ଆତ୍ମହତ୍ୟା ନିରୋଧ ଦିବସ

ଆତ୍ମହତ୍ୟା ନିରୋଧ ଦିବସ


ଆନ୍ତର୍ଜାତିକ ସ୍ତରରେ ଆତ୍ମହତ୍ୟା ନିରାକରଣ ଚେଷ୍ଟା କରୁଥିବା ଏକ ସଂସ୍ଥା ୨୦୧୧ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ଜଡ଼ିତ ହୋଇ ବିଶ୍ୱବାସୀଙ୍କ ନିମନ୍ତେ ଏକ ନୂତନ ପଦକ୍ଷେପ ନେବାକୁ ସ୍ଥିର କଲେ । ସେବେଠାରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଆନୁକୂଲ୍ୟରେ ସେପ୍ଟେମ୍ବର ୧୦କୁ ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ ଭାବେ ପାଳନ କରାଯାଉଛି । ସର୍ବେକ୍ଷଣ ଅନୁସାରେ ୧୯୯୦ ପରଠାରୁ ଯୁବପିଢ଼ିରେ ଆତ୍ମହତ୍ୟା ହାର ବୃଦ୍ଧି ପାଇଛି । ସେସବୁ ତଥ୍ୟକୁ ଲକ୍ଷ୍ୟ କରି ୨୦୧୧ରେ ବିଶ୍ୱର ୪୦ଟି ରାଷ୍ଟ୍ରମୁଖ୍ୟଙ୍କ ସହମତିରେ ପ୍ରଥମଥର ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ ପାଳନ ହୋଇଥିଲା । ବିଭିନ୍ନ ସ୍ଥାନରେ ନାଟକ ଦ୍ୱାରା ସଚେତନ କରାଇବା ସହ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପ୍ରାୟ ୧୫ଟି ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରିଛି । ପ୍ରତ୍ୟେକଙ୍କ ଜୀବନ ମୂଲ୍ୟବାନ, ତେଣୁ ଏହାର ଯଥାର୍ଥତା ହୃଦୟଙ୍ଗମ କରିବା ଆବଶ୍ୟକ ହେଉଛି ଦିବସର ବାର୍ତ୍ତା । ପ୍ରତି ବର୍ଷ ପରି ଚଳିତ ବର୍ଷର ବାର୍ତ୍ତା ରହିଛି "ଆତ୍ମହତ୍ୟା ଉପରେ ବର୍ଣ୍ଣନା ପରିବର୍ତ୍ତନ କରିବା' ('ଉଷବଦ୍ଭଶସଦ୍ଭଶ ଗ୍ଧଷର ଘବକ୍ସକ୍ସବଗ୍ଧସଙ୍ଖର କ୍ଟଦ୍ଭ ଝଙ୍କସମସୟର') । ଆତ୍ମହତ୍ୟା କରିଦେଲେ ଯେ ସବୁକିଛିର ସହଜ ସମାଧାନ ହୋଇଯାଏ ତାହାନୁହେଁ ବରଂ ଏହାର କୁପ୍ରଭାବ ତମାମ ପରିବାର, ସମ୍ପ୍ରଦାୟ, ସମାଜ ଓ ସର୍ବୋପରି ସମଗ୍ର ଦେଶ ଉପରେ ପଡ଼ିଥାଏ । ସାରା ଜୀବନ ଆପଣାର ଲୋକମାନେ ଝୁରି ହୁଅନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ ପ୍ରତି ବର୍ଷ ପାଖାପାଖି ୭୨,୬୦୦୦ ଜଣ ଜୀବନ ହାରୁଛନ୍ତି । କେବଳ ସେତିକି ନୁହେଁ ଏହାଠାରୁ ଅଧିକ ଜଣ ବରଂ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଛନ୍ତି ।  
ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ଅବସରରେ ଏକ ସର୍ବଶେଷ ପରିସଂଖ୍ୟନ ତଥ୍ୟ ଅନୁଯାୟୀ ଗତବର୍ଷ ପୃଥିବୀରେ ଯେତେଜଣଙ୍କର ଜୀବନ ଦୀପ ନିର୍ବାପିତ ହୋଇଥିଲା ସେମାନଙ୍କ ଭିତରୁ ୧୫ରୁ ୨୯ ବର୍ଷ ବୟସ୍କଙ୍କ ମୃତୁ୍ୟର ତୃତୀୟ ପ୍ରମୁଖ କାରଣଟି ହେଉଛି ଆତ୍ମହତ୍ୟା । ତେବେ ସବୁଠାରୁ ଉଦବେଗଜନକ ତଥ୍ୟ ହେଉଛି ଆତ୍ମହତ୍ୟା କାରଣ ପାଇଁ ଦିନକୁ ବାରଜଣଙ୍କ ଜୀବନ ଯାଉଥିବାବେଳେ ପାରିବାରିକ ସମସ୍ୟା କାରଣରେ ଓଡ଼ିଶାର ସ୍ଥାନ ଦୁଇ ନମ୍ବରରେ ରହିଛି । ଏହା ସତ୍ୟ ଯେ ଗତ କିଛି ବର୍ଷ ଧରି ଲଗାତାର ଦେଶରେ ଆତ୍ମହତ୍ୟା ମାମଲା ବଢ଼ିବାରେ ଲାଗିଛି । ରାଷ୍ଟ୍ରୀୟ ଅପରାଧ ରେକର୍ଡ଼ ବୁ୍ୟରୋର ସଦ୍ୟତମ ରିପୋର୍ଟ ଅନୁସାରେ ଭାରତରେ ୨୦୨୪ରେ ମୋଟ ୧,୯୪,୮୧୩ ଲୋକ ଆତ୍ମହତ୍ୟା କରିଛନ୍ତି  ।  ମନୁଷ୍ୟର ଚେତନା ଯଦି ବ୍ୟକ୍ତିକୈନ୍ଦି୍ରକ ଓ ଆକାଶଚୁମ୍ବୀ ଆଶା ସହିତ ଜଡ଼ିତ ହୁଏ, ତେବେ ତାର ଚେତନା ଦେହ, ମନ, ଇନ୍ଦି୍ରୟ, ବୁଦ୍ଧି ଭଳି ନିମ୍ନ ସ୍ତରରେ ଅଟକି ଯିବା ସାର ହେବ ଯେଉଁଠି ନୈରାଶ୍ୟ ଓ ମାନସିକ ଚାପ କବଳରେ ପଡ଼ିଯାଇ ଆତ୍ମହତ୍ୟାର ଶିକାର ହେବା ସହଜ ହେବ । ମୋଟ ଉପରେ କହିବାକୁ ଗଲେ, ପ୍ରତ୍ୟେକ ମନୁଷ୍ୟ ଆସ୍ତିକ ହେଉ ବା ନାସ୍ତିକ, ବୁଝିବା ଉଚିତ ଯେ ଜଡ଼ ଓ ଚେତନା ସମ୍ମିଶ୍ରିତ ଜୀବନ ପ୍ରକୃତିର ଏକ ଅବଦାନ ଯାହାକୁ ସଫଳତା ଓ ବିଫଳତାର ଦ୍ୱାହି ଦେଇ ଆମର ନଷ୍ଟ କରିବାର ଅଧିକାର ନାହିଁ । ଆଶା ଓ ନିରାଶା, ଦୁଃଖ ଓ ସୁଖର ଲୁଚକାଳି ଖେଳ ମଣିଷ ମନରେ ଘଟିବ ହିଁ ଘଟିବ । ସେସବୁ ଆବେଗ ସହିତ ନିଜକୁ ବାନ୍ଧି ହର୍ଷୋତ୍ଫୁଲ୍ଲତା କି ନୈରାଶ୍ୟରେ ନିଜକୁ ଭସାଇ ଦେବା ଉଚିତ ନୁହେଁ । ଆଜିର ଶିକ୍ଷା ପ୍ରଣାଳୀରେ ଏପରି ଦାର୍ଶନିକ ଭାବଧାରା ସାମିଲ ହେବା ଉଚିତ । ଭାରତରେ ବି ମେଣ୍ଟାଲ ହେଲ୍ଥ କେୟାର ଆକ୍ଟ -୨୦୧୭ରେ ମାନସିକ ରୋଗର ନିରାକରଣ ପାଇଁ ବିଧି ବ୍ୟବସ୍ଥା ହୋଇଛି । ସେହି ଆଇନରେ ମନୋବିଜ୍ଞାନୀମାନଙ୍କ ପରାମର୍ଶ, ସାମାଜିକ କର୍ମୀଙ୍କ ନିଯୁକ୍ତି ଭଳି ଅନେକ ପ୍ରକାର ଉତ୍ତମ ବ୍ୟବସ୍ଥା ବି ରହିଛି ।  ଏତଦ୍ବ୍ୟତୀତ ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ନିଯୁକ୍ତି ଯେତେ ମାତ୍ରାରେ ଅଧିକ ହେବ, ସେତେ ମାତ୍ରାରେ ମହିଳାମାନଙ୍କ ଆତ୍ମହତ୍ୟା ପ୍ରବଣତାର ଅବସାନ ଘଟିବ ଯେମିତି ଚୀନରେ ସମ୍ଭବ ହୋଇଛି । ଆତ୍ମହତ୍ୟାକୁ ଏକ ଉକ୍ରଟ ସାମାଜିକ ବ୍ୟାଧି ଭାବରେ ଆମକୁ ଗ୍ରହଣ କରିବାକୁ ହେବ । ଏଥିପାଇଁ ସରକାରଙ୍କ ଉପରକୁ କେବଳ ଦାୟିତ୍ୱ ଖସାଇ ଦେଇ ଆମେ ନିରବଦ୍ରଷ୍ଟା ସାଜିଲେ ଲାଭ ହେବନାହିଁ । ସରକାର, ମନୋବିଜ୍ଞାନୀ, ସାମାଜିକକର୍ମୀ, ମନସ୍ତାତ୍ତ୍ୱିକ ପରାମର୍ଶଦାତା, ଧାର୍ମିକ, ବ୍ୟକ୍ତିବିଶେଷ, ଦାର୍ଶନିକ, ବୁଦ୍ଧିଜୀବୀ ଓ ଶିକ୍ଷକଙ୍କ ଭଳି ବିଜ୍ଞଜନମାନେ ଏ ବାବଦରେ ସଚେତନତା ସୃଷ୍ଟି ପାଇଁ ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକ ସ୍ତରରେ ପ୍ରୟାସ କରିବା ଉଚିତ ।  ଏହାସହ ଅସୁସ୍ଥତା ହେଉ ବା ସମ୍ପର୍କ ବିଭ୍ରାଟ, ଆର୍ଥିକ ସମସ୍ୟା ହେଉ ବା କେଉଁ ପରିଜନର ଅକାଳ ପରଲୋକ ଏଭଳି ଆକସ୍ମିକ ସଙ୍କଟ କିଛିକାଂଶରେ ଆତ୍ମହତ୍ୟା କରିବା ପାଇଁ ପ୍ରେରିତ କରିଥାଏ । କିନ୍ତୁ ଜୀବନ ହିଁ ଜୀବନ ଏହାକୁ ବୁଝିବା କଥା । 
ଡା.ସମ୍ରାଟ କର,ମାନସିକ ରୋଗ ବିଶେଷଜ୍ଞ
ମୋ : ୯୧୩୨୪୩୩୩୩୩