ଆତଙ୍କୀଙ୍କ ଭୂ-ସ୍ୱର୍ଗ ଅଲ ଫଲାହ ୟୁନିଭର୍ସିଟି
- ବୋମା ସ୍କ୍ୱାଡର ତନାଘନା
- ଫଣ୍ଡିଂର ତଦନ୍ତ କରିବ ଇଡି
- ନଥିଲା ଅନୁମତି
- ନାକର ଶୋ’କଜ ନୋଟିସ
ନୂଆଦିଲ୍ଲୀ : ହରିୟାଣା ଫରିଦାବାଦର ଧାଉଜ ଗାଁରେ ଥିବା ଅଲ ଫଲାହ ବିଶ୍ୱବିଦ୍ୟାଳୟ ଆତଙ୍କୀଙ୍କ ଭୂ-ସ୍ୱର୍ଗ ପାଲଟିଥିଲା । ଦେଶଦ୍ରୋହୀ ଅଭିଯୋଗରେ ଯେତେବେଳେ କାଶ୍ମୀରରେ ଡାକ୍ତରଙ୍କୁ ଚାକିରିରୁ ବିଦା କରାଯାଉଥିଲା, ସେତେବେଳେ ଏହି ବିଶ୍ୱବିଦ୍ୟାଳୟ ସେମାନଙ୍କୁ ମୋଟା ଅଙ୍କରେ ନିଯୁକ୍ତି ଦେଉଥିଲା । ଏହାସହ ଏଠାରେ ଇଞ୍ଜିନିୟରିଂ ଓ ଡାକ୍ତରୀ ପାଠ ପଢାଯିବା ପାଇଁ ଅନୁମତି ନଥିବା ବେଳେ ତାହା ଖୋଲମ ଖୁଲା ଏଠାରେ ଚାଲିଥିଲା । ମଣିଷ ଜୀବନ ବଞ୍ଚାଇବା ପାଇଁ ଏଠାରେ ପାଠ ପଢା ଯାଉନଥିଲା, କିପରି ମଣିଷ ଜୀବନ ନିଆଯିବ ତାହା ଡାକ୍ତରୀ ପାଠ ପଢା ନାଁରେ ଶିକ୍ଷା ଦିଆ ଯାଉଥିଲା । ଆଉ ଏଠାରେ ଖୋଲମ ଖୋଲା ଦେଶ ଦ୍ରୋହ କାର୍ଯ୍ୟକଳାପ ଚାଲୁଥିଲା । ଯାହାର ଖୁଲସା କରିଛି ନାକ ଟିମ । ଗତକାଲି ବିଶ୍ୱବିଦ୍ୟାଳୟ ନିକଟରୁ ବିସ୍ଫୋରଣ ସମୟରେ ନିୟୋଜିତ ଲାଲ ରଙ୍ଗର ଫୋର୍ଡ ଇକୋସ୍ପୋର୍ଟ କାର ଉଦ୍ଧାର ହୋଇଥିଲା । ଆଜି ବିଶ୍ୱବିଦ୍ୟାଳୟ ପରିସରରୁ ବିସ୍ଫୋରଣ ସମୟରେ ବ୍ୟବହୃତ ତୃତୀୟ କାର ମିଳିବା ପରେ ସୁରକ୍ଷା ଏଜେନ୍ସିର ନିଦ ଭାଙ୍ଗିଥିଲା । ଦିଲ୍ଲୀଠୁ ମାତ୍ର ୩୦ କିମି ଦୂରରେ କିପରି ଏପରି ଜାଲିଆତି ବିଶ୍ୱବିଦ୍ୟାଳୟ ଚାଲୁ ଥିଲା ତାହା କେମିତି କେହି ଜାଣି ପାରିଲେ ନାହିଁ ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି ।
ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ଅଭିଯୁକ୍ତ ଓ ଜୈଶ-ଇ-ମହମ୍ମଦ ସହିତ ଜଡିତ ଏକ ଆତଙ୍କବାଦୀ ମଡ୍ୟୁଲ୍ ଲିଙ୍କ୍ ପରେ ହରିୟାଣାର ଅଲ୍-ଫଲାହ ବିଶ୍ୱବିଦ୍ୟାଳୟ ଚର୍ଚ୍ଚାକୁ ଆସିଛି । ଏବେ ତଦନ୍ତକାରୀଙ୍କ ସ୍କାନରକୁ ଆସିଛି ଏହି ବିଶ୍ୱବିଦ୍ୟାଳୟ । ମିଛ ମାନ୍ୟତା ଦାବି ପ୍ରଦର୍ଶନ ପାଇଁ ନାକ ପକ୍ଷରୁ କାରଣ ଦର୍ଶାଅ ନୋଟିସ ପରେ ଗୁରୁବାର ଦିନ ବିଶ୍ୱବିଦ୍ୟାଳୟର ୱେବସାଇଟ୍କୁ ହଟାଇ ଦିଆଯାଇଛି । ଏହି ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବିଶ୍ୱବିଦ୍ୟାଳୟର ପାଣ୍ଠି ଓ ଏହାର ଡାକ୍ତରଙ୍କ ଆର୍ଥିକ କାରବାରର ତଦନ୍ତ ଦାୟିତ୍ୱ ନେଇଛି । କାରଣ ଲାଲକିଲ୍ଲା ବିସ୍ଫୋରଣ ଘଟାଇଥିବା ଡାକ୍ତର ଉମର ନବି ଏଠାରେ ନିଯୁକ୍ତି ପାଇଥିଲେ । ଡାକ୍ତର ଉମରଙ୍କ ବ୍ୟତୀତ ତାଙ୍କର ଦୁଇ ସହଯୋଗୀ ଡାକ୍ତର ମୁଜାମ୍ମିଲ୍ ଶକିଲ୍ ଏବଂ ଡାକ୍ତର ଶାହିନ୍ ଶାହିଦ ମଧ୍ୟ ଏଠାରେ ଚାକିରି କରୁଥିଲେ ।
ଯେଉଁମାନେ ହ୍ୱାଇଟ୍ କଲାର ଆତଙ୍କବାଦୀ ନେଟୱାର୍କର ଅଂଶ ଥିଲେ । ସେହିପରି ବିଶ୍ୱବିଦ୍ୟାଳୟର ଆଉ ଜଣେ ଡାକ୍ତର ନିସାର-ଉଲ-ହାସନ ଲାଲକିଲ୍ଲା ବିସ୍ଫୋରଣ ପରେ ନିଖୋଜ ହୋଇଯାଇଛନ୍ତି । ଗୁରୁବାର ଦିନ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସ୍ୱାୟତ୍ତ ସଂସ୍ଥା ନାକ ତାଙ୍କ ନୋଟିସରେ କହିଛି ଯେ ପ୍ରତିଷ୍ଠାନର ମାନ୍ୟତାର ମିଆଦ ଶେଷ ହୋଇଯାଇଛି ଏବଂ ଏହା ବିରୁଦ୍ଧରେ କାହିଁକି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ । ନାକ କହିଛି ଯେ ବିଶ୍ୱବିଦ୍ୟାଳୟର ୱେବସାଇଟରେ ପ୍ରଦର୍ଶିତ ‘ଗ୍ରେଡ୍ ଏ' ମାନ୍ୟତା ସମ୍ପୂର୍ଣ୍ଣ ଭୁଲ ଏବଂ ଜନସାଧାରଣଙ୍କୁ ଭ୍ରମିତ କରୁଛି । ଏନେଇ ସାତ ଦିନ ମଧ୍ୟରେ ଉତ୍ତର ଦେବାକୁ ଅଲ-ଫଲାହ ପ୍ରଶାସନକୁ କୁହାଯାଇଛି । ଅଲ-ଫଲାହ ସ୍କୁଲ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ‘ଗ୍ରେଡ୍ ଏ' ମାନ୍ୟତା ୨୦୧୮ରେ ଶେଷ ହୋଇଯାଇଥିଲା, ସେତେବେଳେ ଅଲ-ଫଲାହ ସ୍କୁଲ ଅଫ୍ ଏଜୁକେସନ୍ ଆଣ୍ଡ ଟ୍ରେନିଂର ମାନ୍ୟତା ମଧ୍ୟ ୨୦୧୬ରେ ଶେଷ ହୋଇଯାଇଥିଲା । ନ୍ୟାସନାଲ ମେଡିକାଲ କମିଶନ (ଏନଏମସି) କହିଛି ଯେ ତଦନ୍ତ ପରେ ବିଶ୍ୱବିଦ୍ୟାଳୟ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ । ସୂତ୍ର ଅନୁଯାୟୀ ଇଡି ଏବେ ଅଲ୍-ଫଲାହ ବିଶ୍ୱବିଦ୍ୟାଳୟ ଏବଂ ଦିଲ୍ଲୀ ବିସ୍ଫୋରଣ ମାମଲାରେ ଜଡିତ ଥିବା ବ୍ୟକ୍ତିବିଶେଷଙ୍କ ଆର୍ଥିକ କାରବାରର ବିସ୍ତୃତ ତଦନ୍ତ କରିବ । ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଇଡି ନିର୍ଦ୍ଦେଶକଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଇଡି ଅଲ୍-ଫଲାହ ବିଶ୍ୱବିଦ୍ୟାଳୟ ଦ୍ୱାରା ନିଯୁକ୍ତ ଅଭିଯୁକ୍ତ ଡାକ୍ତରଙ୍କ ସମ୍ଭାବ୍ୟ ଅର୍ଥ କାରବାର ଓ ସନ୍ଦେହଜନକ ସ୍ଥାନାନ୍ତର ଯାଞ୍ଚ କରିବ । ଏହା ସହିତ ଦିଲ୍ଲୀ ବିସ୍ଫୋରଣର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଫରିଦାବାଦ ମଡ୍ୟୁଲ୍ ସହିତ ଜଡିତ କଥିତ ଆତଙ୍କୀ ପାଣ୍ଠି ଦିଗର ଯାଞ୍ଚ କରିବ । ଯେକୌଣସି ଆର୍ଥିକ ଅନିୟମିତତା ଚିହ୍ନଟ କରିବା ପାଇଁ ଏକ ଫୋରେନସିକ୍ ଅଡିଟ୍ ମଧ୍ୟ କରାଯିବ ।
ଏପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର ୫୦ ରୁ ଅଧିକ କର୍ମଚାରୀ ଓ ଏହାର ପରିସରରେ ଥିବା ହସ୍ପିଟାଲ ସହିତ ଜଡିତ ଡାକ୍ତରଙ୍କୁ ପଚରାଉଚରା କରାଯାଇଛି । ଗୁରୁବାର ହରିୟାଣା ପୁଲିସର ଏକ ଦଳ ତିନି ଅଭିଯୁକ୍ତ ଡାକ୍ତରଙ୍କ ସହ ଜଡିତ କାଗଜପତ୍ର ପାଇବା ପାଇଁ ବିଶ୍ୱବିଦ୍ୟାଳୟର ମୁଖ୍ୟାଳୟରେ ପହଞ୍ଚିଥିଲା । ହ୍ୱାଇଟ କଲାର ଆତଙ୍କୀ ମଡ୍ୟୁଲର ପର୍ଦ୍ଦାଫାସ ପରେ ବିଶ୍ୱବିଦ୍ୟାଳୟର ନିଯୁକ୍ତି ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠିଛି । ଲାଲକିଲ୍ଲା ବିସ୍ଫୋରଣର ମାଷ୍ଟର ମାଇଣ୍ଡ ଡାକ୍ତର ଉମର ନବିଙ୍କୁ ତାଙ୍କ ଅବହେଳା ଯୋଗୁଁ ଜଣେ ରୋଗୀଙ୍କ ମୃତ୍ୟୁ ପରେ ଅନନ୍ତନାଗର ସରକାରୀ ମେଡିକାଲ କଲେଜରୁ ବହିଷ୍କାର କରାଯାଇଥିଲା । ତାଙ୍କର ସନ୍ଦେହଜନକ ଅତୀତ ସତ୍ତେ୍ୱ ତାଙ୍କୁ ୨୦୨୩ ମସିହାରେ ଅଲ୍-ଫଲାହରେ ନିଯୁକ୍ତି ଦିଆଯାଇଥିଲା । ସେହିପରି ବିସ୍ଫୋରଣ ପରେ ନିଖୋଜ ଥିବା ଡାକ୍ତର ନିସାର-ଉଲ-ହାସନ ୨୦୨୩ ମସିହାରେ ଦେଶ ବିରୋଧୀ କାର୍ଯ୍ୟକଳାପ ପାଇଁ ଜମ୍ମୁ ଓ କାଶ୍ମୀର ସରକାର ତାଙ୍କୁ ଚାକିରିରୁ ବରଖାସ୍ତ କରିଥିଲେ । ସେ ଶ୍ରୀନଗରର ଏସଏମଏଚଏସ ହସ୍ପିଟାଲରେ ସରକାରୀ ପ୍ରଫେସର ଭାବେ କାର୍ଯ୍ୟ କରୁଥିଲେ । ତାପରେ ସେ ଫରିଦାବାଦ ଅଲ-ଫଲାହ- ବିଶ୍ୱବିଦ୍ୟାଳୟରେ ଚାକିରି ପାଇଥିଲେ ।