ଆନ୍ତଃରାଜ୍ୟ ଗଞ୍ଜେଇ ରାକେଟ ଠାବ; ୩କୋର୍ଟ ଚାଲାଣ
ଦାନଗଦୀ/ସୁକିନ୍ଦା: ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚୋରା ଗଞ୍ଜେଇ କାରବାର କରୁଥିବା ୩ ଜଣ ଚୋରା ଗଞ୍ଜେଇ ବେପାରୀଙ୍କୁ କଳିଙ୍ଗନଗର ପୁଲିସ ଗିରଫ କରିବା ସହ ଏକ ବୋଲେରୋ ଗାଡି ଜବତ କରିଛି । ଗିରଫ ଅଭିଯୁକ୍ତ କୋରେଇ ଥାନା ଗୌରପାଳର ବାମଦେବ ରାଉତଙ୍କ ପୁଅ ଧୀରଜ ଓରଫ ବୁଲୁ (୨୬), ରାମଚନ୍ଦ୍ରପୁର ଥାନା ମଧୁକେଶରୀ ଗାଁର କୃଷଚନ୍ଦ୍ର ଚକ୍ରଙ୍କ ପୁଅ ସୁଶାନ୍ତ ଓରଫ ସୁକୁଟା (୨୩) ଓ ରାମଚନ୍ଦ୍ରପୁର ଥାନା ବାତୋ ଗାଁର କମଳ ଲୋଚନ ମହାନ୍ତିଙ୍କ ପୁଅ ସତ୍ୟବ୍ରତ ଓରଫ ଜଗା (୨୬) ହୋଇଥିବା ବେଳେ ଏମାନଙ୍କୁ କଳିଙ୍ଗନଗର ପୁଲିସ ବ୍ୟାସନଗର ପୈାରାଞ୍ଚଳର ଏକ ଭଡ଼ାଘରୁ ଗିରଫ କରିଥିଲା । ଏଘଟଣାରେ କଳିଙ୍ଗନଗର ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁପ୍ରଶନ୍ନ ମଲ୍ଲିକ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ସୂଚନା ମୁତାବକ ଗତ ଜୁଲାଇ ମାସ ୨୩ ତାରିଖ ରାତିରେ କଳିଙ୍ଗନଗର ପୋଲିସ ପକ୍ଷରୁ ପେଟ୍ରୋଲିଙ୍ଗ ସମୟରେ ଏକ ଟାଟା ପଞ୍ଚ କାର (ଓଡି ୩୩ ଏପି–୯୩୯୫) ପୁଲିସକୁ ଦେଖି ହଠାତ୍ ବୁଲାଇ ଦୃତ ଗତିରେ ପଳାଉଥିଲା । ସେହି ସମୟରେ ଗାଡିର ଚାଳକ ଭାରସାମ୍ୟ ହରାଇ ଡୁବୁରୀ ସୁକିନ୍ଦା ରାସ୍ତାର ସିଆରିଆ ସରକାରୀ ବିଦ୍ୟାଳୟ ପାଚେରିରେ ଲାଖିରହିଥିଲା । ଗାଡି ଛାଡି ଚାଳକ ଫେରାର ହୋଇଯାଇଥିଲା । ସେହି କାରଟିକୁ ମାଜିଷ୍ଟ୍ରେଟ ତଥା ସୁକିନ୍ଦା ତହସିଲଦାରଙ୍କ ଉପସ୍ଥିତରେ ତନଖି କରିବା ସମୟରେ ୭୧.୬୬୫ କି.ଗ୍ରା ଗଞ୍ଜେଇ ଜବତ ହୋଇଥିଲା ।କଳିଙ୍ଗନଗର ଥାନା ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିଲା । ଏହି ଚୋରା କାରବାରରେ ବ୍ୟବହୃତ ଅନ୍ୟ ଏକ ବୋଲେରୋ ଗାଡ଼ିକୁ ପୋଲିସ ଜବତ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଯଥାଶୀଘ୍ର ଗିରଫ କରାଯିବା ବୋଲି ପୋଲିସ ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ପ୍ରକାଶ କୁମାର ସାହୁ, ତଦନ୍ତ ଅଧିକାରୀ ରମେଶ କୁମାର ବେହେରା ଉପସ୍ଥିତ ଥିଲେ ।