ଆଞ୍ଚଳିକ ସାମ୍ବାଦିକ ସଂଘର ପ୍ରତିଷ୍ଠା ଦିବସ
ଖଣ୍ଡପଡ଼ା : ଖଣ୍ଡପଡ଼ା ଆଞ୍ଚଳିକ ସାମ୍ବାଦିକ ସଂଘର ୪୧ତମ ପ୍ରତିଷ୍ଠା ଦିବସ ସଂଘ କାର୍ଯ୍ୟାଳୟରେ ପାଳିତ ହୋଇଛି । ସଂଘ ସଭାପତି ବିନାୟକ ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ମୁଖ୍ୟବକ୍ତା ଭାବେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକ ଓ ସମ୍ମାନିତ ଅତିଥି ଭାବେ ଖଣ୍ଡପଡ଼ା ବିଡିଓ ଅଙ୍କୁର ଅଭିଳାଷ, ତହସିଲଦାର ବିଶ୍ୱବିଶୃତ ତ୍ରିପାଠୀ, ସାଂସଦଙ୍କ ପ୍ରତିନିଧି ଚନ୍ଦ୍ରକାନ୍ତ ବଳିଆରସିଂ ପ୍ରମୁଖ ଯୋଗଦେଇ ଅନୁଷ୍ଠାନର ଉତ୍ତୋରତର ଉନ୍ନତି କାମନା କରିଥିଲେ । କର୍ତ୍ତବ୍ୟରତ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ସଂଘ ସଦସ୍ୟ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଖଣ୍ଡପଡା ଆଞ୍ଚଳିକ ସାମ୍ବାଦିକ ସଂଘ ଉନ୍ନତିକରଣ ନିମନ୍ତେ ବିଧାୟକ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେବେ ବୋଲି ଏ ଅବସରରେ ପ୍ରତିଶ୍ରୁତି ଦେଇଥିଲେ । ସଂଘ ସଦସ୍ୟ ବିଧାୟକଙ୍କ ପ୍ରସ୍ତାବକୁ ସ୍ୱାଗତ କରିଥିଲେ । ସଂଘ ପକ୍ଷରୁ ଭବାନୀଶଙ୍କର ମହାନ୍ତି ଓ ରଞ୍ଜନ ମହାପାତ୍ର ସମସ୍ତ ଅତିଥିଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ସାମ୍ବାଦିକମାନେ ସର୍ବଦା ସଠିକ, ତଥ୍ୟଭିତ୍ତିକ, ନିର୍ଭିକ ଓ ନିରପେକ୍ଷ ଖବର ପରିବେଷଣ ପ୍ରତି ଗୁରୁତ୍ୱ ଦେବାକୁ ଅତିଥି ମତବ୍ୟକ୍ତ କରିଥିଲେ । ଆଞ୍ଚଳିକ ସାମ୍ବାଦିକ ସଂଘ ସମ୍ପାଦକ ଭବାନୀଶଙ୍କର ସିଂହସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଖଣ୍ଡପଡା, କଣ୍ଟିଲୋ, ଭାପୁର ଓ ନୟାଗଡ ଅଞ୍ଚଳରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ ।