ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ : ‘କୃଷକ ଉନ୍ନତିରେ ରାଜ୍ୟର ବିକାଶ’
ଭୁବନେଶ୍ୱର/କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଧରଣୀଧର ବିଶ୍ୱବିଦ୍ୟାଳୟ ଖେଳ ପଡ଼ିଆଠାରେ ପାଞ୍ଚ ଦିନ ବ୍ୟାପୀ ଆୟୋଜିତ ହେବାକୁ ଥିବା ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏ ଅବସରରେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି ଯେ, ଯେ କୌଣସି ସମାଜର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ହେଉଛନ୍ତି ଆମର କୃଷକ ସମାଜ । ଯେଉଁମାନେ ଖରା, ବର୍ଷା, ଶୀତକୁ ଭୃକ୍ଷେପ ନ କରି ହାଡଭଙ୍ଗା ପରିଶ୍ରମଦ୍ୱାରା ଆମ୍ଭ ସମସ୍ତଙ୍କୁ ଆହାର ଦେଉଛନ୍ତି । ସେମାନଙ୍କ ବିନା ସମାଜର ପରିକଳ୍ପନା କରିବା ଅସମ୍ଭବ । କୃଷକଙ୍କ ଉନ୍ନତି ଦ୍ୱାରା ହିଁ ରାଜ୍ୟର ବିକାଶ ହୋଇପାରିବ । ତେଣୁ, ଅନ୍ନଦାତାଙ୍କୁ ଯେତେ ଧନ୍ୟବାଦ କଲେ ମଧ୍ୟ ତାହା ସବୁବେଳେ କମ୍ ।
ସେ ଆହୁରି କହିଛନ୍ତି ଓଡିଶା ଏକ କୃଷି ଭିତ୍ତିକ ରାଜ୍ୟ ଭାବେ ପରିଚିତ ଥିବା ବେଳେ ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ ଲୋକେ କୃଷି ଏବଂ ଆନୁଷଙ୍ଗିକ କାର୍ଯ୍ୟ ଉପରେ ନିର୍ଭରଶୀଳ । ଏଣୁ ଆମ ସରକାର ଗଠନ ହେବାର ମାତ୍ର ୨୪ ମିନିଟ ମଧ୍ୟରେ ରାଜ୍ୟର ଚାଷୀ ଭାଇ ଓ ଭଉଣୀଙ୍କ ଆୟରେ ବୃଦ୍ଧିକରିବା ପାଇଁ କୃଷକ ସମୃଦ୍ଧି ଯୋଜନା କାର୍ଯ୍ୟକାରୀ ଲାଗି ନିଷ୍ପତ୍ତି ନିଆଯାଇଥିଲା । ଯାହା ଆମ ସରକାରଙ୍କ କୃଷି ଓ କୃଷକଙ୍କ କଲ୍ୟାଣ ନିମିତ୍ତ ପ୍ରତିବଦ୍ଧତାକୁ ପ୍ରଦର୍ଶନ କରୁଛି । ଜଳବାୟୁ ପରିବର୍ତ୍ତନ, ଅସ୍ଥିର ବଜାର ମୂଲ୍ୟ ଏବଂ ଶ୍ରମିକ ଅଭାବ କୃଷି ଉତ୍ପାଦନକୁ ବାଧା ଦେଇଥାଏ । ସେଥିପାଇଁ ଏହି ମେଳା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କୃଷି କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କୃଷି ଯନ୍ତ୍ରପାତିର ବ୍ୟବହାର ଦ୍ୱାରା କିପରି ଚାଲେଞ୍ଜଗୁଡ଼ିକ ମଧ୍ୟରୁ କିଛି ହ୍ରାସ କରାଯାଇପାରିବ ଓ ଦକ୍ଷତା, ଉତ୍ପାଦକତା ଏବଂ ଶେଷରେ ଲାଭଦାୟକତା ବୃଦ୍ଧି କରାଯାଇପାରିବ; ତାକୁ ଦୃଷ୍ଟିରେ ରଖି ଏହି ମେଳା ଆୟୋଜନ କରାଯାଇଛି । ଏହା ଆମର କୃଷି ପଦ୍ଧତିକୁ ଆଧୁନିକୀକରଣ କରିବା ସହିତ ଆମର ଚାଷୀଭାଇମାନଙ୍କୁ ଆଜିର ବିଶ୍ୱ ବଜାରରେ ପ୍ରତିଯୋଗୀ ଭାବେ ଗଢ଼ି ତୋଳିବାରେ ସକ୍ଷମ ହେବ ।
୨୦୨୫-୨୬ ବଜେଟରେ କୃଷି ଓ କୃଷକଙ୍କ କଲ୍ୟାଣ ନିମନ୍ତେ ବହୁବିଧ ଯୋଜନା ପ୍ରସ୍ତୁତ କରାଯାଇଛି । ଏହି ଯୋଜନାର ବଜେଟ, ୫ ହଜାର କୋଟିରୁ ୬ ହଜାର କୋଟିକୁ ବୃଦ୍ଧି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ତେଲକୋଇ ବିଧାୟକ ଡ଼କ୍ଟର ଫକୀର ମୋହନ ନାଏକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଜିଲ୍ଲାପାଳ ବିଶାଲ ସିଂହ, କୃଷି ବିଭାଗ ଅତିରିକ୍ତ ନିଦେ୍ର୍ଦଶକ ଜାମି ସୂର୍ଯ୍ୟା ରାଓ, କେନ୍ଦୁଝରଗଡ଼ ପୌରାଧ୍ୟକ୍ଷା ନିକୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।