ ଜାତୀୟ ପରାକ୍ରମ ଦିବସ କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ଉଚ୍ଚ ପଦାଧିକାରୀମାନେ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବେ । ଏହାସହ ସଂଗ୍ରହାଳୟ ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସଂଗ୍ରହାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିବେ । ପରେ ବାରବାଟୀ ଦୁର୍ଗ ମଧ୍ୟରେ ଜାତୀୟସ୍ତରୀୟ ପରାକ୍ରମ ଦିବସ ପାଳନ କରାଯିବ । ପ୍ରଧାନମନ୍ତ୍ରୀଙ୍କ ଏକ ଭିଡିଓ ମେସେଜରୁ ଆରମ୍ଭ ହୋଇ ନେତାଜୀଙ୍କ ସମ୍ପର୍କିତ ବିଭିନ୍ନ ପୁସ୍ତକ, ଫଟୋ, ଚିଠି, କାଗଜପତ୍ରର ପ୍ରଦର୍ଶନ ମଧ୍ୟ କରାଯିବ । ନେତାଜୀଙ୍କ ଜୀବନ ବୃତ୍ତାନ୍ତ ଓ ସ୍ୱାଧୀନତା ସଂଗ୍ରାମ ଉପରେ ଆଧାରିତ ବିଭିନ୍ନ ତଥ୍ୟ ପ୍ରଦର୍ଶିତ କରାଯିବ । ଏ ଅବସରରେ ଚିତ୍ରକଳା ଶିବିର ସହ ଓଡ଼ିଶାର କଳା ଭାସ୍କର୍ଯ୍ୟ ଶିଳ୍ପ ନିର୍ମାଣର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହାସହ ନେତାଜୀ ଏବଂ ଓଡିଶା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ ।