ଆରମ୍ଭ ହେଲା ବଲାଙ୍ଗିରରେ ଧାନ କିଣା 

 ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ଖରିଫ ୨୦୨୪-୨୫ ବର୍ଷ ପାଇଁ ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟି ର ନିଷ୍ପତ୍ତି ଅନୁସାରେ ଆଜି ଠାରୁ ଖରିଫ ଧାନ କିଣା ଆରମ୍ଭ କରାଯାଇଛି  । ଜିଲ୍ଲାପାଳ ଶ୍ରୀ ଗୌରୱ ଶୀୱାଜୀ ଈସାଲୱାର ଆଜି ଆରଏମସି ପାଟଣାଗଡ ର ମଣ୍ଡଳ ମାର୍କେଟ ୟାର୍ଡ ରେ ଧାନ କିଣାର ଶୁଭାରମ୍ଭ କରିଛନ୍ତି  । ବଲାଙ୍ଗିର ଜିଲ୍ଲାରେ ଆଜିଠାରୁ  ପର୍ଯ୍ୟାୟକ୍ରମେ ୯୫,୦୮୭ ପଞ୍ଜୀକୃତ ଚାଷୀ ମାନଙ୍କ ଠାରୁ ୧୭୬ ଗୋଟି ମଣ୍ଡି ମାଧ୍ୟମରେ (୧୫୮ ପେକ୍ସ ଏବଂ ୧୮ ଏସଏଚଜି) ୩୪,୦୯,୦୭୩ କୁଇଣ୍ଟାଲ ଧାନ ସଂଗ୍ରହ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି  । ଚଳିତ ବର୍ଷ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରତି କ୍ୱିଣ୍ଟାଲ ପିଛା ୨୩୦୦/- ଟଙ୍କା ଏବଂ ଗ୍ରେଡ-ଏ ମୂଲ୍ୟ ପ୍ରତି କ୍ୱିଣ୍ଟାଲ ୨୩୨୦/- ଟଙ୍କା ରଖାଯାଇଛି  । ଏହାବାଦ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ସର୍ବନିମ୍ନ ସହାୟକ ମୂଲ୍ୟ ସମେତ ୮୦୦ ଟଙ୍କାର ଅତିରିକ୍ତ ଇନପୁଟ ଆସିଷ୍ଟାନ୍ସ ମଧ୍ୟ ଦିଆଯିବ  । ଆଜିର ଧାନ କିଣା ଶୁଭାରମ୍ଭ କାର୍ଯ୍ୟକ୍ରମ ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରୀ ଦ୍ୟାନଦେଓ, ଅତିରିକ୍ତ ଜିଲ୍ଲାପାଳ ଡ ବିଜୟାନନ୍ଦ ସେଠୀ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀ, ସମବାୟ ସମିତି ଉପ ନିବନ୍ଧକ ପ୍ରମୋଦ ବରିହାଙ୍କ ସମେତ ସମବାୟ ,ନିୟନ୍ତ୍ରିତ ବଜାର କମିଟି, ପ୍ରାଥମିକ କୃଷି ସମବାୟ ସମିତି (ପେକ୍ସ ) ର ଅଧିକାରୀ ଓ କର୍ମଚାରୀ ଏବଂ ଚାଷୀମାନେ ଉପସ୍ଥିତ ଥିଲେ ।