ଆରମ୍ଭ ହେଲା ଚଇତି ଘୋଡ଼ା ନାଚ
ପୁରୀ : ଚୈତ୍ର ପୂର୍ଣ୍ଣିମାରୁ ଆରମ୍ଭ ହୋଇଛି ଘୋଡ଼ା ନାଚ । ଘୋଡ଼ା ନାଚ ଚୈତ୍ର ପୂର୍ଣ୍ଣମୀରୁ ଆରମ୍ଭ ହୋଇ ବୈଶାଖ ପୂର୍ଣ୍ଣମୀରେ ଉଦ୍ୟାପିତ ହୋଇଥାଏ । ଦେବୀ ବାସେଳୀଙ୍କ ଧଳାଘୋଡ଼ା ଓ ଝାଡ଼େଶ୍ୱରୀଙ୍କ କଳାଘୋଡ଼ା କୈବର୍ତ୍ତମାନଙ୍କ ଦ୍ୱାରା ଏକ ମାସ ଧରି ପାଳନ କରାଯାଉଥିବା ଚଇତି ପର୍ବର ମୁଖ୍ୟ ଆକର୍ଷଣ । ଘୋଡ଼ନାଚ ଦଳମାନେ ସହରରେ ବୁଲି ବୁଲି ବିଭିନ୍ନ ସ୍ଥାନରେ ଘୋଡ଼ାନାଚ ପ୍ରଦର୍ଶନ କରିଥାନ୍ତି । ପ୍ରାରମ୍ଭ ଦିବସରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଘୋଡ଼ା ନାଚର ଶୁଭାରମ୍ଭ ହୋଇଥିଲା । ମାନସିକ ପୂରଣ ପରେ ଶ୍ରଦ୍ଧାଳୁମାନେ ସେମାନଙ୍କ ଘରର ଦ୍ୱାର ସମ୍ମୁଖରେ ଘୋଡ଼ା ନାଚ କରିବାର ବିଧି ପ୍ରଚଳିତ ରହିଛି । ଚଇତି ଘୋଡ଼ା ନାଚ ଦଳରେ ଚଢେଇଆ ଚଢେଇଆଣୀ ବିଭିନ୍ନ ପୌରାଣିକ କଥାବସ୍ତୁକୁ ଗୀତ ଆକାରରେ ପରିବେଷଣ କରିଥାନ୍ତି । ଏଥିସହିତ ଦେବୀଙ୍କ ବନ୍ଦନା ଗାନ କରାଯାଇଥାଏ । ଘୋଡ଼ାନାଚ ଦଳ ଭକ୍ତଙ୍କ ଦ୍ୱାରରେ ପହଞ୍ଚôବା ପରେ ପିଢା ପାଣି ଦେଇ ସ୍ୱାଗତ କରାଯାଏ । ଗୋଡ଼ାକୁ ପଣା ସହ ଶୁଖିଲା ଭୋଗ କରାଯାଏ । ପୂଜାର୍ଚ୍ଚନା ପରେ ପରିବେଷିତ ହୁଏ ପାରମ୍ପରିକ ଘୋଡ଼ାନାଚ । ଢୋଲ ଓ ମହୁରୀର ତାଳେ ତାଳେ ନୃତ୍ୟ କରାଯାଇଥାଏ । ଗାୟକଙ୍କ ସହ ପାଳିଆମାନେ ପୌରାଣିକ ଆଖ୍ୟାୟିକା ଓ ଢଗଢମାଳି ପରିବେଷଣ କରି ସମବେତ ଦର୍ଶକଙ୍କ ମନୋରଞ୍ଜନ କରିଥାନ୍ତି । ହାସ୍ୟାତ୍ମକ ଅଭିନୟ ଦର୍ଶକଙ୍କୁ ମୁଗ୍ଧ କରିଥାଏ ।