ଆଦିବାସୀ ଜୀବନୀଶୈଳୀ ଓ ଶୃଙ୍ଗାର
ଡା.ବିଚିତ୍ରାନନ୍ଦ ଆଚାର୍ଯ୍ୟ : କାବ୍ୟ, କବିତା, ଛବି ଓ ଭାସ୍କର୍ଯ୍ୟରେ କବି ଓ ଶିଳ୍ପୀମାନେ କେଉଁ ଯୁଗରୁ ନାରୀର ରୂପ ଲାବଣ୍ୟକୁ ବର୍ଣ୍ଣନା କରି ଆସି ଅଛନ୍ତି । ସେଥିମଧ୍ୟରୁ ଭବଭୂତିଙ୍କ କାବ୍ୟ, କବିତା, କାଳିଦାସଙ୍କ କୁମାର ସଂଭବମ୍ ଓ ଶକୁନ୍ତଳମ୍, ଉପେନ୍ଦ୍ରଭଞ୍ଜଙ୍କ ଲାବଣ୍ୟବତୀ ଓ ପ୍ରେମସୁଧାନିଧିରେ ନାରୀର ବିଭିନ୍ନ ଅଙ୍ଗ, ଅଳଙ୍କାର ଓ ବେଶଭୂଷା ପ୍ରଭୃତି ବିଭିନ୍ନ ଲତା, ଫୁଲ, ଫଳ ଓ ଜୀବଜନ୍ତୁମାନଙ୍କ ସହିତ ତୁଳିତ ହୋଇଛନ୍ତି । ଯଦ୍ୱାରା ଛାନ୍ଦ ଓ କବିତା ଗୁଡ଼ିକ ରସବନ୍ତ ହୋଇ ପାରିଛି । ଏହିପରି ମୁକ୍ତେଶ୍ୱର, ଲିଙ୍ଗରାଜ, ରାଜରାଣୀ, ବୈତାଳ, ପୁରୀ ଓ କୋଣାର୍କର ମନ୍ଦିର ଦେହରେ ସୁର ସୁନ୍ଦରୀମାନଙ୍କୁ ଶିଳ୍ପୀ ସୁନ୍ଦର ଭାବରେ ପ୍ରକାଶ କରିପାରିଛନ୍ତି । ଏଠାରେ ଶିଳ୍ପୀ ପ୍ରମାଣ କରିବାକୁ ଚାହେଁ, ନାରୀ ହେଉଛି ସୌନ୍ଦର୍ଯ୍ୟ ଓ ସୌନ୍ଦର୍ଯ୍ୟ ହେଉଛି ନାରୀ । ଶିଳ୍ପୀମାନଙ୍କର କାରିଗରୀ କୌଶଳ ଏତେ ଶକ୍ତିଶାଳୀ ଥିଲା ଯେ ଯଦ୍ୱାରା ଏସବୁ ସୁନ୍ଦରୀ ମୂର୍ତ୍ତିଗୁଡ଼ିକ ଜୀବନ୍ତ ମନେହୁଏ ।
ଭାରତରେ ଚାରିଶହରୁ ଊଦ୍ଧ୍ୱର୍ ଆଦିବାସୀ ଜନଜାତି ଦେଖିବାକୁ ମିଳୁଥିବା ବେଳେ ଓଡ଼ିଶାରେ ୬୨ ପ୍ରକାର ଆଦିବାସୀ ଦେଖିବାକୁ ମିଳନ୍ତି । ଏମାନଙ୍କ ଜୀବନଶୈଳୀ, ବେଶପୋଷାକ ଏବଂ ଚଳଣି ସବୁ ପୃଥକ । ଏହି ଆଦିବାସୀମାନଙ୍କ ମଧ୍ୟରେ ବଣ୍ଡା, କୋୟା, ଡଙ୍ଗରିଆ କନ୍ଧ, ସଉରା, ମାଟିଆ, ଦୁରୁଆ, ଗଣ୍ଡା, ଭତରା, ଗାଦବା, ପରଜା, ଭୂମିଆ ଆଦି ସାମ୍ନାକୁ ଆସନ୍ତି । ଆଦିବାସୀମାନଙ୍କ ବେଶଭୂଷା ସ୍ପଷ୍ଟ ବାରି ହୋଇପଡ଼େ । ଦୁର୍ଗମ ଅଞ୍ଚଳରେ ରହୁଥିବା ‘ଦୁରୁଆ’ ପୁରୁଷମାନେ ଲେଙ୍ଗୁଟି ପିନ୍ଧିଥାନ୍ତି । କେତେକ ପୁରୁଷ ଲମ୍ବା କେଶ ରଖିବା ସହ ନାକ ଓ କାନରେ ପାତି, ଗୁଣା ବା ଛୋଟବଳା ପିନ୍ଧିଥାନ୍ତି । ଦୁରୁଆ ରମଣୀମାନେ ପାଟୀ (ମାଟିଆ ଧଡ଼ି ପଡ଼ିଥିବା ଧଳାଲୁଗା) ବ୍ୟବହାର କରନ୍ତି । ଆଣ୍ଠୁର ସାମାନ୍ୟ ତଳକୁ ଦେହରେ ଗୁଡ଼ାଇ ବାମପଟ କାନ୍ଧରେ ଗଣ୍ଠି ପକାଇ ପିନ୍ଧିବା ଏମାନଙ୍କ ସ୍ୱତନ୍ତ୍ର ଶୈଳୀ । ଏମାନେ ସୁନା, ରୂପା, ଗିଲଟି, ଆଲୁମିନିୟମ, ପୋହଳା ପ୍ରଭୃତି ଅଳଙ୍କାର ବଜାରରୁ କିଣି ପିନ୍ଧିଥାନ୍ତି । ଏମାନେ କାନରେ ପାତି, ବାରି, ନାକରେ ଫୁଲ, ନୋଥ, ବେକରେ ପୋହଳୀ ମାଳି, ପଇସା ମାଳି, ବାଉଁଶ ମାଳି ଏବଂ ମୁଣ୍ଡାରେ ଚିଲାଟେଲ୍ ଏବଂ କାଠପାନିଆ ପ୍ରଭୃତି ପିନ୍ଧିଥାନ୍ତି । ଗରିବ ଦୁରୁଆମାନେ ଲୁହା ଏବଂ ଆଲୁମିନିୟମ ଅଳଙ୍କାର ବ୍ୟବହାର କରନ୍ତି । କପାଳ, ଚିବୁକ, ହାତ, ଗୋଡ଼, ଜଙ୍ଘ ଏବଂ ବକ୍ଷରେ ଚିତା କୁଟାଇବା ଏମାନ ସଉକ । ‘ଗଣ୍ଡ’ ସ୍ତ୍ରୀମାନେ ଦେହରେ ବିଭିନ୍ନ ପ୍ରକାର ଅଳଙ୍କାର ପିନ୍ଧିଥାନ୍ତି । ଯାନିଯାତ୍ରା ସମୟରେ ଗଣ୍ଡ ପୁରୁଷମାନେ ଧୋତି, କୁର୍ତା ସହ ମୁଣ୍ଡରେ ପଗଡ଼ି ଭିଡ଼ୁଥିବା ବେଳେ ଗଣ୍ଡା ସ୍ତ୍ରୀମାନେ ଗାଢ଼ ରଙ୍ଗର ଶାଢ଼ି, ମୁଣ୍ଡରେ ଖୋସା ଓ ଫୁଲ ପିନ୍ଧନ୍ତି । ଏମାନଙ୍କ ଅଳଙ୍କାରଗୁଡ଼ିକ ସାଧାରଣତଃ ସୁନା ଓ ରୁପାର ହୋଇଥାଥାଏ । ଗଣ୍ଡ ପୁରୁଷମାନେ ବାହୁରେ ବାହୁଟି ପିନ୍ଧୁଥିବା ବେଳେ ସ୍ତ୍ରୀ ଲୋକମାନେ ମୁଣ୍ଡ କଣ୍ଟା, କାନରିଙ୍ଗ, ଚିଡ଼ି ଟଙ୍କମାଳି - ଡୋରି ପିନ୍ଧନ୍ତି । ଗଣ୍ଡ ପୁରୁଷମାନେ ସାଧାରଣତଃ ଅଣ୍ଟାରୁ ତଳକୁ ଚିତା କୁଟାଉଥିବା ବେଳେ ଗଣ୍ଡ ସ୍ତ୍ରୀମାନେ କପାଳ, ଥୋଡ଼ି, ବାହୁ, ପାପୁଲିର ଉପରି ଭାଗ, ଛାତି, ଜଙ୍ଘ ଓ ପାଦରେ ନଦୀ, ନିଆଁ, ଚୁଲି, ଜହ୍ନ, କଙ୍କଡ଼ା ବିଛା ଆଦି ଚିତା କୁଟାଇଥାନ୍ତି । ‘ପରଜା’ ନାରୀମାନେ ରଙ୍ଗବେରଙ୍ଗର ଶାଢ଼ି ପିନ୍ଧନ୍ତି । ପୂର୍ବର ହାତ ତିଆରି ଶାଢ଼ି ନ ପିନ୍ଧି ଏମାନେ ଏବେ ମିଲ୍ ତିଆରି ଶାଢ଼ି ପିନ୍ଧୁଛନ୍ତି । ଏମାନେ ବେଶି ଅଳଙ୍କାର ପ୍ରିୟ ହୋଇଥିବାରୁ କାନରେ ଆଠ/ଦଶଟି ବଳା ଓ ନାକରେ ଦୁଇରୁ ଅଧିକ ବଳା ପିନ୍ଧିଥାନ୍ତି । ପିନ୍ଧା ଲୁଗାକୁ ଏମାନେ ତିନି ଚାରି ପରସ୍ତ କରି ଅଣ୍ଟାଠାରୁ ଆଣ୍ଠୁଯାଏଁ ଗୁଡ଼ାଇ ଗୋଟିଏ ପରସ୍ତ ପିଠିରେ ଗୁଡ଼ାଇ ବାମ କାନ୍ଧରେ ଗଣ୍ଠି ପକାଇଥାନ୍ତି ।
‘ଜତାୟୁ’ କନ୍ଧ ପୁରୁଷମାନେ ଧୋତି, ଗଞ୍ଜି ଏବଂ ମହିଳାମାନେ ସାଧାରଣ ଶାଢ଼ି ପିନ୍ଧନ୍ତି । ଏମାନେ ବେଶୀ ବାନ୍ଧିବା ଫୁଲ ଖୋସିବା ଦେଖାଯାଏ । ମୁଦ୍ରାରେ ହାର ଏବଂ ମୁଦି ଏମାନେ ପିନ୍ଧନ୍ତି । କେହି କେହି ଚିତା ମଧ୍ୟ କୁଟାଇଥାନ୍ତି । ଅନୁସୂଚିତ ‘ଉତରା’ ଜନଜାତିର ମହିଳା ମାନେ ସାଧାରଣତଃ ହାତରେ ରସଖଡ଼ୁ ବିଭିନ୍ନ ରକମର ଚୁଡ଼ି, ବେକରେ ନାନାଦି ଅଳଙ୍କାର, କାନରେ ନୋଳି, କାନଫୁଲ ନାକରେ ଫୁଲ, ପାଦରେ ପାଉଁଜି ପିନ୍ଧିଥାନ୍ତି । ତେବେ ଆର୍ଥିକ ସ୍ୱଚ୍ଛଳ ପରିବାର ରସର ଅଳଙ୍କାର ପିନ୍ଧିଥାନ୍ତି ।
‘ବଣ୍ଡା’ ପୁରୁଷମାନେ ଲେଙ୍ଗୁଟି ପିନ୍ଧି ଦେହ ଖୋଲା ରଖିଥାନ୍ତି । ମହିଳାମାନେ ବିଭିନ୍ନ ରସ ଅଳଙ୍କାର ଏବଂ ଜଙ୍ଗଲୀ ମାଳି ଦ୍ୱାରା ବକ୍ଷ ଆଚ୍ଛାଦିତ କରିଥାନ୍ତି । ଏହା ସେମାନଙ୍କ ତଳିପେଟ ଯାଏଁ ଲମ୍ବିଥାଏ । ଲଣ୍ଡା ମୁଣ୍ଡରେ ଏମାନେ ରଙ୍ଗବେରଙ୍ଗର ମାଳି ବାନ୍ଧିଥାନ୍ତି । ବେକରେ ରସବଳା ପିନ୍ଧିବାକୁ ଏମାନେ ପସନ୍ଦ କରନ୍ତି । ବଣ୍ଡମାନେ ନିଜ ହାତ ତିଆରି ପୋଷାକ ଏବଂ ଅଳଙ୍କାର ପିନ୍ଧିବାକୁ ପସନ୍ଦ କରୁଥିବା ବେଳେ ଏମାନେ ଚିତା କୁଟାନ୍ତି ନାହିଁ କିମ୍ବା ନାକରେ କୌଣସି ଅଳଙ୍କାର ଲଗାନ୍ତି ନାହିଁ । ‘ଡଙ୍ଗରିଆ କନ୍ଧ’ ପୁରୁଷମାନେ କାନରେ ଫାଶିଆ, ନାକରେ ଦଣ୍ଡିଗୁଣା ଓ ମୁଣ୍ଡରେ ଜୁଡ଼ା ବାନ୍ଧିଥାନ୍ତି । ସ୍ତ୍ରୀ ଲୋକମାନେ ଗୋଡ଼ରେ ରସରବଳା, ବେକରେ ରସର ଅଳଙ୍କାର ମୁଣ୍ଡରେ ପାନିଆ ଓ ଛୋଟ ଛୁରୀ ଖୋସନ୍ତି । ନାକରେ ଏକାଧିକ ଫାଶିଆ ଲଗାନ୍ତି । ଜୁଡ଼ାରେ ଆଲୁମିନିୟମ ଫୁଲ ଓ ଦେହରେ ରଙ୍ଗିନ୍ ସୂତାର କମକୂଟ କରା ପାଛୁଡ଼ି ଉଭୟ ସ୍ତ୍ରୀ ଓ ପୁରୁଷ ଲଗାଇଥାନ୍ତି ।
‘ସଉରା କନ୍ଧ’ ଅଣ୍ଟାରୁ ଆଣ୍ଠୁଯାଏଁ ଲମ୍ବିଥିବା ଘାଗରା ପିନ୍ଧିଥାନ୍ତି । ମୁହଁରେ କଳାଚିତା କାଟିବା ଏମାନଙ୍କ ବଡ଼ ପସନ୍ଦ । ଏମାନେ ବେଶି ଅଳଙ୍କାର ପିନ୍ଧନ୍ତି ନାହିଁ । ପୁରୁଷମାନେ କାନରେ ଫାଶିଆ ପିନ୍ଧୁଥିବା ବେଳେ ମହିଳାମାନେ ନାକଫାଶିଆ ପିନ୍ଧିଥାନ୍ତି । ଏହାଛଡ଼ା ଗୋଡ଼ରେ ରସ ଏବଂ ତମ୍ବାର ମଲ ଏବଂ ମୁଦି ବ୍ୟବହାର କରିଥାନ୍ତି । ବାହାରକୁ ଗଲେ ଏମାନେ କେବଳ ଛାତି ଉପରେ ଖଣ୍ଡେ କନା ପକାଇଥାନ୍ତି । ଲାଞ୍ଜିଆ ସଉରାମାନେ ଆଗ ଓ ପଛରେ ଲାଞ୍ଜ ଭଳି ଏକ ଲେଙ୍ଗୁଟି ପିନ୍ଧିଥାନ୍ତି । ଶୃଙ୍ଗାର ଓ ସୌନ୍ଦର୍ଯ୍ୟ ପ୍ରସଙ୍ଗରେ ପଣ୍ଡିତ ଗୋପବନ୍ଧୁଙ୍କ କାଳଜୟୀ ଧାଡ଼ିଟି ଉଲ୍ଲେଖ କରୁଛୁ - "କଳ୍ପନା ଚିତ୍ରିତ ତୋ ସୁନ୍ଦର ତନୁ, କାଳେ କାଳେ ଆଉ ନଯିବ ମୋ ମନୁ ।' ସେହିପରି ପ୍ରେମିକ କବି ଡକ୍ଟର ମାୟାଧର ମାନସିଂହ ତାଙ୍କ କାଳଜୟୀ ସୃଷ୍ଟି "କୋଣାର୍କ' କାବ୍ୟରେ ସୁର ସୁନ୍ଦରୀ ମାନଙ୍କୁ ଦେଖି କହିଛନ୍ତି - "ଅପସରୀ ବନ୍ଦିଲେ ତୋତେ ସ୍ୱର୍ଗୁଁ ଆସି କୌମୁଦୀ କଲ୍ଲୋଳେ, ପାରିଜାତ ପୁଷ୍ପ ଉପହାରେ, ପ୍ରସ୍ତର ପ୍ରସ୍ତରେ ତୋର ସୁନିହିତ କବିତା ସଂହାର, ହେ ପାଷାଣ - କବିତା ଝଙ୍କାର । ଦେଖୁ ଦେଖୁ ସମାଗତ ନାରୀ, ପଦ-କଙ୍କିଣୀ-କମ୍ପନେ, କଲେ ମୁଖରିତ ଦିନେ ବକ୍ଷ ତୋର, ଲାଷାରସ ବର୍ଣ୍ଣେଂ ରଂଜିଲେ ମଧୁର କରି, ଭୂମି ତୋର ଶୋଭାର ଉତ୍ସବ ଲଜ୍ୟା ଦେଇ ପୁଷ୍ପ ବଲଭବ ।' ଓଡ଼ିଶା ତଥା ଓଡ଼ିଶା ବାହାରେ ଥିବା ଅନ୍ୟ ଆଦିବାସୀମାନଙ୍କର ବେଶଭୂଷା ତଥା ଶୃଙ୍ଗାର ଏମାନଙ୍କ ଠାରୁ ବେଶ୍ ପୃଥକ । ଏହି ଶୃଙ୍ଗାର କଳା ସେମାନଙ୍କ ରୁଚି, ବିଶ୍ୱାସ, ଆଉ ସଂସ୍କାରରୁ ସୃଷ୍ଟି ହୋଇଥିବା ଜଣାଯାଏ ।
ବାଲିଗୁଡ଼ା, କନ୍ଧମାଳ
ମୋ : ୯୪୩୭୨୪୨୩୧୭